ନ୍ୟୁୟର୍କ: ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ର ପୁରୁଷ ଏକକ ଫାଇନାଲରେ ୨ୟ ସିଡ୍ ନୋଭାକ୍ ଜୋକୋଭିକ୍ ଓ ୩ୟ ସିଡ୍ ଡାନିଲ ମେଡ୍ଭେଡେଭ୍ଙ୍କ ମଧ୍ୟରେ ମୁକାବିଲା ହେବ। ରବିବାର ଏହି ଫାଇନାଲ ମ୍ୟାଚ୍ ଖେଳାଯିବ। ଶୁକ୍ରବାର ରାତିରେ ଖେଳା ଯାଇଥିବା ସେମିଫାଇନାଲରେ ଗତବର୍ଷର ଚମ୍ପିଆନ୍ ତଥା ବିଶ୍ବର ୧ନଂ ଖେଳାଳି ସ୍ପେନ୍ର କାର୍ଲୋସ୍ ଆଲ୍କାରାଜଙ୍କୁ ରୁଷିଆର ଡାନିଲ ମେଡ୍ଭେଡେଭ୍ ପରାସ୍ତ କରିଛନ୍ତି। ଅନ୍ୟ ସେମିଫାଇନାଲରେ ସର୍ବିୟାର ନୋଭାକ୍ ଜୋକୋଭିକ୍ ସହଜରେ ଆମେରିକାର ବେନ୍ ସେଲ୍ଟନଙ୍କୁ ପରାସ୍ତ କରିଛନ୍ତି।
ଟପ୍ ସିଡ୍ କାର୍ଲୋସ୍ ଆଲ୍କାରାଜଙ୍କୁ ୩ୟ ସିଡ୍ ଡାନିଲ୍ ମେଡ୍ଭେଡେଭ୍ ୭-୬, ୬-୧, ୩-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ଫଳରେ ରବିବାର ଫାଇନାଲ ମ୍ୟାଚ୍ ୨୦୨୧ ୟୁଏସ୍ ଓପନ୍ ଫାଇନାଲର ପୁନରାବୃତ୍ତି ହେବ। ୨ ବର୍ଷ ପୂର୍ବେ ଉକ୍ତ ଫାଇନାଲରେ ଜୋକୋଭିକ୍ଙ୍କୁ ପରାସ୍ତକରି ମେଡ୍ଭେଡେଭ୍ ଜୀବନର ଏକମାତ୍ର ଗ୍ରାଣ୍ଡସ୍ଲାମ୍ ଜିତିଥିଲେ। ଜୁଲାଇରେ ୱିମ୍ବଲଡନ୍ ସେମିଫାଇନାଲରେ ମେଡ୍ଭେଡେଭ୍ଙ୍କୁ ଆଲ୍କାରାଜ ପରାସ୍ତ କରିଥିବା ବେଳେ ଏଠାରେ ମେଡ୍ଭେଡେଭ୍ ତା’ର ପ୍ରତିଶୋଧ ନେଇଛନ୍ତି। ରବିବାର ମେଡ୍ଭେଡେଭ୍ଙ୍କ ପଥରୋଧ କରିବାର ପ୍ରୟାସ କରିବେ ନୋଭାକ୍ ଜୋକୋଭିକ୍। ସେମିଫାଇନାଲରେ ଅଣସିଡେଡ୍ ୨୦ ବର୍ଷ ବୟସ୍କ ଆମେରିକାର ବେନ୍ ସେଲ୍ଟନଙ୍କୁ ଜୋକୋଭିକ୍ ପରାସ୍ତ କରିଛନ୍ତି। ଫଳରେ ୧୭ ଥର ୟୁଏସ୍ ଓପନ୍ ଖେଳି ୧୦ମ ଥର ଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିକ୍ ୪ ଥର ୟୁଏସ୍ ଓପନ୍ ଜିତିଛନ୍ତି। ରବିବାର ଫାଇନାଲ ଜିତିଲେ ୩୬ ବର୍ଷ ବୟସ୍କ ଜୋକୋଭିକ୍ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବେ। କୋଭିଡ୍ ଟିକା ନେଇନଥିବାରୁ ଗତବର୍ଷ ୟୁଏସ୍ ଓପନ୍ ଖେଳିନଥିଲେ ଜୋକୋଭିକ୍। ପୁଣି ଜିତିଲେ ଟେନିସ୍ର ଓପନ୍ ଏରାରେ ଜୋକୋଭିକ୍ ବୟୋଜ୍ୟେଷ୍ଠ ଚମ୍ପିଆନ୍ ହେବେ। ୩ୟ ଥର ପାଇଁ ଜୋକୋଭିକ୍ ଗୋଟିଏ ବର୍ଷରେ ୩ୟ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପହଞ୍ଚିଛନ୍ତି। ୟୁଏସ୍ ଓପନ୍ ଜିତିଲେ ଚଳିତବର୍ଷ ଏହା ତାଙ୍କର ୩ୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହେବ।



