ଅନୁଧ୍ୟାନ ପାଇଁ ବିହାର ଯିବ କମିଟି

0

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ସରକାର ପୁଣି ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ବିଧାନ ପରିଷଦ ସମ୍ପର୍କରେ ଅନ୍ୟ ରାଜ୍ୟର ବ୍ୟବସ୍ଥା ଅନୁଧ୍ୟାନ ପାଇଁ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଥର ବିହାର ଏବଂ ଆନ୍ଧ୍ର ପଦେଶ ଗସ୍ତ କରିବ। ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନିଆ ଗସ୍ତରେ କମିଟି ବିହାର ଯିବ। ସେଠାରୁ ଫେରି ଆନ୍ଧ୍ର ପ୍ରଦେଶ ଗସ୍ତ କରିବ। ପୂର୍ବରୁ କମିଟି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରି ସେଠାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିଛି।
କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରଥମେ ବିଧାନ ପରିଷଦ ଏବଂ ପରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ବିହାର ଏବଂ ଆନ୍ଧ୍ରପ୍ରଦେଶରେ ପ୍ରଥମେ ବିଧାନସଭା ଏବଂ ପରେ ବିଧାନ ପରିଷଦ ଗଠନ କରାଯାଇଥିଲା। ଏହି ଦୁଇ ରାଜ୍ୟ ଗସ୍ତ କରି କମିଟି ରିପୋର୍ଟ ପ୍ରଦାନ କରିବା ପରେ ସରକାର ବିଧାନ ପରିଷଦ ଗଠନ ନେଇ ନିଷ୍ପତ୍ତି ନେବେ।
କମିଟିରେ କଂଗେସ ସଦସ୍ୟ ଭୁଜବଳ ମାଝି ଓ ବିଜେପି ସଦସ୍ୟ ନୀତେଶ ଗଙ୍ଗଦେବ ରହିଛନ୍ତି। ପୂର୍ବପରି ସେମାନେ ଏଥର ଯିବେ ନାହିଁ। କମିଟିରେ ଅଧ୍ୟକ୍ଷ ଶ୍ରୀ ସାହୁ, ବିଧାୟକ ମନୋହର ରାନ୍ଧାରୀ, ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସମେତ ସଂସଦୀୟ ବ୍ୟାପାର ବିଭାଗ ସଚିବ ଏବଂ ବିଧାନସଭା ସଚିବ ବିହାର ଗସ୍ତରେ ଯିବେ।

Leave A Reply