ଉଚ୍ଚଜାତିର ପୂଜକ ନିମ୍ନଜାତିର ଲୋକଙ୍କ ପାଇଁ ପୂଜାପାଠ କରିବାକୁ ବାଧ୍ୟ : ଉତ୍ତରାଖଣ୍ଡ ହାଇକୋର୍ଟ

0

ଡେହରାଡୁନ୍‍ : ଉଚ୍ଚଜାତିର ପୂଜକ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ଟି/ଏସ୍‍ସି) ବର୍ଗ ବା ନିମ୍ନଜାତିର ଲୋକଙ୍କ ପାଇଁ ପୂଜାପାଠ କରିବାକୁ ମନା କରିପାରିବେ ନାହିଁ ବୋଲି ଗୁରୁବାର ଉତ୍ତରାଖଣ୍ଡ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ଅର୍ଥାତ ନିମ୍ନଜାତିର ଲୋକଙ୍କ ପାଇଁ ପୂଜାପାଠ କରିବାକୁ ଉଚ୍ଚଜାତିର ପୂଜକ ବାଧ୍ୟ। ଉତ୍ତରାଖଣ୍ଡ ରାଜ୍ୟରେ ଉଚ୍ଚଜାତିର ପୂଜକ ମନ୍ଦିର ଏବଂ ଧାର୍ମିକ ସ୍ଥାନରେ ପର୍ବପର୍ବାଣୀ, ବ୍ରତ ଏବଂ ଉତ୍ସବ ସମୟରେ ନିମ୍ନଜାତିର ଲୋକଙ୍କ ପାଇଁ ପୂଜାପାଠ କରିବାକୁ ମନା କରିପାରିବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ହାଇକୋର୍ଟ ବିଚାରପତି ରାଜୀବ ଶର୍ମା ଏବଂ ଜଷ୍ଟିସ୍‍ ଲୋକପାଳ ସିଂଙ୍କ ଖଣ୍ଡପୀଠ କହିଥିଲେ ଯେ ଜାତିଗତ ନିର୍ବିଶେଷରେ ବିନା ପାତରଅନ୍ତରରେ ସମସ୍ତ ଜାତିର ଲୋକେ ରାଜ୍ୟର କୌଣସି ମନ୍ଦିରରେ ପ୍ରବେଶ କରିପାରିବେ। ସେହିପରି ମନ୍ଦିରର ପୂଜକ ହେବା ପାଇଁ କୌଣସି ଜାତିକୁ ପ୍ରାଧ୍ୟାନ୍ୟ ଦିଆଯିବ ନାହିଁ। କୌଣସି ଜାତିର ଲୋକ ମନ୍ଦିରରେ ପୂଜକ ହୋଇପାରିବେ ଓ ଏହା ଉପରେ ପ୍ରତିବନ୍ଧକ ଲାଗିବ ନାହିଁ। ଜାତି ନିର୍ବିଶେଷରେ ଜଣେ ପ୍ରଶିକ୍ଷିତ ଏବଂ ଶିକ୍ଷିତ ବ୍ୟକ୍ତିଙ୍କୁ ମନ୍ଦିରର ପୂଜକ ଭାବେ ନିଯୁକ୍ତି ଦିଆଯିବ। ୨୦୧୬ରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ଟି/ଏସ୍‍ସି) ବର୍ଗ ପକ୍ଷରୁ ରୁଜୁ ଏକ ଜନସ୍ୱାର୍ଥ ମାମଲର ଶୁଣାଣି ଅବସରରେ ଗୁରୁବାର ଉତ୍ତରାଖଣ୍ଡ ହାଇକୋର୍ଟ ଏହି ଐତିହାସିକ ରାୟ ଦେଇଛନ୍ତି। ଆବେଦକ ତଥା ହରିଦ୍ୱାରର ହରି କି ପୁରୀ ଧର୍ମଶାଳାର ପୃଷ୍ଠପୋଷକ ଧର୍ମଶାଳା ନିକଟରେ ଥିବା ସାଧୁ ରବିଦାସ ମନ୍ଦିରର ଏକ ସୋପାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାହୁଁଥିଲେ। ଏପରି ହେଲେ ଶ୍ରଦ୍ଧାଳୁଙ୍କ ଆଗମନରେ ହ୍ରାସ ଘଟିବ ବୋଲି ଦର୍ଶାଇ ଉଚ୍ଚଜାତିର ଲୋକେ ତାଙ୍କ କଥା ଶୁଣିନଥିଲେ। ହାଇକୋର୍ଟ ଖଣ୍ଡପୀଠ ଆପୋଷ ବୁଝାମଣା ମଧ୍ୟରେ ଏହାର ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ଜୁନ୍‍ ୧୫ରେ ଏହି ପ୍ରସଙ୍ଗ ମାମଲାର ରାୟ ଘୋଷଣା କରାଯାଇଥିଲାବେଳେ ଗୁରୁବାର ପୂଜକ ସମ୍ପର୍କିତ ରାୟ ପ୍ରକାଶ ପାଇଛି।

Leave A Reply