ଜାଣିଛନ୍ତି? ଏମାନେ ସବୁ ନିରୀଶ୍ବରବାଦୀ
ଗଙ୍ଗାଧର ସାହୁ
ପୃଥିବୀର ସମଗ୍ର ରାଷ୍ଟ୍ର ସଂଖ୍ୟା ୧୯୫। ପୃଥବୀର ସମଗ୍ର ଜନସଂଖ୍ୟା ପାଖାପାଖି ୮୦୦ କୋଟି। ସେହିପରି ସମୁଦାୟ ଧର୍ମ ସଂଖ୍ୟା ୪,୩୦୦ ଥିବାବେଳେ ମାତ୍ର ୧୨ଟି ପ୍ରଧାନ ଧର୍ମ ରହିଛି। ତେବେ ସମଗ୍ର ଈଶ୍ବରଙ୍କ ସଂଖ୍ୟା କେତେ? ଏହା ଉତ୍ତର ହେଲା କାହା ପାଇଁ ଏକ ତ- କାହା ପାଇଁ ଅନେକ। କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଏଭଳି କେତେ ଲୋକ ଅଛନ୍ତି ଯାହାଙ୍କ ପାଇଁ ଈଶ୍ବର ସଂଖ୍ୟା ଶୂନ ବା ଈଶ୍ବର ଅଛନ୍ତି କି ନାହାନ୍ତି ସେମାନେ ତା ବାବଦରେ ଚିନ୍ତା କରନ୍ତି ନାହିଁ। ସମଗ୍ର ପୃଥିବୀରେ ଏଭଳି ଲୋକମାନଙ୍କ ସଂଖ୍ୟା ପାଖାପାଖି ୫କୋଟି ଯାହାକି ସମଗ୍ର ଜନସଂଖ୍ୟାର ଶତକଡ଼ା ସାତ। ଏମାନଙ୍କୁ ନିରୀଶ୍ବରବାଦୀ କୁହାଯାଏ। ଏମାନେ ଈଶ୍ବରବିଶ୍ବାସୀ ନହେଲେ ମଧ୍ୟ ମାନବବାଦୀ ଅଟନ୍ତି। ମାନବବାଦୀ ଓ ମାନବିକତାବାଦୀ ଏକା ନୁହେଁ। ଈଶ୍ବରବାଦୀ ଓ ନିରୀଶ୍ବରବାଦୀ ଉଭୟ ଗୋଷ୍ଠୀ ମଧ୍ୟରେ ମାନବିକତାବାଦୀ ଥାଇପାରନ୍ତି କିନ୍ତୁ ନିରୀଶ୍ବରବାଦୀମାନେ ହିଁ ମାନବବାଦୀ। ଈଶ୍ବରବାଦୀମାନେ ନର୍କ, ସ୍ବର୍ଗ, ମର୍ତ୍ତ୍ୟ, ପାତାଳ, ଧର୍ମ, ଈଶ୍ବର, ଭାଗ୍ୟ ଭଗବାନ, ପୂର୍ବଜନ୍ମ, ପରଜନ୍ମ, ଆଧ୍ୟାତ୍ମିକତା, ଅଲୌକିକତା, ଆତ୍ମା, ପରମାତ୍ମା, ଈଶ୍ବରଙ୍କ ଲୀଳା ଅବତାର ଏବଂ ଚମତ୍କାର ଇତ୍ୟାଦିରେ ବିଶ୍ବାସ କରୁଥିବାବେଳେ ମାନବବାଦୀମାନେ ମାନବଜାତିର ମଙ୍ଗଳ, ମାନବ ଦ୍ବାରା ମଙ୍ଗଳ, ସୁସ୍ଥ, ସଭ୍ୟ, ନ୍ୟାୟିକ ସମାଜ ଉପରେ ବିଶ୍ବାସ କରନ୍ତି। ସେମାନେ ଈଶ୍ବରଙ୍କ ଭୂମିକା ବଦଳରେ ମାନବର ଭୂମିକା ଉପରେ ଗୁରୁତ୍ବ ଦିଅନ୍ତି। ସଂକ୍ଷେପରେ କହିବାକୁ ଗଲେ ଈଶ୍ବରବାଦୀମାନେ ଈଶ୍ବର କୈନ୍ଦ୍ରିକ ଓ ନିରୀଶ୍ବରବାଦୀମାନେ ମାନବ କୈନ୍ଦ୍ରିକ। କିନ୍ତୁ ସାଧାରଣରେ ଏକ ଧାରଣା ଥାଏ ଯେ ଈଶ୍ବରବାଦୀମାନେ ଭଲ କାହିଁକି ନା ସେମାନଙ୍କର ଭଗବାନଙ୍କୁ ପ୍ରବଳ ଭୟ ଓ ଭକ୍ତି ଥାଏ। ତେଣୁ ସେମାନେ ଭଗବାନଙ୍କୁ ଡରି ଖରାପ କାମ କରନ୍ତି ନାହିଁ। ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ କି ତଥ୍ୟ ଭିତ୍ତିକ ନୁହେଁ। କାରଣ ଜେଲ୍ରେ ଯେତେଜଣ କଏଦୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଶତକଡ଼ା ୯୯.୯ ଭାଗ ହେଉଛନ୍ତି ଈଶ୍ବରବିଶ୍ବାସୀ କିନ୍ତୁ ବିଭିନ୍ନ ଅପରାଧ ପାଇଁ ଜେଲ୍ରେ। କୁହନ୍ତୁ ଏମାନେ ସବୁ ଭଲଲୋକ କି? ଅପରପକ୍ଷେ ନିରୀଶ୍ବରବାଦୀମାନେ ଈଶ୍ବରଙ୍କୁ ନ ଡରିଲେ ମଧ୍ୟ ଆଇନକୁ ଡରନ୍ତି। ଏମାନେ ଈଶ୍ବରଙ୍କ ସ୍ଥାନରେ ମନୁଷ୍ୟ, ନୀତି, ନିୟମ ଓ ନ୍ୟାୟକୁ ରଖି ଜୀବନ ନିର୍ବାହ କରନ୍ତି। ଏହା ମଧ୍ୟ ସତ୍ୟ ନୁହେଁ ଯେ ସବୁ ନିରୀଶ୍ବରବାଦୀମାନେ ଦୟାଶୀଳ ଓ ନୀତିବାନ, କର୍ତ୍ତବ୍ୟପରାୟଣ ଓ ଭଦ୍ରଲୋକ। ଦୁନିଆରେ ଏମିତି କେତେ ନିରୀଶ୍ବରବାଦୀ ଅଛନ୍ତି ଯେଉଁମାନଙ୍କ ବାବଦରେ ଜାଣିଲେ ଲୋକଙ୍କର ଧାରଣା ବଦଳିପାରେ।
ନିରୀଶ୍ବରବାଦୀଙ୍କ ମଧ୍ୟରେ ରାଜନେତା, ରାଷ୍ଟ୍ରନେତା, ଅଭିନେତା, ଦାର୍ଶନିକ,କବି, ଲେଖକ, ବୈଜ୍ଞାନିକ, ସମାଜ ସଂସ୍କାରକ, ଶିକ୍ଷକ, ଡାକ୍ତର, ଗୃହିଣୀ, ନୋବେଲ ପ୍ରାଇଜ୍ ବିଜେତା ଅଛନ୍ତି। ଯେଉଁ ନିରୀଶ୍ବରବାଦୀମାନେ ଜୀବନରେ ପ୍ରଗତିର କିଛି ସୋପାନ ଚଢ଼ିଛନ୍ତି ବା ଶିଖର ସୋପାନରେ ପହଞ୍ଚିଛନ୍ତି ସେମାନଙ୍କ ବାବଦରେ ଆଲୋଚନା କଲେ ସାଧାରଣ ପାଠକ ଆଲୋଚନା ବା ସମାଲୋଚନା କରି ନିଜର ମତ ରଖିପାରିବେ। ଭାରତର ବିଶିଷ୍ଟ ନିରୀଶ୍ବରବାଦୀଙ୍କ ତାଲିକା ଦେଖିବା। ସେହି ଜଣାଣୁଣା ବ୍ୟକ୍ତିଙ୍କ ମଧ୍ୟରେ ସ୍ବାମୀନାଥାମ ଆୟାର, ଜାଭେଦ୍ ଅଖତାର୍, ଫରହାନ ଅଖତାର୍, ଭୀମ ରାଓ ଆମ୍ବେଦକର, ଏ.କେ.ଆଣ୍ଟୋନୀ, ଜ୍ୟୋତି ବାସୁ, ନରେନ୍ଦ୍ର ଧାବୋଲକର, ସାନାଲ ଏଡ୍ ମାର୍କୁ, ପ୍ରେମାନନ୍ଦ, ଗୋରା, ବୀରମଣି, ଧନେଶ୍ବର ସାହୁ, ନନ୍ଦିତା ଦାସ, ମଣିରତ୍ନମ, ଖୁସ୍ବୁ, କିରଣ ରାଓ, ଜର୍ଜ ଫଡ୍ନାଡିସ୍, ଇନ୍ଦ୍ରଜିତ୍ ଗୁପ୍ତା, କମଲ ହାସନ, ଏ.ଟି.କାଭୁର, ସହିଦ୍ ଭଗତ୍ ସିଂହ, ରାମ୍ ଗୋପାଳ ବର୍ମା, ବାଇଚୁଙ୍ଗ ଭୂତିଆ ଅନ୍ତର୍ଭୁକ୍ତ। ଟିଭି ପରଦାର ତାରକା ବା ଚଳଚ୍ଚିତ୍ର ଜଗତର ତାରକାମାନଙ୍କୁ ସାଧାରଣ ଲୋକ ବିଶେଷତଃ ଚିହ୍ନିଥାନ୍ତି। ତେବେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ତିନି ଜଣଙ୍କ କଥା ଆଲୋଚନା କରିବା। ଜଣେ ହେଲେ ମିଷ୍ଟର ବିନ୍। ତାଙ୍କୁ କିଏ ନ ଜାଣେ? ଫେସ୍ବୁକ୍, ଭିଡିଓ, ୟୁଟୁବ୍ ବା ବଡ଼ ସିନେମାରେ ମିଷ୍ଟର ବିନ୍ ଜଣେ ହାସ୍ୟ କଳାକାର। ତାଙ୍କର ପ୍ରକୃତ ନାମ ରୋଆନ୍ ଆଟକିନ୍ସନ୍। ସେ ବିବାହ କରିଥିଲେ ଜଣେ ଆଙ୍ଗ୍ଲୋ ଇଣ୍ଡିଆନ୍ଙ୍କୁ, ଯାହାଙ୍କର ନାମ ଥିଲା ସୁନେତ୍ରା ଶାସ୍ତ୍ରୀ। ସୁନେତ୍ରା ଶାସ୍ତ୍ରୀଙ୍କର ବାପା ଥିଲେ ଭାରତୀୟ ଓ ମା ଥିଲେ ଇଂରେଜ। ମିଷ୍ଟର ବିନ୍ ଓ ସୁନେତ୍ରା ଶାସ୍ତ୍ରୀଙ୍କର ଔରସରୁ ଜାତ କନ୍ୟାର ନାମ ଥିଲା ଲିଲି ଶାସ୍ତ୍ରୀ। ମିଷ୍ଟର ବିନ୍ଙ୍କ ପ୍ରସିଦ୍ଧି ଓ ଖ୍ୟାତି ଏତେ ଯେ ତାଙ୍କ ସମ୍ବନ୍ଧରେ କହିବା ଅନାବଶ୍ୟକ। ସେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଯେତିକି ମହାନ ଥିଲେ ବିଚାର ଧାରାରେ ମଧ୍ୟ ସେତିକି ଉଚ୍ଚକୋଟୀର ଥିଲେ। ହାସ୍ୟ ଜଗତର ଆଉ ଏକ ତାରକା ହେଲେ ମିଷ୍ଟର ଚାର୍ଲି ଚାପ୍ଲିନ୍। ତାଙ୍କର ଶରୀରର ଅଙ୍ଗଭଙ୍ଗୀ କଥା କହେ ଓ ଦର୍ଶକ ହସିହସି ବେଦମ ହୁଅନ୍ତି। ବିଚାରଧାରାରେ ସେ ଜଣେ ନିରୀଶ୍ବରବାଦୀ ଯିଏ କହନ୍ତି ‘ମୋର ସାଧାରଣ ଜ୍ଞାନରୁ ମୁଁ ଈଶ୍ବରଙ୍କୁ ବିଶ୍ବାସ କରେ ନାହିଁ।’
ଆଉ ଜଣେ ପ୍ରଖ୍ୟାତ ସିନେ ତାରକା ଯିଏ ହଲିଉଡ୍ର ସବୁଠାରୁ ଦାମୀ ହିରୋଇନ୍ ଯାହାକୁ ହଲିଉଡ୍ ସିନେମାର ନୀଳନୟନା କୁହାଯାଏ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି- ‘ଆଞ୍ଜେଲିନା ଜୋଲି’ । ସେ କହନ୍ତି ‘ମୋ ପାଇଁ ଈଶ୍ବରଙ୍କ ଆବଶ୍ୟକତା ପଡ଼ିନାହିଁ’ ଅଥଚ ଏହି ହିରୋଇନ୍ ଜଣଙ୍କ ବଡ଼ ହୃଦୟବାନ୍, ସେଥିପାଇଁ ପୃଥିବୀ ସାରା ଶରଣାର୍ଥୀମାନଙ୍କ ଥଇଥାନ ଓ ମାନବିକ ଅଧିକାର ସୁରକ୍ଷା ପାଇଁ ୧୦୦ କୋଟି ଟଙ୍କା ଦାନ କରିବା ସହିତ ନିଜେ ‘ୟୁନାଇଟେଡ୍ ନେସନ୍ ହାଇ କମିସନ ଫର୍ ରିଫ୍ୟୁଜି’ର ଆମ୍ବାସାଡର ଭାବେ ମାଗଣାରେ କାମ କରନ୍ତି। କ୍ରୀଡ଼ା ଜଗତର ମାର୍ଶାଲ ଆର୍ଟରେ ଶୀର୍ଷରେ ପହଞ୍ଚିଥିବା ‘ବ୍ରୁସ୍ ଲି’ଙ୍କୁ କିଏ ନ ଜାଣେ? ତାଙ୍କ ବାପା ମା ହଙ୍ଗ୍କଙ୍ଗ୍ରୁ ଆସି ଆମେରିକାର କାର୍ଲିଫର୍ଣ୍ଣିଆର ଚାଇନାଟାଉନରେ ରହୁଥିଲେ। ସେହିଠାରେ ବ୍ରୁସ୍ ଲି ଙ୍କର ଜନ୍ମ। ତାଙ୍କ ଉପରେ ତାଓ ଧର୍ମ, ବୌଦ୍ଧ ଧର୍ମ ଓ ଜିଡୁ କ୍ରିଷ୍ଣମୂର୍ତ୍ତିଙ୍କର ପ୍ରଭାବ ପଡ଼ିଥିଲା। ୧୯୭୨ ମସିହାରେ ଯେତେବେଳେ ତାଙ୍କୁ ଈଶ୍ବରଙ୍କ ବାବଦରେ ପଚରାଗଲା ‘ବ୍ରୁସ୍ ଲି’ କହିଲେ ‘ସତରେ ମୁଁ ଜାଣିନି’। ଏହି ମହାନ ସମର ଯୋଦ୍ଧାଙ୍କର ‘ବ୍ରୁସ୍ ଲି ଫାଉଣ୍ଡେସନ୍’ ଆମେରିକାର ୭୦,୦୦୦ ପିଲାଙ୍କ ପାଇଁ ମାର୍ଶାଲ ଆର୍ଟ ଶିକ୍ଷା ପାଇଁ ଦାନ ଦେଇ ଆସୁଛି। ଏବେ ଆସନ୍ତୁ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଦୁନିଆକୁ ଯିବା। ଆପଣ ନିଶ୍ଚିତ ଜାଣି ଆଶ୍ଚର୍ଯ୍ୟ ହେବେ, ଯେ କମ୍ପ୍ୟୁଟର ଉଦ୍ଭାବକ ମିଷ୍ଟର ଆଲାନ୍ ଟୁରିଙ୍ଗ ଜଣେ ନିରୀଶ୍ବରବାଦୀ ସମଲିଙ୍ଗୀ। ମାଇକ୍ରୋସଫ୍ଟ ଉଇଣ୍ଡୋର ନିର୍ମାତା ବିଲ୍ ଗେଟ୍ସ ମଧ୍ୟ ଜଣେ ନିରୀଶ୍ବରବାଦୀ। ସେହିପରି ଇଣ୍ଟରନେଟ ‘ www’କୁ ଯିଏ ଆପଣଙ୍କୁ ଅବଦାନ ଦେଇଛନ୍ତି ତା’ର ନିର୍ମାତା- ମିଷ୍ଟର ଟିମ୍ ବର୍ଣ୍ଣର ଲି ମଧ୍ୟ ଜଣେ ନିରୀଶ୍ବରବାଦୀ। ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି ଫେସବୁକ୍ର ମାଲିକ ଓ ନିର୍ମାତା ମିଷ୍ଟର ‘ଜୁକରବର୍ଗ’ ମଧ୍ୟ ଜଣେ ନିରୀଶ୍ବରବାଦୀ। କିନ୍ତୁ ଚାଇନାର ଝିଅ ପିସିଲିୟା ଚାନ୍ଙ୍କୁ ବିବାହ କଲା ପରେ ପୋପ୍ ଫ୍ରାନ୍ସିସ୍ଙ୍କୁ ସାକ୍ଷାତ୍ କରି ବିଭିନ୍ନ ଧର୍ମର ମହାନତା, ଉଦାରତା ଓ ଦୟାର ସନ୍ଦେଶକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବେ ବୋଲି କହିଥିଲେ- ଏହି କମ୍ପ୍ୟୁଟର ଦୁନିଆର ମହାନ ଉଦ୍ଭାବକମାନେ ସମଗ୍ର ବିଶ୍ବକୁ ଯୋଡ଼ିବାରେ ଯେତିକି ସାହାଯ୍ୟ କରିଛନ୍ତି ବିଶ୍ବ ମାନବ କଲ୍ୟାଣ ପାଇଁ ସେମାନଙ୍କର ଅବଦାନ ତା’ ଠାରୁ ଅଧିକ।
ବିଲ୍ ଗେଟ୍ସ ଓ ତାଙ୍କ ସ୍ତ୍ରୀ ମିଲିଣ୍ଡା ଗେଟ୍ସ ନାମରେ ବିଲ୍ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପ୍ରତିଷ୍ଠା କରି ବିଶ୍ବ କଲ୍ୟାଣ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ପରିଚ୍ଛନ୍ନତା, ପ୍ରଯୁକ୍ତିବିଦ୍ୟା, ମାନସିକ ରୋଗର ଚିକିତ୍ସା ନିମନ୍ତେ କୋଟିକୋଟି ଟଙ୍କା ଦାନ କରିଚାଲିଛନ୍ତି। ଏହିଠାରେ ପାଠକମାନଙ୍କୁ ଜଣାଇବା ଉଚିତ୍ ମନେକରୁଛି ଯେ ଭାରତ ତଥା ପୃଥିବୀରୁ ପୋଲିଓ ମୂେଳାତ୍ପାଟନ କରିବାରେ ଯାହାଙ୍କର ଅବଦାନ ରହିଛି ସେ ଆଉ କେହି ନୁହନ୍ତି ସେ ମିଷ୍ଟର ବିଲ୍ ଗେଟ୍ସ। ଏକଦା ବିଶ୍ବର ସର୍ବଶ୍ରେଷ୍ଠ ଧନୀ ଥିବା ଏହି ଦମ୍ପତି ତିନି ପିଲାଙ୍କ ନାମରେ ମାତ୍ର ୩୦ ମିଲିୟନ ଡଲାର ରଖି ବାକି ସମଗ୍ର ଆୟଙ୍କୁ ଜଗତ କଲ୍ୟାଣରେ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ମାନେ ନିଜ ପାଇଁ ଶତକଡ଼ା ୧ଭାଗ ଓ ଜଗତ ପାଇଁ ଶତକଡ଼ା ୯୯ଭାଗ। ବିଲ ଗେଟ୍ସଙ୍କ ଭଳି ବଦାନ୍ୟ, ଦୟାବାନ, ପରୋପକାରୀ, ମାନବବାଦୀ, ସରଳ, ଅମାୟିକ ବ୍ୟକ୍ତି ମିଳିବା ବିରଳ। ସେହିପରି ଫେସବୁକର ମାଲିକ ଜୁକର ବର୍ଗ ମଧ୍ୟ ପତ୍ନୀ ପିସିଲିଆ ଚାନ, କନ୍ୟା ମାକ୍ସ ଓ ଅଗଷ୍ଟଙ୍କୁ ନେଇ ଗୋଟିଏ ସୁଖୀ ପରିବାର ଗଢ଼ିଛନ୍ତି। କିନ୍ତୁ ତାଙ୍କର ଫେସବୁକ୍ ପରିବାର ବିଶ୍ବର ସବୁଠୁ ବଡ଼ ଅନ୍ଲାଇନ୍ ପରିବାର। ଜୁକର ବର୍ଗ, ବିଲ୍ ଗେଟ୍ସଙ୍କ ଭଳି ଗୋଟିଏ ଜନ କଲ୍ୟାଣକାରୀ ଅନୁଷ୍ଠାନ ‘ଜୁକରବର୍ଗ ଚାନ୍ ଇନିସିଏଟିଭ’ ନାମରେ ଗଢ଼ିଛନ୍ତି। ୨୦୧୫ ମସିହାରେ ଜୁକରବର୍ଗ ଘୋଷଣା କଲେ ଯେ ଫେସ୍ବୁକ୍ ସେୟାରର ଶତକଡ଼ା ୯୯ ଭାଗ ଜନ କଲ୍ୟାଣରେ ବିନିଯୋଗ କରିବେ। ଏହି ଦମ୍ପତି ପୁଲିସ, ଏଡ୍ସ ଓ ଆଫ୍ରିକାର ଇବୋଲା ଭଳି ରୋଗର ନିରାକରଣ ନିମନ୍ତେ ମୁକ୍ତ ହସ୍ତରେ ଲକ୍ଷଲକ୍ଷ ଡଲାର ଦାନ କରୁଛନ୍ତି। ଆଫ୍ରିକା ମହାଦେଶ ଓ ଚାଇନାରେ ଜୁକର୍ବର୍ଗଙ୍କ ଜନ ହିତକର କାମ ପାଇଁ ଲୋକମାନେ ତାଙ୍କୁ ହିଁ ଭଗବାନ ମାନ୍ୟତା ଦେଇଥାନ୍ତି। ଆମେରିକାର ଆଉ ଜଣେ ନିରୀଶ୍ବରବାଦୀ ଧନୀ କୋଟିପତି ମିଷ୍ଟର ୱାରେନ୍ ବଫେଟ। ଜଣେ ସଫଳ ବ୍ୟବସାୟୀ ଓ ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାରେ ସ୍ଥାନ ପାଇ ମଧ୍ୟ ଏହି ମହାନ ବ୍ୟକ୍ତି ଜଣଙ୍କ ନିଜର ପିଲାମାନଙ୍କ ପାଇଁ ସମ୍ପତି ଗଚ୍ଛିତ ନ କରି ଶତକଡ଼ା ୮୩ଭାଗ ସମାଜ କଲ୍ୟାଣ ପାଇଁ ‘ବଫେଟ ଫାଉେଣ୍ଡସନ’କୁ ଦାନ କରିଦେଇ ଦେହତ୍ୟାଗ କରିଛନ୍ତି। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଅନେକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିରୀଶ୍ବରବାଦୀ।
କିନ୍ତୁ ଯଦି ଆଇନ୍ ଷ୍ଟାଇନ୍, ଚାର୍ଲସ ଡାରଉଇନ୍, ଷ୍ଟିଭେନ୍ ହକିଙ୍ଗ୍ସ ଓ ଥୋମାସ ଆଲ୍ଭା ଏଡିସନଙ୍କ ନାମ ନିଆଯାଏ ତେବେ ସାଧାରଣ ପାଠକ ବିବର୍ତ୍ତନବାଦ ବିଦ୍ୟୁତ ବଲ୍ବ ଓ ଗ୍ରାମଫୋନର ଉଦ୍ଭାବନ ଓ ବ୍ଲାକ୍ ହୋଲ ରାଡିଏସନ୍ କଥା ମନେପକାଇବେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏ ସମସ୍ତେ ମଧ୍ୟ ନିରୀଶ୍ବରବାଦୀ। ଥୋମାସ୍ ଆଲଭା ଏଡିସନ୍ ବିଦ୍ୟୁତ୍ ବଲ୍ବ ଉଦ୍ଭାବନ କରି କେବଳ ଆଲୋକ ଦେଇନଥିଲେ ବରଂ ଜ୍ଞାନ ଆଲୋକ ଦେଇ ଅନ୍ଧକାର ଦୂରେଇ ଦେଇଥିଲେ। ଏଡିସନ୍ ଜଣେ ଶାକାହାରୀ ବ୍ୟକ୍ତି ଥିଲେ ଯିଏ କହୁଥିଲେ ‘ମୁଁ ଭଗବାନ କ’ଣ ଜାଣିନାହିଁ, ପ୍ରକୃତି ଆମକୁ ଜନ୍ମ ଦେଇଛି ଏବଂ ସେହି ପ୍ରକୃତିକୁ ଫେରିଯିବା। ବ୍ୟକ୍ତିଗତ ଈଶ୍ବର କହିଲେ ମତେ ପ୍ରମାଣ, ପ୍ରମାଣ ଆଉ ପ୍ରମାଣ ଦରକାର।’ ଅପରପକ୍ଷେ ନିରୀଶ୍ବରବାଦୀ ତାଲିକାରେ ହିଟ୍ଲର୍, ଷ୍ଟାଲିନ୍, ନେପୋଲିୟନ ମଧ୍ୟ ସ୍ଥାନ ପାଇଛନ୍ତି। ଯେଉଁମାନେ ଏକଛତ୍ରବାଦୀ ଶାସକ ଥିଲେ ଏବଂ ହଜାରହଜାର ନିରୀହ ଜନତାଙ୍କର ସଂହାର କରିଛନ୍ତି। ଏହି ଆରୋପକୁ ପ୍ରତିହତ କରିବା ନିମନ୍ତେ ନିରୀଶ୍ବରବାଦୀମାନେ କୁହନ୍ତି ଯେ ଉପରୋକ୍ତ ତିନି ଶାସକଙ୍କ ରାଜନୈତିକ ଦର୍ଶନ, ଚିନ୍ତାଧାରା ଓ ତତ୍କାଳୀନ ରାଷ୍ଟ୍ରନୀତି ସେମାନଙ୍କ ନିଷ୍ଠୁର କାର୍ଯ୍ୟପାଇଁ ଦାୟୀ। କିନ୍ତୁ ନିରୀଶ୍ବରବାଦ ନିଷ୍ଠୁରବାଦ ପାଇଁ ପ୍ରୋତ୍ସାହନ ଦିଏ ନାହିଁ। ତେବେ ଆଲୋଚନାରୁ ଏତିକି କୁହାଯାଇପାରେ ଯେ ଜଣେ ଈଶ୍ବରବାଦୀ ହେଲେ ଭଲ ଓ ଜଣେ ନିରୀଶ୍ବରବାଦୀ ହେଲେ ଖରାପ। ଏହା ସତ୍ୟ ନୁହେଁ ବରଂ ଜଣେ ଈଶ୍ବରବାଦୀ ହୁଅନ୍ତୁ କି ନିରୀଶ୍ବରବାଦୀ ହୁଅନ୍ତୁ ଯଦି ସେ ଦୟାବାନ୍, କ୍ଷମାବାନ୍, ନ୍ୟାୟୀ, ସ୍ନେହୀ, ସଂସ୍କାରୀ ଓ ପରୋପକାରୀ ହୋଇ ବିଶ୍ବକଲ୍ୟାଣ ବିଚାରଧାରାରେ ଉଦ୍ବୁୁଦ୍ଧ ହେଲେ ତେବେ ଈଶ୍ବର ବି ଖୁସି ଓ ମଣିଷ ବି ଖୁସି।
Comments are closed.