www.samajalive.in
Saturday, December 6, 2025
17.1 C
Bhubaneswar

ୟୁପିଆଇ ବିଭ୍ରାଟ

ଭୁବନେଶ୍ଵର:  ୟୁନିଫାଏଡ୍‌ ପେମେଣ୍ଟ୍ ଇଣ୍ଟରଫେସ୍ ବା ୟୁପିଆଇ ଭାରତର ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଛି। ତେଣୁ ଏଥିରେ କିଛି ସମୟର ବିଭ୍ରାଟ ମଧ୍ୟ ସେମାନଙ୍କୁ ବହୁ ଅସୁବିଧାରେ ପକାଉଛି। ସୋମବାର ସନ୍ଧ୍ୟାରେ ଏହି ସେବାରେ ବଡ଼ ଧରଣର ବିଭ୍ରାଟ ଘଟିଥିଲା, ଯାହା ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଦେଖିବାକୁ ମିଳିଛି। ଏଭଳି ବିଭ୍ରାଟ ଖୁଚୁରା ବ୍ୟବସାୟକୁ ବେଶ୍ ପ୍ରଭାବିତ କରୁଛି ଓ ଏହା ଉପରେ ଭରସା କରୁଥିବା ସାଧାରଣ ଗ୍ରାହକ ମଧ୍ୟ ସମସ୍ୟାରେ ପଡ଼ୁଛନ୍ତି। ଗତ ପାଞ୍ଚ ବର୍ଷରେ ୨୧ ଥର ୟୁପିଆଇ ବିଭ୍ରାଟ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ବ୍ୟବସ୍ଥାକୁ ପରିଚାଳନା କରୁଥିବା ‘ନେସନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଏହାକୁ କିଛି ଘଣ୍ଟା ମଧ୍ୟରେ ପୁନଃସ୍ଥାପନ କରୁଛି ସତ; କିନ୍ତୁ ପ୍ରତ୍ୟେକ ଥର ଲକ୍ଷଲକ୍ଷ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ ଆବଶ୍ୟକ ହେଉଛି। କୁହାଯାଉଛି ଯେ ହଠାତ୍‌ ଅଧିକ କାରବାର ବା ଦେଣନେଣ କଲେ ଏହି ସମସ୍ୟା ଉପୁଜୁଛି। ଯଦି ସମସ୍ୟା ଜଣା ଅଛି, ଅବିଳମ୍ବେ ତା’ର ସମାଧାନ ବାହାର କରାଯିବା ଦରକାର। ଆହୁରି ମଧ୍ୟ ନିକଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ପ୍ରତ୍ୟହ ଏକ ବିଲିୟନ ୟୁପିଆଇ ଦେଣନେଣ ଲକ୍ଷ୍ୟ ହାସଲ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ତେଣୁ ବ୍ୟବସ୍ଥା ସହ ଲୋକଙ୍କୁ ଯୋଡ଼ିଦେ​‌େ​‌ଲ ହେବ ନାହିଁ, ଏହାର ସୁପରିଚାଳନାକୁ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ।
ଏଥିରେ ସନ୍ଦେହ ନାହିଁ ଯେ ୨୦୧୬ରେ ଆରମ୍ଭ ହୋଇଥିବା ୟୁପିଆଇ ବ୍ୟବସ୍ଥା ଭାରତର ଡିଜିଟାଲ୍‌ ଅର୍ଥନୀତି କ୍ଷେତ୍ରରେ ଏକ ବିପ୍ଳବ ଆଣିଛି। ବିମୁଦ୍ରାୟନ ଏବଂ କୋଭିଡ ଭଳି ଆହ୍ବାନପୂର୍ଣ୍ଣ ସମୟରେ ଏହାର ଲୋକପ୍ରିୟତା ବଢ଼ିଥିଲା। ମୋବାଇଲ ଫୋନ୍ ବ୍ୟବହାର ଏବଂ ଡିଜିଟାଲ ସଚେତନତା ବୃଦ୍ଧି ଏହାର ବିକାଶ ପାଇଁ ଏକ ପରିବେଶ ସୃଷ୍ଟି କରିଥିଲା। ନିକଟରେ ଏନ୍‌ପିସିଆଇ ଦ୍ବାରା ଅର୍ଥ ମନ୍ତ୍ରୀଙ୍କୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ, ୟୁପିଆଇ ଦେଣନେଣ ୭୨ ପ୍ରତିଶତ ବାର୍ଷିକ ଯୌଗିକ ଅଭିବୃଦ୍ଧି ହାର (ସିଏଜିଆର୍‌) ହାସଲ କରିଛି। ସେହିପରି ୨୦୨୧-୨୨ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ, ପ୍ରାୟ ୨୬ କୋଟି ନୂଆ ଉପଭୋକ୍ତା ଏବଂ ସାଢ଼େ ୫ କୋଟି ନୂଆ ବ୍ୟବସାୟୀ ୟୁପିଆଇ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଏଥିରେ ବର୍ତ୍ତମାନ ପ୍ରାୟ ୪୫ କୋଟି ବାର୍ଷିକ ସକ୍ରିୟ ଉପଭୋକ୍ତା ଅଛନ୍ତି। ୨୦୨୪-୨୫ରେ ୟୁପିଆଇ ଦେଣନେଣ ୨୬୧ ଲକ୍ଷ କୋଟି ଟଙ୍କା ଥିଲା। ଏଥିରୁ ଏ ବ୍ୟବସ୍ଥାର ବିଶାଳତା ଓ ଗୁରୁତ୍ବ ସ୍ପଷ୍ଟ। ସୁତରାଂ ଏନ୍‌ପିସିଆଇ ଏହାକୁ ସଂପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ଆବଶ୍ୟକ। ବାରମ୍ବାର ତ୍ରୁଟି ଏବଂ ବିଚ୍ଛିନ୍ନତା ବ୍ୟବସ୍ଥାର ବିଶ୍ୱସନୀୟତାକୁ ଯେ ହ୍ରାସ କରିବ, ତାହା କହିବା ବାହୁଲ୍ୟ ମାତ୍ର।
ଆଉ ଏକ ଗୁରୁତର ସମସ୍ୟା ହେଉଛି ଠକେଇ ମାମଲା ବୃଦ୍ଧି। ଗତ ବର୍ଷ ଆନୁଷ୍ଠାନିକ ଭାବେ କୁହାଯାଇଥିଲା ଯେ ୟୁପିଆଇ ଠକେଇର ଆର୍ଥିକ ମୂଲ୍ୟ ୨୦୨୨-୨୩ରେ ୫୭୩ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ୧,୦୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତେଣୁ ଏନ୍‌ପିସିଆଇ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଦରକାର। ବିଦେଶରେ ମଧ୍ୟ ଏହାର ପ୍ରଚଳନ ପାଇଁ ଚେଷ୍ଟା କରାଯାଉଥିବା ସମୟରେ ଏହା ସର୍ବାଧିକ ବିଶ୍ବସନୀୟ ହେବା ବିଧେୟ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories