ଜାତୀୟ ବିଜୟ ଦିବସ ପରେଡ଼ରେ ମନୋବଳ ବଢ଼ାଇଲେ ପୁଟିନ : ‘ମାତୃଭୂମିକୁ ସୁରକ୍ଷା ଦେଉଛି ସେନା’

ଆମେ ​ଦ୍ଵୈତ ବିଜୟ ହାସଲ କରିବୁ : ଜେଲେନସ୍କି

ମସ୍କୋ/କିଭ୍‌ : ୟୁକ୍ରେନ ବିରୋଧରେ ରୁଷ୍‌ ଚଳାଇଆସିଥିବା ଯୁଦ୍ଧ ଯର୍ଥାତ। ମାତୃଭୂମି ପ୍ରତି ରହିଥିବା ବିପଦକୁ ପ୍ରତିହତ କରିବା ଲାଗି ରୁଷ୍‌ ସେନା ୟୁକ୍ରେନରେ ଲଢେଇ କରୁଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ସୋମବାର ରୁଷ୍‌ର ଜାତୀୟ ବିଜୟ ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ପୁଟିନ ଏହା କହିଛନ୍ତି। ୧୯୪୫ ଆଜିର ଦିନରେ ଜର୍ମାନୀର ନାଜି ବିରୋଧରେ ସୋଭିଏତ୍ ୟୁନିୟନର ବିଜୟ ହାସଲ କରିଥିଲା। ଏହି ଦିନକୁ ରୁଷ୍‌ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରିଆସୁଛି। ବିଜୟ ଦିବସ ସମ୍ବୋଧନରେ ପୁଟିନ ୟୁକ୍ରେନରେ ଲଢେଇ କରୁଥିବା ରୁଷ୍‌ ସୈନିକଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପୁଟିନ କହିଛନ୍ତି ତୁମେମାନେ (ରୁଷ୍‌ ସୈନ୍ୟ) ମାତୃଭୂମିର ଭବିଷ୍ୟତ ପାଇଁ ଲଢେଇ କରୁଛ। ଦ୍ବିତୀୟ ବିଶ୍ବଯୁଦ୍ଧରୁ ଆମକୁ ଯେଉଁ ଶିକ୍ଷା ମିଳିଛି ତାକୁ କେହି ଭୁଲିଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ୟୁକ୍ରେନ ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ୍‌ ଉପରେ ଆକ୍ରମଣ ପାଇଁ ଯୋଜନା ଚଳାଇ ଆସିଥିଲେ। ଏପରି ବିପଦକୁ ପ୍ରତିହତ କରିବା ରୁଷ୍‌ର ଅଧିକାର। ରୁଷ୍‌ ଉପରେ ଆକ୍ରମଣ ପାଇଁ ୟୁକ୍ରେନରେ ନାଟୋର ଅସ୍ତ୍ରଶସ୍ତ୍ର ମହଜୁଦ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ବିଜୟ ଦିବସରେ ପୁଟିନ କୌଣସି ବଡ ଘୋଷଣା କରିବା ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଯେଉଁ ଆକଳନ କରାଯାଉଥିଲା ତାହା ହୋଇ ନାହିଁ। ବିଜୟ ଦିବସ ଉତ୍ସବ ପାଇଁ ରୁଷ୍‌ର ରେଡ୍‌ ସ୍କୋୟାରରେ ରୁଷ୍‌ ସେନାର ବିଶାଳ ପରେଡ ପ୍ରଦର୍ଶନ ହୋଇଥିଲା। ପରେଡରେ ୧୧,୦୦୦ ସୈନିକ, ୧୩୦ ସାମରିକ ଯାନ, କ୍ଷେପଣାସ୍ତ୍ର ସେମାନଙ୍କ ରଣକୌଶଳ ପ୍ରଦର୍ଶନ କରିଥିଲେ।
ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଜର୍ମାନୀର ନାଜିଙ୍କୁ ବିତାଡିତ କରିବା ପଛରେ ୟୁକ୍ରେନର ବଡ ଭୂମିକା ରହିଥିଲା। ସୋଭିଏତ ୟୁନିୟନ ଅଂଶ ଭାବେ ୟୁକ୍ରେନ ମଧ୍ୟ ଏହି ବିଜୟର ହକ୍‌ଦାର। ୟୁକ୍ରେନ ୧୯୪୫ର ଦ୍ବିତୀୟ ବିଶ୍ବଯୁଦ୍ଧ ସହିତ ବର୍ତ୍ତମାନର ରୁଷ୍‌ ବିରୋଧୀ ଯୁଦ୍ଧରେ ବିଜୟ ପୂର୍ବକ ​‌େ​‌ଦ୍ବୖତ ବିଜୟ ଉତ୍ସବ ପାଳନ କରିବାକୁ ଚାହେଁ। ସେତେବେଳେ ଆମେ ବିଜୟୀ ହୋଇଥିଲୁ ଏବେ ମଧ୍ୟ ଆମେ ବିଜୟୀ ହେବୁ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଆମର ପୂର୍ବଜମାନେ ଯାହା କରିଯାଇଛନ୍ତି ତାକୁ ଆମେ ଭୁଲି ପାରିବୁ ନାହିଁ। ଏହି ଯୁଦ୍ଧରେ ୟୁକ୍ରେନର ୮୦ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଫେବୃଆରୀ ୨୪ରୁ ୟୁକ୍ରେନ ବିରୋଧରେ ରୁଷ୍ ସାମରିକ ଅଭିଯାନ ଚଳାଇ ଆସିଛି। ଯୁଦ୍ଧରେ ୟୁକ୍ରେନ କଡା ଜବାବ ଦେଇ ଚାଲିଥିବାବେଳେ ରୁଷ୍‌ର ବିଜୟ ବିଳମ୍ବିତ ହେବାରେ ଲାଗିଛି। ରବିବାର ଜି-୭ ରାଷ୍ଟ୍ର ନେତାମାନେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହିତ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏପରିକି ରୁଷ୍ ବିରୋଧରେ ଏହିସବୁ ରାଷ୍ଟ୍ର ୟୁକ୍ରେନକୁ ସମର୍ଥନ ଓ ସାହାଯ୍ୟ କରିଆସୁଛନ୍ତି। ଜାତିସଂଘ ମାନବାଧିକାର ପରିଷଦର ଅଧିବେଶନ ୟୁକ୍ରେନରେ ଆୟୋଜନ କରିବାକୁ ୬୦ଟି ରାଷ୍ଟ୍ର ଦାବି କରିଛନ୍ତି।

kalyan agarbati

Comments are closed.