www.samajalive.in
Saturday, December 6, 2025
15.1 C
Bhubaneswar

ଉଗ୍ର ହିନ୍ଦୁତ୍ଵ ପ୍ରସଙ୍ଗ: ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ-ମୋଦୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦର ଉଭୟ ଗୃହରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି। ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହୋଇଛନ୍ତି। ଏମିତିକି ରାହୁଲଙ୍କ କେତେକ ମନ୍ତବ୍ୟକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାହୁଲଙ୍କ ମନ୍ତବ୍ୟକୁ ଦାୟିତ୍ବହୀନ ଓ ମିଛ ଦର୍ଶାଇ ତାଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଛି ଶାସକ ଦଳ। ଆଲୋଚନାରେ ଭାଗ ନେଇ ରାହୁଲ ଗାନ୍ଧୀ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ହିଂସାକୁ ଉସୁକାଉଛନ୍ତି। ବିଜେପି ଓ ମୋଦୀ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ପ୍ରତିନିଧିତ୍ବ କରୁନାହାନ୍ତି। ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହନ୍ତି କିମ୍ବା ବିଜେପି ମଧ୍ୟ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ଏପରିକି ଆରଏସଏସ୍ ମଧ୍ୟ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ନିଜକୁ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ କହିବା ଲାଗି ବିଜେପି ଠିକା ନେଇ ନାହିଁ। ଭଗବାନ ଶିବ, ଗୁରୁ ନାନକ ଓ ଯୀଶୁଙ୍କ ଫଟୋ ପ୍ରଦର୍ଶନ କରି ରାହୁଲ କହିଥିଲେ ଯେ ହିନ୍ଦୁମାନେ କେବେହେଲେ ଭୟ କିମ୍ବା ଘୃଣା ଭାବ ପ୍ରଦର୍ଶନ କରନ୍ତି ନାହିଁ। ମାତ୍ର ବିଜେପି ସର୍ବଦା ଭୟ ଓ ଘୃଣା ଭାବ ପ୍ରଦର୍ଶନ କରିଥାଏ। ବିଜେପି ସଂଖ୍ୟାଲଘୁଙ୍କୁ ଭୟଭୀତ କରୁଥିବାବେଳେ ଘୃଣା ଭାବ ବିସ୍ତାର କରୁଛି। ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିୟାନ, ମୁସଲମାନ, ଶିଖ ପ୍ରତ୍ୟେକ ଧର୍ମ ନିର୍ଭୟକୁ ଗୁରୁତ୍ବ ଦେବା ଦରକାର। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ତାଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ଓ ତାଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରେ ହେଲେ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିନାହାନ୍ତି, କିନ୍ତୁ ସେ ନିଜେ ଯାଇଥିବା ରାହୁଲ କହିଥିଲେ। ରାହୁଲ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ। ପ୍ରଧାନମନ୍ତ୍ରୀଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବା ତାଙ୍କ ପଦ ମର୍ଯ୍ୟାଦା କ୍ଷୁଣ୍ଣ କରୁଥିବା ରାହୁଲ ଦର୍ଶାଇଥିଲେ। ଗୁରୁଜନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇବା ଆମ ସଂସ୍କୃତି ବୋଲି ବାଚସ୍ପତି କହିବାରୁ ସଂସଦରେ ବାଚସ୍ପତି ସମସ୍ତଙ୍କ ଉପରେ ବୋଲି ରାହୁଲ ଜବାବ ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ରାହୁଲଙ୍କ ଏପରି ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିଜ ଆସନରେ ଛିଡ଼ା ହୋଇ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ନେତା ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ହିଂସ୍ର କହିବା ଠିକ୍ ନୁହେଁ। ଏହି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ କୋଟି କୋଟି ଲୋକ ନିଜକୁ ହିନ୍ଦୁ ବୋଲି ଗର୍ବ କରୁଥିବାବେଳେ ସେମାନଙ୍କୁ ହିଂସ୍ର କହିବା ଅତ୍ୟନ୍ତ ନିନ୍ଦନୀୟ। ହିନ୍ଦୁମାନଙ୍କୁ ହିଂସ୍ର କହିଥିବାରୁ ରାହୁଲଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ଶାହା। ଏହି ଅବସରରେ ଶାହା ଜରୁରୀ ପରିସ୍ଥିତି ଓ ଶିଖ୍‌ ବିରୋଧୀ ହିଂସା ପ୍ରସଙ୍ଗ ଉଠାଇ ରାହୁଲଙ୍କୁ ସମାଲୋଚନା କରିଥିଲେ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାହୁଲଙ୍କ ମନ୍ତବ୍ୟକୁ ଦାୟିତ୍ବହୀନ ଓ ମିଛ ବୋଲି କହିଥିଲେ। ବିରୋଧୀ ଦଳ ନେତା ଭାବେ ସେ ଏଭଳି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ ବୋଲି ଅଶ୍ବିନୀ କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ରାହୁଲଙ୍କ ମନ୍ତବ୍ୟର ଯାଞ୍ଚ ପାଇଁ ବାଚସ୍ପତିଙ୍କୁ ନିବେଦନ କରିଥିଲେ। ମାତ୍ର ରାହୁଲ ନିଜ ମନ୍ତବ୍ୟରେ ଦୃଢ଼ ତଥା ଅବିଚଳିତ ରହିବା ପୂର୍ବକ ସରକାରଙ୍କୁ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ, ମଣିପୁର ହିଂସା, ଅଗ୍ନିବୀର ଯୋଜନା, କୃଷକ ଆନ୍ଦୋଳନ, ବିମୁଦ୍ରୀକରଣ ଭଳି ପ୍ରସଙ୍ଗରେ ସମାଲୋଚନା କରିଥିଲେ। ସହିଦ ଓ ଅଗ୍ନିବୀରଙ୍କ ମଧ୍ୟରେ ଥିବା ଭେଦଭାବକୁ ସେ ନିନ୍ଦା କରିଥିଲେ। ନିଟ୍ ପ୍ରସଙ୍ଗରେ ରାହୁଲ କହିଥିଲେ ଯେ ଏହି ପରୀକ୍ଷା ବ୍ୟବସ୍ଥା କେବଳ ଧନୀ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ପରୀକ୍ଷା ବ୍ୟବସ୍ଥା ସରକାରଙ୍କ ପାଇଁ ଏକ ବ୍ୟବସାୟରେ ପରିଣତ ହୋଇଛି। ଏଥିରେ ଧନୀ ବର୍ଗର ଲୋକ ଉତ୍ତୀର୍ଣ୍ଣ ହେଉଥିବାବେଳେ ମେଧାବୀ ବଞ୍ଚିତ ହେଉଛନ୍ତି। ଏହା ପୂର୍ବରୁ ବିରୋଧୀ ଦଳଗୁଡିକ ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଉପରେ ଆଲୋଚନା ଲାଗି ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରିବାକୁ ଦାବି କରିଥିଲେ; ମାତ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ନିଟ୍ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରାଯାଇପାରିବ ନାହିଁ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଦ୍ବାରା ସରକାର ବିରୋଧୀ ଦଳଗୁଡିକୁ ଟାର୍ଗେଟ କରୁଥିବା ଅଭିଯୋଗ କରି ଇଣ୍ଡି ମେଣ୍ଟର ସଦସ୍ୟମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଚସ୍ପତି ମଧ୍ୟ ଏହି ଆଲୋଚନା ପାଇଁ ଅନୁମତି ନଦେବାରୁ ବିରୋଧୀ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ, ବିମାନ ବନ୍ଦର ଛାତ ଭୁଶୁଡିବା, ଟୋଲଗେଟ୍ ଟିକସ ବୃଦ୍ଧି ପ୍ରସଙ୍ଗ ସହ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସଂଖ୍ୟାଲଘୁଙ୍କୁ ସ୍ଥାନ ନଦେବା ନେଇ ସରକାରଙ୍କୁ ସମାଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories