ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ୍‌ ପାଇଁ ଓଡ଼ିଶା ଜଳବିଦ୍ୟୁତ ନିଗମ ସିଡବ୍ଲ୍ୟୁସିର ଅନୁମୋଦନ ଲାଭ

ଭୁବନେଶ୍ୱର: କଳାହାଣ୍ଡି ଜିଲାସ୍ଥିତ ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି। ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍‌ କ୍ଷମତାସଂପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାଠାରେ ୫୦୦ ମେଗାୱାଟ୍‌ର ଷ୍ଟୋରେଜ ପମ୍ପ ସକାଶେ ପ୍ରସ୍ତାବ ରଖିଥିଲା। କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍‌ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି। ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ଅନୁମୋଦନ ସକାଶେ ଓଏଚ୍‌ପିସି କେନ୍ଦ୍ର ବିଦୁ୍ୟତ ପ୍ରାଧିକରଣ ନିକଟରେ ଆବେଦନ କରିବ। ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ।
କଳାହାଣ୍ଡିର ଅଗମ୍ୟ ଅଞ୍ଚଳସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ୍‌ ରହିଛି। ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ପ୍ରତ୍ୟେକ ଟର୍‌ବାଇନ୍‌ରୁ ୧୫୦ ମେଗାୱାଟ୍‌ ବିଦୁ୍ୟତ ଉତ୍ପନ୍ନ ହେବ ଏବଂ ଏହା ଓଡ଼ିଶା ଶକ୍ତି ଗ୍ରୀଡ଼୍‌କୁ ବାର୍ଷିକ ୧୦୪୦ ମିଳିୟନ୍‌ ୟୁନିଟ୍‌ ବିଦୁ୍ୟତ ଯୋଗାଇବ। ସବୁଠାରୁ ଖୁସିର ବିଷୟ ଯେ, ଏହି ପ୍ରକଳ୍ପ ନିମନ୍ତେ କାହାରିକୁ ବାସଚ୍ୟୁତ ହେବାକୁ ପଡ଼ିବ ନାହିଁ।ଏହା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୀତିର ବିକାଶରେ ସହଯୋଗ କରିବ। କେନ୍ଦ୍ରୀୟ ଜଳ କମିଶନର ଏହି ମଞ୍ଜୁରୀ ପ୍ରଦାନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି। ଗ୍ଲାସ୍‌ଗୋଠାରେ ଆୟୋଜିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ୍‌-୨୬ ଅନୁସାରେ କାର୍ବନ୍‌ ଡାଇଅକ୍‌ସାଇଡ୍‌ ନିଗର୍ମନ ଓ କାର୍ବନ ହଟାଇବା ସହ ୨୦୪୭ ସୁଦ୍ଧା ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଓଡ଼ିଶା ରଖିଥିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି।

kalyan agarbati

Comments are closed.