ବିଶ୍ବବିଦ୍ୟାଳୟ ଶିକ୍ଷାଭିତ୍ତି ଦୁର୍ବଳ ; ଅଧାରୁ ଅଧିକ ପ୍ରାଧ୍ୟାପକ ପଦ ଖାଲି

ଭୁବନେଶ୍ବର : ନିକଟରେ ରାଜ୍ୟ ସରକାର କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ କୋରାପୁଟର ବିକ୍ରମଦେବ ସ୍ବୟଂଶାସିତ ମହବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କଲେ। ଉଚ୍ଚଶିକ୍ଷା ଲାଗି ରାଜ୍ୟରେ ଅଧିକ ବିଶ୍ବବିଦ୍ୟାଳୟ ଖୋଲିବାର ଆବଶ୍ୟକତା ରହିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ୍ ମହଲରେ ସ୍ବାଗତ କରାଯାଉଛି। ୨ଟି ନୂତନ ବିଶ୍ବବିଦ୍ୟାଳୟ ହେବା ପରେ ବିଭିନ୍ନ ଜିଲାରୁ ମହାବିଦ୍ୟାଳୟଗୁଡ଼ିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଦାବି ଜୋର ଧରିଛି। ହେଲେ ରାଜ୍ୟରେ ଥିବା ପୁରାତନ ବିଶ୍ବବିଦ୍ୟାଳୟଗୁଡ଼ିକର ସମସ୍ୟା ଲାଗି ରହିଛି। ବିଶ୍ବବିଦ୍ୟାଳୟଗୁଡ଼ିକରେ ବର୍ଷବର୍ଷ ଧରି ପ୍ରାଧ୍ୟାପକ ପଦ ଖାଲିପଡ଼ିଛି। ଏପରିସ୍ଥିତିରେ ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ପାଠପଢ଼ା।
ସୂଚନା ଅନୁସାରେ, ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଏବଂ ପ୍ରାଧ୍ୟାପକଙ୍କୁ ମିଶାଇ ମୋଟ୍ ୨୫୭ ମଞ୍ଜୁରିପ୍ରାପ୍ତ ପଦ ରହିଛି। ହେଲେ ଖାଲିପଡ଼ିଛି ୧୨୯ ପଦ। ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟରେ ମୋଟ୍ ୨୬୭ ମଞ୍ଜୁରିପ୍ରାପ୍ତ ପଦରୁ ୧୫୩, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୧୫୩ ପଦରୁ ୬୨, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୯୬ ପଦରୁ ୮୦, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ୩୮ ପଦରୁ ୧୯, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ
୧୧୫ ପଦରୁ ୭୬, ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ୧୪୪ ପଦରୁ ୭୦, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ୧୩୮ ପଦରୁ ୭୯, ଫକିର ମୋହନ ବିଶ୍ବବିଦ୍ୟାଳୟରେ ୧୧୭ ପଦରୁ ୪୩ଟି ଖାଲି ରହିଛି। ଅନ୍ୟପକ୍ଷରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ କେହି ପ୍ରାଧ୍ୟାପକ ନାହାନ୍ତି। ମୋଟ୍ ମଞ୍ଜୁରି ପ୍ରାଧ୍ୟାପକ ପଦ ୫୦ରୁ ୫୦ଟି ଖାଲି। ଏହାସହ ରାଜ୍ୟର ୧୨ ବିଶ୍ବବିଦ୍ୟାଳୟରେ ୧୭୨୦ ଶିକ୍ଷକ ପଦରୁ ୧୦୦୫ ଏବଂ ୨୬୩୯ ଅଣଶିକ୍ଷକ ପଦରୁ ୧୫୩୪ଟି ଖାଲି ପଡ଼ିଛି।
ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମ ବିବାଦକୁ ନେଇ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବାରୁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ପ୍ରାଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁନି। ଫଳରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ସଂକଟ ଦେଖାଦେଇଛି। ଅନ୍ୟପକ୍ଷରେ ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ଖଲ୍ଲିକୋଟ, ବିକ୍ରମଦେବ ଏବଂ ଧରଣୀଧର ବିଶ୍ବବିଦ୍ୟାଳୟରେ ପଦ ସୃଷ୍ଟି ହୋଇନି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ଜଣେ ବି ପିଏଚଡି ଡିଗ୍ରୀ ହାସଲ କରିନାହାନ୍ତି। ୮ ବର୍ଷ ପରେ ବି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ହୋଇପାରିଲାନି। ଗୋଟିଏ କ୍ୟାମ୍ପସରେ ଯୁକ୍ତ ୨ରୁ ପିଏଚ୍‌ଡି ପର୍ଯ୍ୟନ୍ତ ଛାତ୍ରୀ ପଢ଼ୁଛନ୍ତି। ଏପରିକି ଖେଳ ପଡ଼ିଆ ବି ନାହିଁ। ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପ୍ରାଧ୍ୟାପକ ଅଭାବ ଏବଂ ଭିତ୍ତିଭୂମି ସମସ୍ୟା ଲାଗି ରହିଛି। ତୁରନ୍ତ ଏହାର ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Comments are closed.