ବ୍ୟବସ୍ଥାପକ ସଭାରେ ସାଂସଦ ଓ ବିଧାୟକଙ୍କ ବିଶୃଙ୍ଖଳା ସେମାନଙ୍କ ବିଶ୍ୱସନୀୟତାକୁ ହ୍ରାସ କରୁଛି : ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ : ସଂସଦ ଓ ବିଧାନସଭା (ବ୍ୟବସ୍ଥାପକ ସଭା)ରେ ସାଂସଦ ଓ ବିଧାୟକମାନେ ଯେଉଁ ବିଶୃଙ୍ଖଳା କରୁଛନ୍ତି ଏହା ସେମାନଙ୍କର ବିଶ୍ୱସନୀୟତାକୁ ହ୍ରାସ କରୁଛି। ଏହାଦ୍ୱାରା ଜନପ୍ରତିନିଧିମାନେ ସାଧାରଣ ଜନତାଙ୍କ ନିକଟରେ ନିଜର ବିଶ୍ୱାସ ହରାଇ ବସୁଛନ୍ତି ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି।

ରବିବାର ଏଠାରେ ଆୟୋଜିତ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗ ଦେଇ ନାଇଡୁ କହିଛନ୍ତି ଯେ ସଦସ୍ୟମାନଙ୍କର ବିଶୃଙ୍ଖଳିତ ଆଚରଣ ଦ୍ୱାରା ସେମାନେ ବିକାଶର ମାଧ୍ୟମ ହୋଇପାରିବେ ନାହିଁ। ଜନସାଧାରଣଙ୍କ ବିକାଶ କରିବା ଲକ୍ଷ୍ୟ ନେଇ ଜନପ୍ରତିନିଧିମାନେ ବ୍ୟବସ୍ଥାପିକା ସଭାକୁ ନିର୍ବାଚିତ ହୋଇଥାନ୍ତି। ତେବେ ଅପରାଧୀକ ପୃଷ୍ଠଭୂମିରେ ଥିବା ବ୍ୟକ୍ତି ଅଧିକରୁ ଅଧିକ ସଂଖ୍ୟାରେ ବ୍ୟବସ୍ଥାପିକା ସଭାକୁ ନିର୍ବାଚିତ ହେଉଥିବାରୁ ଏହା ସମ୍ପୂର୍ଣ୍ଣ ବ୍ୟବସ୍ଥାପକ ସଭାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ କରିଦେଉଛି ଓ ଏହା ଦେଶର ଗଣତନ୍ତ୍ର ପ୍ରତି ବଡ ଆହ୍ୱାନ ଭାବେ ଉଭାହେବାକୁ ବସିଲାଣି ବୋଲି ନାଇଡୁ କହିଛନ୍ତି। ଅପରାଧୀକ ପୃଷ୍ଠଭୂମିର ଲୋକ ଅର୍ଥ ଓ ବାହୁ ବଳ ପ୍ରୟୋଗକରି ଯେନତେନ ପ୍ରକାରେ ନିର୍ବାଚିତ ହେଉଛନ୍ତି। ଏଥିପାଇଁ ଉଭୟ ଜନସାଧାରଣ ଓ ରାଜନୈତିକ ଦଳଗୁଡିକ ଦାୟୀ। ବ୍ୟବସ୍ଥାପକ ସଭା ଗୃହରେ ପ୍ଲାକାର୍ଡ ଓ ବ୍ୟାନର ପ୍ରଦର୍ଶନ କରିବାର କୌଣସି ଆବଶ୍ୟକତା ନାହିଁ। ଏପରି କାର୍ଯ୍ୟ ପୂର୍ବକ ପ୍ରତିନିଧିମାନେ ଯଦି ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବେ ତେବେ ସେମାନଙ୍କୁ ବିକାଶର ମାଧ୍ୟମ କୁହାଯାଇପାରିବ ନାହିଁ। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।

Leave A Reply