ବିପ୍ଳବର ଦୀପଶିଖା ସହିଦ ବାଘା ଯତୀନ
ଅରୁଣ ଜେନା
ଶତ୍ରୁ ଯେତେବେଳେ ଦୁର୍ବଳ, ବ୍ୟସ୍ତ, ବିବ୍ରତ, ଭୀତତ୍ରସ୍ତ, ସେତେବେଳେ ଶତ୍ରୁର ମେରୁଦଣ୍ଡ ଉପରେ ପ୍ରହାର ପରେ ପ୍ରହାର ଦେଇ ଆପଣାର ଅଧିକାର ସ୍ବରାଜ ବା ସ୍ବାଧୀନତା ହାସଲ କରିବା ଅସଲ ମାର୍ଗ ଆଉ ଏକାନ୍ତ ଅପରିହାର୍ଯ୍ୟ ଉପାୟ ବୋଲି ସେଦିନ ଆମ ଦେଶର କ୍ରାନ୍ତିକାରୀ ଯୁବଗୋଷ୍ଠୀ ବେଶ୍ ଭଲଭାବେ ଉପଲବ୍ଧି କରିପାରିଥିଲେ।
ପ୍ରଥମ ବିଶ୍ବଯୁଦ୍ଧର ସେଇ ଘଡ଼ିସନ୍ଧି ମୁହୂର୍ତ୍ତରେ- ବିପ୍ଳବର ବନ୍ଧୁର ପଥରେ-ସଶସ୍ତ୍ର ମୁକ୍ତିସଂଗ୍ରାମ ଜରିଆରେ ବ୍ରିଟିଶ ସାମ୍ରାଜ୍ୟବାଦ କବଳରେ ଥିବା ପରାଧୀନ ଭାରତବର୍ଷ- (ଆମ ଦେଶମାତୃକା)କୁ ମୁକ୍ତ କରିବାଲାଗି ମହାନ ବିପ୍ଳବୀ କ୍ରାନ୍ତିଦ୍ରଷ୍ଟା ନେତୃତ୍ବ ରାସବିହାରୀ ବୋଷ, ବୀର ବାଘାଯତୀନ, ଅରବିନ୍ଦ ଘୋଷ, ମାନବେନ୍ଦ୍ର ନାଥ ରାୟ, ବିପିନ ଗାଙ୍ଗୁଲି, ଯଦୁ ଗୋପାଲ ଭଟ୍ଟାଚାର୍ଯ୍ୟ, ଭି.ଜି ଫିଙ୍ଗଲେ, ଭୂପେଶ ଦତ୍ତ, ବିଶ୍ବନାଥ ପାଣ୍ଡେ, ମହେନ୍ଦ୍ର ସିଂ, କର୍ତ୍ତାର ସିଂ, ବରକତ ଉଲ୍ଲା, ଅରୁର ସିଂ ଓ ମୌଲବୀ ଅବଦୁଲ୍ଲା ପ୍ରମୁଖ ବୀର ଯୋଦ୍ଧାଗଣ-ସଶସ୍ତ୍ର ବିପ୍ଳବର ଗୁପ୍ତ ସୁଦୂର ପ୍ରସାରୀ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ୧୯୧୫ ଫେବୃଆରୀ ୧୫ରେ ଭାରତୀୟ ବିପ୍ଳବୀମାନଙ୍କ ଲାଗି ଜର୍ମାନୀରୁ ପ୍ରେରିତ ୩୦ହଜାରରୁ ଊର୍ଦ୍ଧ୍ବ ବନ୍ଧୁକ, ଗୁଳିଗୋଳା ବୋଝେଇ ମାଭରିକ ଜାହାଜ ସିଙ୍ଗାପୁର ବନ୍ଦର ଓ କଲକାତାର ସୁନ୍ଦରବନ ଉପକୂଳରେ ଲାଗିବ। ସେଥିରୁ ୬/୭ଦିନ ଭିତରେ ଅତ୍ୟନ୍ତ ଗୋପନୀୟତାର ସହ ବ୍ରିଟିଶ ଶାସିତ ଅବିଭକ୍ତ ଭାରତବର୍ଷର ସିଙ୍ଗାପୁରଠାରୁ ସୌରାଷ୍ଟ୍ର ଆଉ ବଙ୍ଗଳାରୁ-ପଞ୍ଜାବ-ପେଶୱାର ଯାଏ, ଲାହୋର, କରାଚୀ, ଦିଲ୍ଲୀ, ମିରଟ୍, କାନପୁର, ହାଇଦରାବାଦ, ବାଲେଶ୍ବର (ଚାନ୍ଦିପୁର), ମାଡ୍ରାସ ଆଦି ସ୍ଥାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ। ଏଭଳି ଘଡ଼ିସନ୍ଧି ସମୟର ଏକ ନିର୍ଦ୍ଧାରିତ ମୁହୂର୍ତ୍ତରେ ଦେଶବ୍ୟାପୀ ସଶସ୍ତ୍ର ବିଦ୍ରୋହର ଯୋଜନା ସେତେବେଳେ ଚୂଡ଼ାନ୍ତ ହୋଇଥିଲା। ତାହା ଥିଲା ୧୯୧୫ ଫେବୃୟାରୀ ୨୧ ମଧ୍ୟରାତ୍ରରୁ ଆରମ୍ଭ ହୋଇ ୨୨ ସକାଳ ସୁଦ୍ଧା ଚାଲୁ ରହିବ। ସେ ସମୟରେ ବ୍ରିଟିଶ ଶାସନତନ୍ତ୍ରୀରେ ପ୍ରମୁଖ ପ୍ରାଣକେନ୍ଦ୍ର କଲକାତାସ୍ଥିତ ‘ଉଇଲିଅମ ଫୋର୍ଟ’ ଦୁର୍ଗ ଉପରେ ୨୧ ମଧ୍ୟରାତ୍ରରେ ଅତର୍କିତ ଆକ୍ରମଣ (ଗରିଲା ପ୍ରଣାଳୀରେ) କରାଯାଇ ତା ଉପରେ ଥିବା ଇଂରେଜଙ୍କ ଇଉନିଅନ୍ ଜ୍ୟାକ୍ ପତାକାକୁ ଓହ୍ଲାଇ ଦେଇ ଭାରତବର୍ଷ ସ୍ବାଧୀନତାର ତ୍ରିରଙ୍ଗା ପତାକାକୁ ଉଡ଼ାଇ ଏ ଦେଶକୁ ସ୍ବାଧୀନ ଘୋଷଣା କରାଯିବ। ତା’ ପୂର୍ବରୁ ଦିଲ୍ଲୀରୁ କଲିକତା ଏବଂ ମାଡ୍ରାସରୁ-କଲିକତା ରେଳପଥ ଓ ସଡ଼କ ପଥକୁ ବୋମା ଦ୍ବାରା ଉଡ଼ାଇ ଦେଇ କଲକାତାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରାଇ ଦିଆଯିବ। ସେଦିନ ଦେଶବ୍ୟାପୀ ଏହି ଦୁର୍ବାର ବୈପ୍ଳବିକ ମୁକ୍ତି ଅଭିଯାନର ମୁଖ୍ୟ ସୂତ୍ରଧର ଥିଲେ ବିପ୍ଳବୀ ବାଘା ଯତୀନ, ରାସବିହାରୀ ବୋଷ, ମହେନ୍ଦ୍ର ସିଂହ, କର୍ତ୍ତାର ସିଂ, ମାନବେନ୍ଦ୍ର ନାଥ ରାୟ ଓ ବିପିନ ଗାଙ୍ଗୁଲି ପ୍ରମୁଖ।
କିନ୍ତୁ ହାୟ! ଏ ଦେଶର ଦୁର୍ଭାଗ୍ୟ ଓ ବିଡ଼ମ୍ବନା ଦୁଃଖିନୀ ଭାରତମାତା ପ୍ରତି-ଭାଗ୍ୟଦେବୀ ସତେ ଯେମିତି ଅପ୍ରସନ୍ନ। ଦୁଇଜଣ ଦୁର୍ବଳମନା ବିପ୍ଳବୀ କୃପାଳ ସିଂହ ଓ ନବାବ ଖାଁ ଖସିଯାଇ ପୁଲିସ ଆଗରେ ସବୁକଥା ପ୍ରକାଶ କରିଦେଲେ। ଫେବୃଆରୀ ୧୯୧୫/୨୧ର ୪ ଦିନ ପୂର୍ବରୁ ଜର୍ମାନରୁ ମାନବେନ୍ଦ୍ର ରାୟଙ୍କ ଦ୍ବାରା ପ୍ରେରିତ ମାଭରିକ ଜାହାଜ ଏବଂ ଜାହାଜରେ ଆସୁଥିବା ବିପୁଳ ଅସ୍ତ୍ରଶସ୍ତ୍ର ବନ୍ଧୁକ ଗୁଳିଗୋଳା ବ୍ରିଟିଶ ପ୍ରଶାସନ ଜବତ କଲା। ଫେବୃଆରୀ ୨୧/୨୨ ଦେଶବ୍ୟାପୀ ବ୍ୟାପକ ବିଦ୍ରୋହ ଯୋଜନା ବ୍ୟର୍ଥ ହୋଇଗଲା। କ୍ରାନ୍ତିକାରୀମାନଙ୍କର ବହୁ ଗୋପନୀୟ ତଥ୍ୟ ଯୋଜନାର ଖୁଲାସା ହୋଇ ଯାଇଥିବାରୁ ବ୍ରିଟିଶ ପୁଲିସର ବ୍ୟାପକ ଖାନତଲାସ, ଗିରଫଦାରୀ ଓ ମିଥ୍ୟା ମକଦ୍ଦମାର ବିଚାର କରାଯାଇ ୧୧୨ରୁ ଊର୍ଦ୍ଧ୍ବ ବିପ୍ଳବୀଙ୍କୁ ଆଜୀବନ କାରାଦଣ୍ଡ, ୧୩ଜଣଙ୍କୁ ଦ୍ବୀପାନ୍ତର- କଳାପାଣି ଏବଂ ୧୨ ଜଣଙ୍କୁ ଫାଶୀ ଖୁଣ୍ଡରେ ଝୁଲାଇ ଦିଆଗଲା। ଅନେକ ବିଦ୍ରୋହୀ-କ୍ରାନ୍ତିକାରୀ ପୁଲିସ୍ ଗୁଳିରେ ପ୍ରାଣ ବିସର୍ଜନ କଲେ। ଚତୁର ରାସବିହାରୀ ବୋଷ ପୁଲିସ ଆଖିରେ ଧୂୂଳିଦେଇ ଖସିଗଲେ ଜାପାନ। ପରବର୍ତ୍ତୀ କାଳରେ ଜାପାନରେ ତାଙ୍କ ଦ୍ବାରା ଗଠିତ -‘ଭାରତୀୟ ସଶସ୍ତ୍ର ମୁକ୍ତି ବାହିନୀ’ ବା ‘ଆଜାଦ ହିନ୍ଦ୍ ଫୌଜ୍’ର ଦାୟିତ୍ବ ଓ ନେତୃତ୍ବ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହସ୍ତରେ ଅର୍ପଣ କରିଥିଲେ।
ଦୂରଦ୍ରଷ୍ଟା ବୀର (ମହାନାୟକ)/ କ୍ରାନ୍ତିଦୂତ ବାଘା ଯତୀନ୍ ଦେଖିଲେ ଯେ ଏତେବଡ଼ ସୁଦୂପ୍ରସାରୀ- ବୈପ୍ଳବିକ ଦୁଃସାହସିକ ଆୟୋଜନ ବିଫଳ ହୋଇଗଲା। ଏହାର ପ୍ରତିବିଧାନ ନ ହେଲେ ଆଗାମୀ ବହୁ ବର୍ଷ ପାଇଁ ଦେଶ ଉଠିପାରିବ ନାହିଁ। ଯେଉଁମାନେ ଫାଶୀ ପାଇଲେ, ସେମାନଙ୍କର ଚରମ ଆତ୍ମତ୍ୟାଗର ଖବର ଲୋକଲୋଚନକୁ ଆସିଲା ନାହିଁ। ଏପରିସ୍ଥଳେ ଲୋକଙ୍କର ମନୋବଳ ଜାଗିବ କେମିତି? ତାହାର ଏକମାତ୍ର ରାସ୍ତା ହେବ ଏବେ ଚରମ ବଳିଦାନ, ଅସୀମ ଆତ୍ମତ୍ୟାଗ, ପ୍ରଚଣ୍ଡ ଦେଶପ୍ରେମ ଓ ଶୌର୍ଯ୍ୟ-ବୀର୍ଯ୍ୟ ସହ ଚରମ ନିର୍ଭୀକତା-ଦୁଃସାହସ ଆଉ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ। ଏବେ ବିପ୍ଳବୀ ଗୋଷ୍ଠୀ ଦେଶପ୍ରାଣ ତଥା ଆତ୍ମ ବଳିଦାନର ଅମ୍ଳାନ ନଜିର ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ। ଆଉ ଆତ୍ମଗୋପନ କରି ରହିଲେ ଏହା ସମ୍ଭବ ହେବନାହିଁ। ଇଂରେଜମାନଙ୍କୁ ଦେଖାଇ ଦେବାକୁ ହେବ- ଭାରତୀୟ ବିପ୍ଳବୀମାନଙ୍କର ଶକ୍ତି, ସାମର୍ଥ୍ୟ, ବୀରତ୍ବ ଓ ଆତ୍ମତ୍ୟାଗର ଅମାପ ପ୍ରାଣ ପ୍ରାଚୁର୍ଯ୍ୟ। ଏହାଦ୍ବାରା ପରାଧୀନତାର ଗ୍ଲାନି, ଅଜ୍ଞତା ଓ ଅନ୍ଧାର ଭିତରେ ଶୋଇ ରହିଥିବା ଭାରତବାସୀଙ୍କୁ ଚେତାଇଦେବାକୁ ହେବ ଯେ, ମାତୃଭୂମିର ମୁକ୍ତିଲାଗି ଏ ମାଟିର ବିପ୍ଳବୀ ଯୁବଗୋଷ୍ଠୀ କ’ଣ କରି ନ ପାରେ?
ତାହା ହିଁ ହେଲା। ବାଘା ଯତୀନ ସ୍ଥିର କଲେ ଯେ-ବ୍ରିଟିଶ ପୁଲିସ ବା ସେନା ବାହିନୀର ସମ୍ମୁଖୀନ ହେବେ। ଏଥିପାଇଁ ସେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସୁଯୋଗ ଅପେକ୍ଷାରେ ରହିଲେ। କିନ୍ତୁ ଏଥିଲାଗି ସେ ଏକ ସୁବିଧାଜନକ ଯୁଦ୍ଧକ୍ଷେତ୍ର ଓ ଆଉ ଟିକିଏ ପ୍ରସ୍ତୁତି ଚାହୁଁଥିଲେ। ସମୟକ୍ରମେ ବାଲେଶ୍ବରଠାରେ ବିପ୍ଳବୀମାନଙ୍କର ଗୋପନୀୟ ଅଫିସ, ଯୋଗାଯୋଗ କେନ୍ଦ୍ର, ଅସ୍ତ୍ରଶସ୍ତ୍ର ରଖିବା ଲାଗି ଗୁପ୍ତସ୍ଥାନ ଓ ତାଲିମ କେନ୍ଦ୍ର ଆଦି ନିମନ୍ତେ ସେ ବାଲେଶ୍ବର ସହରସ୍ଥିତ ମୋତିଗଞ୍ଜ ବଜାର, ଶୈଳେଶ ଦେଙ୍କ ସାଇକେଲ ଷ୍ଟୋର (ଇଉନିଭରସିଆଲ ଏମ୍ପୋରିଅମ)କୁ ସ୍ଥିର କଲେ। ବାଲେଶ୍ବରରୁ ଗ୍ରାମ୍ୟ-ଜଙ୍ଗଲ ଦେଇ ଭାୟା ରେମୁଣା ରାସ୍ତାରେ ସନ୍ନ୍ୟାସୀ ବା ଛଦ୍ମବେଶରେ ରେମୁଣା-ନୀଳଗିରି ଦେଇ ବିପ୍ଳବୀମାନଙ୍କର ଗୋପନୀୟ ଆଡ୍ଡା କପ୍ତିପଦାସ୍ଥ ମନୀନ୍ଦ୍ର ନାଥ ଚକ୍ରବର୍ତ୍ତୀଙ୍କ ବଣଜଙ୍ଗଲ ଘେରା ବଗିଚା, ଶିମିଳିପାଳର ଶମିବୃକ୍ଷ ପାହାଡ଼ର ପାଦଦେଶ, ରେମୁଣା କୁଟପୋଖରୀ ବାବାଜି ହରିଗୋଲାମ୍ ଦାସଙ୍କ କନକଦୁର୍ଗା ମନ୍ଦିର ପରିସରକୁ ସେ ଉପଯୁକ୍ତ ସ୍ଥାନ, ରହଣି, ତାଲିମ ଓ ଗୁପ୍ତ ମନ୍ତ୍ରଣା ପାଇଁ ସ୍ଥିର କରିଥିଲେ। ଦୁର୍ଭାଗ୍ୟବଶତଃ ଦିନେ ସନ୍ନ୍ୟାସୀ ବେଶରେ ବାଘା ଯତୀନ ଓ ତାଙ୍କର ସାଥୀଗଣ ମୋତିଗଞ୍ଜ ବଜାରସ୍ଥିତ ଇଉନିଭରସିଆଲ ଏମ୍ପୋରିଅମରୁ କ’ଣ ଆଲୋଚନା କରି ପ୍ରତ୍ୟାଗମନ କଲା ପରେ ସେଠାରୁ ବ୍ରିଟିଶ ଗୋଇନ୍ଦା ପୁଲିସ ଦ୍ବାରା ପ୍ରାପ୍ତ ‘କପ୍ତିପଦା’ ଉଲ୍ଲେଖ ଥିବା ଏକ ଟୁକୁରା କାଗଜ ସେମାନଙ୍କ ହାତରେ ପଡ଼ିଲା। ତେଣେ ବ୍ରିଟିଶ ପୁଲିସ କମିସନର ଟେର୍ଗାଟେ ସାହେବ ସୁରାକ ପାଇଲେ, ଯେ ବାଘା ଯତୀନ ଓ ତାଙ୍କର ସାଥୀଗଣ ବାଲେଶ୍ବରଠାରୁ କୋଡ଼ିଏ ମାଇଲ ଦୂର କପ୍ତିପଦାରେ ଅଛନ୍ତି। ସେ ସେଠାକାର ଗୁପ୍ତ ଆଡ୍ଡା ଖାନତଲାସ ପାଇଁ ବାହାରିଲେ, ଦଳବଳ ନେଇ ଶତାଧିକ ଗୁର୍ଖା ପୁଲିସ ବଳ ଚାନ୍ଦିପୁରରୁ ସେନା ବାହିନୀ ଓ ବ୍ରିଟିଶ ଫୌଜ ନେଇ। ସେତେବେଳକୁ ସେପ୍ଟେମ୍ବର ୭ ତାରିଖ ଅପରାହ୍ଣ। ବାଘା ଯତୀନ ଓ ତାଙ୍କ ସାଥୀଗଣ ଏ ଖବର ପାଇ-କପ୍ତିପଦା ଛାଡ଼ି ଜଙ୍ଗଲ ରାସ୍ତାରେ ନୀଳଗିରି-ରେମୁଣା ଦେଇ-ବାଲେଶ୍ବର ଇଲାକାର ବୁଢ଼ାବଳଙ୍ଗ କୂଳେକୂଳେ ଅଗ୍ରସର ହେଉଥାନ୍ତି। ହଳଦୀପଦା ରେଳଷ୍ଟେସନ ଦେଇ ବାଲେଶ୍ବରରୁ ବେଙ୍ଗଲ ପଳାୟନ ଉଦ୍ଦେଶ୍ୟରେ। ଘଞ୍ଚ ଜଙ୍ଗଲ ଭିତରେ-ଦୁର୍ଗମ ରାସ୍ତାରେ ୨ ଦିନ ଧରି ଅବିଶ୍ରାନ୍ତ ପଦଯାତ୍ରା, ଭୋକ, ଶୋଷ, ଓପାସ ସାଙ୍ଗକୁ ଝଡ଼ବର୍ଷା ଭିତରେ ପାଦରେ ଚାଲିଚାଲି ସେମାନେ ୯ ତାରିଖ ସକାଳେ ବୁଢ଼ାବଳଙ୍ଗ କୂଳରେ ପହଞ୍ଚିଲେ। ଏଣେ ବାଲେଶ୍ବର ଜିଲା ପ୍ରଶାସନ ଆଗରୁ ପ୍ରଚାର କରିଦେଇଥାନ୍ତି ଯେ ବାଲେଶ୍ବରକୁ କିଛି ବଙ୍ଗାଳୀ ଡକାଏତ ଦଳ ପଶି ଆସିଛନ୍ତି। ବହୁ କଷ୍ଟ ଓ ପ୍ରତିବନ୍ଧକକୁ ସାମନା କରି ବାଘା ଯତୀନ ଓ ତାଙ୍କ ସାଥୀଗଣ ବନ୍ୟାପ୍ଳାବିତ ବୁଢ଼ାବଳଙ୍ଗ ନଦୀ ପହଁରି ପହଁରି ପାର୍ ହୋଇ ତା’ର ଅନତିଦୂର ଚଷାଖଣ୍ଡ ଗ୍ରାମ ନିକଟସ୍ଥ ଦେଶୁଆଁ ପୋଖରୀ ଆଡ଼ି ଧାନବିଲ ମଧ୍ୟରେ ସେମାନଙ୍କର ପଶ୍ଚାଧାବନ କରୁଥିବା ବ୍ରିଟିଶ ଫୌଜ ସହ ସାମ୍ନାସାମ୍ନି ହେଲେ।
ସଙ୍ଗେସଙ୍ଗେ ସେନାପତି ବାଘା ଯତୀନ ଆଉ କାଳବିଳମ୍ବ ନକରି ଆହ୍ବାନ ଦେଲେ, ‘ରେଡି ଟୁ ଫାୟାର-ବନ୍ଦେ ମାତରମ-ଭାରତ ମାତା କି ଜୟ’ ଗୁଡମ୍ ଗୁଡମ୍ ଶବ୍ଦରେ ସାରା ଇଲାକା କମ୍ପିଗଲା। ଧୂଳି ଧୂଆଁ ଓ ନିଆଁରେ ସମଗ୍ର ଦିଗ୍ବଳୟ ଭରିଗଲା। ଦେଶୁଆଁ ପୋଖରୀ କୂଳର ଶାନ୍ତ ସବୁଜ-ଜଙ୍ଗଲ ପରିବେଶ ସତେ କି ମହାଭାରତର ରଣକ୍ଷେତ୍ର ପାଲଟିଗଲା। ସକାଳଠାରୁ ଅପରାହ୍ଣ ଯାଏ ବ୍ରିଟିଶ ଫୌଜ ସହ ଭାରତମାତାର ପଞ୍ଚବିପ୍ଳବୀ-ବାଘା ଯତୀନ, ଚିତ୍ତପ୍ରିୟ, ମନୋରଞ୍ଜନ, ନୀରେନ୍ ଓ ଯତୀଶ ପାଲଙ୍କ ସହ ଘମାଘୋଟ ଲଢ଼େଇ ଚାଲିଲା। ବିପ୍ଳବୀମାନଙ୍କ ଗୁଳିରେ ବହୁ ଇଂରେଜ ସେନା ମୃତାହତ ହେଲେ। ସ୍ବଳ୍ପ ଗୁଳିଗୁଳା ସାହାଯ୍ୟରେ ଶତାଧିକ ଫିରିଙ୍ଗି ଫୌଜଙ୍କ ସହ ଯୁଦ୍ଧ କରିବା ଆଉ ସମ୍ଭବ ହେଲାନାହିଁ। ଚଷାଖଣ୍ଡ ଯୁଦ୍ଧରେ ବିପ୍ଳବୀ ରାୟ ଚୌଧୁରୀ ଶତ୍ରୁଙ୍କ ଗୁଳିରେ ଟଳି ପଡ଼ିଲେ। ଗୁରୁତର ଆହତ ବାଘା ଯତୀନଙ୍କ ସମେତ ସମସ୍ତଙ୍କୁ ଗିରଫ କରି ବ୍ରିଟିଶର ଟେଗାର୍ଟ ସାହେବ ସମସ୍ତଙ୍କୁ ବାଲେଶ୍ବର ସହର ବାରବାଟୀସ୍ଥିତ ମଲିଟାରୀ ଡାକ୍ତରଖାନାକୁ ପଠାଇ ଦେଲେ। ସେଠାରେ ଡାକ୍ତରମାନଙ୍କ ଉଦ୍ୟମ ଯୋଗୁଁ ବାଘାଯତୀନ ସୁସ୍ଥ ହୋଇଥିଲେ ମଧ୍ୟ ପରଦିନ ତାଙ୍କର ଯେତେବେଳେ ଚେତା ଫେରିଲା- ସେ ଚିତ୍କାର କରି ଉଠିଲେ- ‘ମୋ ଦେହର ପ୍ରତିଟି ରକ୍ତବିନ୍ଦୁ ଭାରତମାତାର ଚରଣ କମଳରେ ନିବେଦିତ ହେବା ଉଚିତ। ସଙ୍ଗେସଙ୍ଗେ ସେ ତାଙ୍କ ଶରୀରରେ ବନ୍ଧା ହୋଇଥିବା ବ୍ୟାଣ୍ଡେଜ ସବୁକୁ ଫିଟାଇ ଚିରି ଛିଣ୍ଡାଇଦେଲେ- ଅଜସ୍ର ରକ୍ତସ୍ରାବ ହେଲା ତାଙ୍କ ଦେହରୁ, ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଆଉ ବଞ୍ଚାଇ ରଖିବା ସମ୍ଭବ ହେଲାନାହିଁ। ସେଦିନ ୧୯୧୫ ସେପ୍ଟେମ୍ବର ୧୦ ପ୍ରଭାତରେ ସେଇ ମହାନ୍ ବୀରଙ୍କର ଶରୀର ଦେଶମାତୃକାର ଶୃଙ୍ଖଳିତ ଚରଣରେ ଲୋଟି ପଡ଼ିଲା। ସେ ହେଲେ ଅମର ସହିଦ ଇତିହାସରେ ବିପ୍ଳବୀ ବୀର ଅଗ୍ନିପୁତ୍ର ବିପ୍ଳବୀ ବାଘା ଯତୀନ। ପରେ ବିଚାର ହୋଇ ନରେନ୍ ଓ ମନୋରଞ୍ଜନଙ୍କୁ ରାଷ୍ଟ୍ରଦ୍ରୋହ ଅପରାଧରେ ୧୯୧୬ ନଭେମ୍ବରରେ ବ୍ରିଟିଶ ସରକାର ବାଲେଶ୍ବର ଜେଲ୍ରେ ଫାଶୀ ଦେଇଥିଲେ। ଯତୀଶ ପାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇ ଆଣ୍ଡାମାନ ନିକୋବର କଳାପାଣି ପଠାଯାଇଥିଲା। ପରେ ୧୯୩୦ରେ ବ୍ରହ୍ମପୁର ଜେଲରେ ପ୍ରାଣତ୍ୟାଗ କରିଥିଲେ।
ଏହା ହିଁ ଥିଲା ବାଘା ଯତୀନ ଓ ତାଙ୍କ ସାଥୀଗଣଙ୍କର ବ୍ରିଟିଶ ଫୌଜ ସହ ସମ୍ମୁଖ ସମର ଭୂଇଁରେ ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ବଳିଦାନର କାହାଣୀ। ଯାହା ବିପ୍ଳବର ଅନିର୍ବାଣ ଦୀପଶିଖା ଭାବେ ପରବର୍ତ୍ତୀ କାଳରେ ସହିଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ୍ ଓ ଆସଫାକୁଲା ଖାଁ ଆଦିଙ୍କ କ୍ରାନ୍ତିକାରୀ ବିଦ୍ରୋହ, ୧୯୩୦ ସୂର୍ଯ୍ୟସେନଙ୍କ ଚଟ୍ଟଗ୍ରାମ ବିଦ୍ରୋହଦେଇ ଗତି କରି ପରିଶେଷରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦ ଫୌଜର ଦୁର୍ଦ୍ଧର୍ଷ ଦୁର୍ବାର ‘ଦିଲ୍ଲୀ ଚଲୋ’ ପାଇଁ ପ୍ରେରଣାର ଉତ୍ସ ହୋଇ ଦେଶରେ ସାମରିକ ବିଦ୍ରୋହ ଓ ନୌବିଦ୍ରୋହ ଆଦି ଅନେକ ସଶସ୍ତ୍ର ସଂଗ୍ରାମର ରାସ୍ତାଦେଇ ଭାରତବର୍ଷ ସ୍ବାଧୀନତାପ୍ରାପ୍ତିର ପଥକୁ ସୁଗମ କରିଥିଲା। ବାସ୍ତବିକ ସେଦିନ ବିପ୍ଳବୀ ବାଘା ଯତୀନଙ୍କ ଉକ୍ତି ଓ କଥାକୁ ‘ଆମ୍ରା ମର୍ବୋ-ଭାରତ-ଜାଗ୍ବୋ’ ଦମ୍ଭୋକ୍ତିକୁ ସେ ନିଜେ ନିଜର ଜୀବନ ଓ ସଂଗ୍ରାମ ଦ୍ବାରା ଆମଠାରେ ପ୍ରମାଣିତ କରି ଚାଲିଯାଇଛନ୍ତି। ସେଇ ବୀରଗଣଙ୍କୁ ଆମର ଶତ ସଲାମ, କୋଟି ପ୍ରଣାମ।
Comments are closed.