www.samajalive.in
Saturday, December 6, 2025
19.1 C
Bhubaneswar

ଭାରତର ସୀମାନ୍ତ ନିରାପତ୍ତା

ଭୁବନେଶ୍ଵର: ୨୦୨୫ ରେ ଭାରତର ନିରାପତ୍ତା ପରିବେଶ ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି ଏଥିରେ ଦ୍ବିମତ ନାହିଁ। ଦୈନନ୍ଦିନ ବଦଳୁଥିବା ବିଶ୍ବ ପରିବେଶ, ଉପମହାଦେଶରେ ଉତ୍ତେଜନା ଏବଂ ପଡ଼ୋଶୀ ଦେଶଙ୍କ ସହିତ ଚାଲି ଆସିଥିବା ସୀମା ସମସ୍ୟାଦ୍ୱାରା ଏହି ବିପଦ ବୃଦ୍ଧି ପାଇବାରେ ଲାଗିଛି। ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ସତେ ଯେମିତି ଭାରତକୁ ପଡୋଶୀ ଦେଶମାନେ ଘେରି ଯାଇଛନ୍ତି, ଏହିଭଳି ଏକ ଚିତ୍ର ସାମନାକୁ ଆସୁଛି। ଭାରତ ପାଇଁ ଏହି କ୍ଷଣି ମୁଖ୍ୟ ବିପଦ ହେଉଛନ୍ତି ଚୀନ୍ ଏବଂ ପାକିସ୍ତାନ। ଏହି ଦୁଇ ଦେଶ ସହିତ ସୀମା ସମସ୍ୟା, ଆତଙ୍କବାଦ ଜନିତ ଅସ୍ଥିରତା ଲାଗି ରହିଥିବା ବେଳେ ବାଂଲାଦେଶ ଏବଂ ମ୍ୟାଁମାରରୁ ଅତିରିକ୍ତ ଚାଲେଞ୍ଜ ଆସୁଛି। ସାଇବର ବିପଦ ଏବଂ ବୈଷୟିକ ପରିବର୍ତ୍ତନ ପରିସ୍ଥିତିକୁ ଆହୁରି ଗଣ୍ଡଗୋଳିଆ କରି ପକାଇଛି। ଏହି ଜଟିଳ ପରିସ୍ଥିତି ଯୋଗୁଁଁ ଦେଶର ସୁରକ୍ଷା ବର୍ତ୍ତମାନ ଏକ ବହୁମୁଖୀ ଆହ୍ୱାନର ସମ୍ମୁଖୀନ ହୋଇଛି। ବିଶେଷ କରି, ହିମାଳୟ ପାଦଦେଶରେ ଚାଲିଥିବା ସୀମା ବିବାଦ ଉଭୟ ଦେଶର ସମ୍ପର୍କକୁ ତିକ୍ତ କରୁଥିବାରୁ ଚୀନ୍ ଭାରତ ପାଇଁ ଏବେ ସବୁଠାରୁ ବଡ ଚିନ୍ତାର ବିଷୟ ପାଲଟିଛି। ଭାରତ-ଚୀନ ସୀମା ନିରାପତ୍ତା ଭାରତକୁ ଅଧିକ ଚିନ୍ତାରେ ପକାଇଛି। ଲଦାଖରେ ଦୀର୍ଘ ୪ ବର୍ଷ ଧରି ଲାଗି ରହିଥିବା ବିବାଦ ୨୦୨୪ରେ ଥମିବାର ପ୍ରାରମ୍ଭିକ ସଙ୍କେତ ଦେଖାଇଥିଲେ ହେଁ ବିଶ୍ୱାସରେ ବ୍ୟବଧାନ ଓ ନିରାପତ୍ତାରେ ପରସ୍ପର ଭିତରେ ପ୍ରତିଯୋଗିତା ଯୋଗୁଁଁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ। ୨୦୨୦ରେ ଲଦାଖରେ ହୋଇଥିବା ସଂଘର୍ଷ କାରଣରୁ ୨୦ ଜଣ ଭାରତୀୟ ପ୍ରାଣ ହରାଇଥିଲେ। ଏହି ଘଟନା ସୀମାର ଅସ୍ଥିରତାକୁ ସୂଚାଉଛି। ଭାରତ ମହାସାଗରରେ ଚୀନର ବଢୁଥିବା ସାମରିକ ଓ ପରମାଣୁ ଆଧୁନିକୀକରଣ ଏବଂ ନୌସେନାର ବଢୁଥିବା ଉପସ୍ଥିତି ଦେଶ ପାଇଁ ଏକ ରଣନୈତିକ ଚାଲେଞ୍ଜ ସୃଷ୍ଟି କରିଛି।
ଏହା ବ୍ୟତୀତ ଚୀନ ପକ୍ଷରୁ ମାଳଦ୍ୱୀପରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଅନେକ ପରିମାଣରେ ଭାରତର ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରୁଛି। ଉପମହାଦେଶରେ ଭାରତର ଆଞ୍ଚଳିକ ପ୍ରଭାବକୁ ଶେଷ କରିବା ପାଇଁ ଚୀନ ତା’ର ସମ୍ପ୍ରସାରଣକୁ ଅବ୍ୟାହତ ରଖିଛି। ଏକ ବ୍ୟାପକ କୂଟନୀତିର ଅଂଶ ବିଶେଷ ଭାବରେ ଏହାକୁ ବିବେଚନା କରାଯାଉଛି। ଏଥିରେ ପାକିସ୍ତାନ ସହିତ ଚୀନର ମଧୁଚନ୍ଦ୍ରିକା ଏକ ବଡ ଖେଳ ହେଉଥିବା ସ୍ପଷ୍ଟ ଅନୁମେୟ।
୨୦୦୮ ମୁମ୍ବଇ ଆକ୍ରମଣରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ପାକିସ୍ତାନ ପକ୍ଷରୁ ଜାରି ରହିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ଭଳି ଅନେକ ଘଟଣାରୁ ଏହା ସ୍ପଷ୍ଟ ଯେ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଭୂମିକା କ୍ରମାଗତ ବିପଦ ହୋଇ ରହିଛି।
ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତ-ପାକିସ୍ତାନ ସୀମାରେ ୩୧୬୮ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା, ଯେଉଁଥିରେ ୧୮ ଜଣ ଭାରତୀୟ ପ୍ରାଣ ହରାଇଥିଲେ।
୨୦୨୪ରେ ପାକିସ୍ତାନର ଆଭ୍ୟନ୍ତରୀଣ ଅସ୍ଥିରତା, ଅର୍ଥନୈତିକ ଦୁର୍ଗତି ଏବଂ ରାଜନୈତିକ ଆହ୍ୱାନ ଭାରତ ବିରୋଧୀ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପଛରେ ଏକ ଏକ ବଡ କାରଣ ବୋଲି କୁହାଯାଇପାରେ। ପିର ପଞ୍ଜାଲର ଦକ୍ଷିଣରେ ଆତଙ୍କବାଦକୁ ସକ୍ରିୟ କରିବା ଏବଂ ସୀମାପାର ଅନୁପ୍ରବେଶକୁ ପ୍ରୋତ୍ସାହିତ କରିବାର ପ୍ରୟାସ ଜାମ୍ମୁ-କାଶ୍ମୀରରେ ଅାଭ୍ୟନ୍ତରୀଣ ନିରାପତ୍ତାକୁ ଅସ୍ଥିର କରିଛି। ଅଗଷ୍ଟ ୨୦୧୯ରେ ଭାରତ ପକ୍ଷରୁ କରାଯାଇଥିବା ସାମ୍ବିଧାନିକ ସଂଶୋଧନ ଦ୍ବାରା ଯେତେ ଲାଭ ହେବ ବୋଲି ଆଶା କରାଯାଉଥିଲା ସେଥି ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି।
କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ପୁଣି ମୁଣ୍ଡ ଟେକିବା ଓ ଆତଙ୍କବାଦୀ ପ୍ରଚାରକୁ ପ୍ରୋତ୍ସାହିତ କରିବାରେ ଅଲ୍ କାଏଦା ଏବଂ ଇସ୍ଲାମିକ୍ ଷ୍ଟେଟ୍ ସହିତ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ପ୍ରେରଣ କରାଯିବା ସାଂପ୍ରତିକ ସ୍ଥିତିର ଜଟିଳତାକୁ ପ୍ରମାଣିତ କରୁଛି। ସାମାଜିକ ଗଣମାଧ୍ୟମ ସମେତ ନୂତନ ଚାନେଲକୁ ବ୍ୟବହାର କରି ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପ୍ରୟାସ ଚଳାଇଛି।
ଶେଖ୍ ହସିନା ସରକାରଙ୍କ ପତନ ପରେ ବାଂଲାଦେଶର ଦ୍ରୁତ ବିଶୃଙ୍ଖଳା ମଧ୍ୟ ଭାରତ ପାଇଁ ଏକ ମୁଣ୍ଡବ୍ୟଥାର କାରଣ। ଏଥି ପାଇଁ ଭାରତର ପୂର୍ବ ସୀମାରେ ଅସ୍ଥିରତା ବୃଦ୍ଧି ହୋଇ ଚାଲିଛି; ବିଶେଷ କରି ବେଆଇନ ପ୍ରବେଶ। ୨୦୧୬ ସୁଦ୍ଧା ଭାରତରେ ପ୍ରାୟ ୪.୫ ନିୟୁତ ବେଆଇନ ବଙ୍ଗଳାଦେଶୀ ପ୍ରବାସୀ ଥିବାବେଳେ ଦୈନିକ ପ୍ରାୟ ଦୁଇ ହଜାର ଅନୁପ୍ରବେଶକାରୀ ପ୍ରବେଶ କରୁଥିବା ଏକ ଆକଳନ କରାଯାଇଥିଲା। ଏହି ଅନୁପ୍ରବେଶ ଯୋଗୁଁଁ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏଭଳି ବେଆଇନ ଗତିବିଧି ସୀମା ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ସ୍ଥିରତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ତେଣେ ମ୍ୟାଁମାରର ଆଭ୍ୟନ୍ତରୀଣ ସଂଘର୍ଷ ଯୋଗୁଁଁ ଚୋରା ଚାଲାଣ ଓ ନିଶା ଦ୍ରବ୍ୟ ଚୋରା ଚାଲାଣ ସମେତ ସୀମାପାର ସୁରକ୍ଷା ସମସ୍ୟା ଦେଖା ଦେଇଛି। ଭାରତ-ମ୍ୟାଁମାର ସୀମା ନିଶା କାରବାରର ଏକ ପ୍ରମୁଖ ମାର୍ଗ ପାଲଟିଛି। ବିଶ୍ୱର ୩୩% ହେରୋଇନ୍ ଏହି ଅଞ୍ଚଳ ଦେଇ ଯାଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
ଏହା ବ୍ୟତୀତ ମ୍ୟାଁମାରରେ ଚାଲିଥିବା ସଂଘର୍ଷ ଯୋଗୁଁଁ ଭାରତକୁ ଶରଣାର୍ଥୀ ପ୍ରବାହ ବି ବୃଦ୍ଧି ପାଇଛି, ଯାହା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସୁରକ୍ଷା ବୋଝକୁ ବଢ଼ାଇ ଦେଇଛି। ଗୋଟିଏ ପଟେ ଏହି ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ଅପର ପଟେ ମାନବୀୟ ଆହ୍ୱାନର ପରିଚାଳନା – ଏ ଦୁଇଟି ପାଇଁ ଦୃଢ଼ ସୀମା ପରିଚାଳନାର ଆବଶ୍ୟକତା ଦେଖାଦେଇଛି।
ଭାରତ ପାଇଁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ସାଇବର ଅପରାଧ। ୨୦୨୫ରେ ଦେଶରେ ସାଇବର ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଆମେରିକା ପରେ ଦ୍ବିତୀୟ ସର୍ବାଧିକ ନିଶାଣର ଦେଶ ପାଲଟିଛି। ସାଇବର ସିକ୍ୟୁରିଟି ଫାର୍ମ ଭଳି ସାମ୍ପ୍ରତିକ ରିପୋର୍ଟ ଅର୍ଥ, ସ୍ୱାସ୍ଥ୍ୟସେବା ଏବଂ ଟେଲି କମ୍ୟୁନିକେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ସୂଚାଉଛି। ଖାଲି ସେତିକି ନୁହେଁ; ହାଇପ୍ରୋଫାଇଲ୍ ଉଲ୍ଲଙ୍ଘନ ଓ ସମ୍ବେଦନଶୀଳ ତଥ୍ୟକୁ ପଦାରେ ପକାଇବା ଭଳି ଘଟନା ମଧ୍ୟ ନିରନ୍ତର ଘଟି ଚାଲିଛି।
ଉଦାହରଣ ସ୍ୱରୂପ, ହାଇ-ଟେକ୍ ଗ୍ରୁପର ୮୫୦ ନିୟୁତ ରେକର୍ଡ ଏବଂ ଟେଲି କମ୍ୟୁନିକେସନ୍ କନସଲଟାଣ୍ଟସ୍ ଇଣ୍ଡିଆର ୨ ଗିଗାବାଇଟ୍ ସମ୍ବେଦନଶୀଳ ତଥ୍ୟ ପ୍ରକାଶ ପାଇବା ଘଟନା ଡାଟା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦିଚ ସମସ୍ତ ଆକ୍ରମଣ ସିଧାସଳଖ ପଡ଼ୋଶୀ ଦେଶ ସହ ଜଡିତ ନୁହେଁ, ତଥାପି ଏହି ସାଇବର ଅପରାଧରେ ଚୀନ ଏବଂ ପାକିସ୍ତାନରୁ ଆସିଥିବା ରାଷ୍ଟ୍ର-ପ୍ରାୟୋଜିତ ବ୍ୟକ୍ତିଙ୍କ ସମ୍ପୃକ୍ତି ଚିନ୍ତାର ବିଷୟ ପାଲଟିଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ), ସାଇବର ଟେକ୍ନୋଲୋଜି ଏବଂ ମହାକାଶ ପ୍ରଯୁକ୍ତି ବିଦ୍ୟା ଭଳି ଉଦୀୟମାନ ଜ୍ଞାନକୌଶଳର ପ୍ରୟୋଗ ଜଟିଳତାର ଆଉ ଏକ ଦିଗ। ଉଦାହରଣ ସ୍ୱରୂପ, ସଂଘର୍ଷ ଆରମ୍ଭ ହେଲେ ଚୀନ୍ ଦ୍ୱାରା ଆଣ୍ଟି-ସାଟେଲାଇଟ୍ (ଏ-ସାଟ୍) ଅସ୍ତ୍ରଶସ୍ତ୍ରର ସମ୍ଭାବ୍ୟ ବ୍ୟବହାର। ବିଶେଷକରି ଚୀନ ଯଦି ଭାରତକୁ ଆମେରିକାର ସହଯୋଗୀ ଭାବରେ ବିବେଚନା କରାଯାଏ, ତେବେ ଏହା ଭାରତର ଉପଗ୍ରହ ଭିତ୍ତିଭୂମିକୁ ପ୍ରଭାବିତ କରିପାରେ ବୋଲି ଅନେକ ଅଧ୍ୟୟନ ଓ ବିଶ୍ଳେଷଣରେ ଉଲ୍ଲେଖ କରାଯାଇଛି।
ଆମେରିକା-ଚୀନ୍ ପ୍ରତିଦ୍ୱନ୍ଦ୍ୱିତା ଏବଂ ଆଞ୍ଚଳିକ ଅସ୍ଥିରତା ଭଳି ବୈଶ୍ୱିକ ଭୂ-ରାଜନୈତିକ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ପଡ଼ୋଶୀ ଦେଶଗୁଡ଼ିକର ଅସୁରକ୍ଷିତ ବାତାବରଣ ମୂଳ ବିପଦଠାରୁ କଦାପି ଅଲଗା ନୁହେଁ ବରଂ ପରସ୍ପର ସହ ଏହା ଜଡ଼ିତ। ଉଦାହରଣ ସ୍ୱରୂପ, ମାଳଦ୍ୱୀପ ଏବଂ ଅନ୍ୟ ପଡ଼ୋଶୀ ଦେଶମାନଙ୍କରେ ଚୀନର ବଢ଼ୁଥିବା ପ୍ରଭାବ ଭାରତର କୂଟନୈତିକ ପ୍ରୟାସକୁ ଜଟିଳ ସ୍ଥିତିରେ ପକାଉଛି ଏବଂ ଏହି ଆହ୍ୱାନର ମୁକାବିଲା ପାଇଁ ଏକ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ କରୁଛି।
ପାକିସ୍ତାନ ଏବଂ ବାଂଲାଦେଶରେ ଦେଖାଯାଇଥିବା ଅର୍ଥନୈତିକ ଏବଂ ରାଜନୈତିକ ଅସ୍ଥିରତା ଆଗାମୀ ଦିନରେ ଭାରତର ସୁରକ୍ଷା ବିପଦକୁ ବଢାଇପାରେ ଏବଂ ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ସାମ୍ପ୍ରତିକ ଏକ ବିଶ୍ଳେଷଣରେ ଉଲ୍ଲେଖ କରାଯାଇଛି। ସୀମା ଭିତ୍ତିଭୂମିକୁ ସୁଦୃଢ଼ କରିବା, ସାଇବର ପ୍ରତିରକ୍ଷାକୁ ବୃଦ୍ଧି କରିବା ଏବଂ ଏହି ବିପଦକୁ ହ୍ରାସ କରିବା ପାଇଁ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା ଭାରତର ଭବିଷ୍ୟତ ନୀତିର ଅନ୍ତର୍ଭୁକ୍ତ ହେବା ଆବଶ୍ୟକ କରୁଛି।
ମୋଟାମୋଟି କହିବାକୁ ଗଲେ, ଭାରତ ଏକ ବହୁମୁଖୀ ଅସୁରକ୍ଷିତ ବାତାବରଣର ସମ୍ମୁଖୀନ ହୋଇଛି, ଯେଉଁଥିରେ ଚୀନ୍ ଏବଂ ପାକିସ୍ତାନ ପ୍ରାଥମିକ ଶତ୍ରୁ ଏବଂ ବାଂଲାଦେଶ, ମ୍ୟାଁମାର ଏବଂ ସାଇବର କ୍ଷେତ୍ର ଦ୍ବିତୀୟ ଶତ୍ରୁ।
ଏହିସବୁ ବିପଦର ମୁକାବିଲା କରିବା ପାଇଁ ସାମରିକ ପ୍ରସ୍ତୁତି, କୂଟନୈତିକ ଯୋଗାଯୋଗ ଏବଂ ବୈଷୟିକ ସ୍ଥିରତାକୁ ମିଶାଇ ଭାରତ ପାଇଁ ଏକ ବ୍ୟାପକ ରଣନୀତିର ଆବଶ୍ୟକତା ରହିଛି। କ୍ରମଶଃ ଅସ୍ଥିର ହୋଇ ପଡୁଥିବା ପଡୋଶୀ ସୀମାରେ ଜାତୀୟ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏହି କ୍ଷଣି ସବୁଠାରୁ ବଡ ଚିନ୍ତା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories