ଏପ୍ରିଲ ୧୬ରୁ କେନ୍ଦୁଝରରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୧୯୮୩ ପ୍ରତିଯୋଗୀ

କେନ୍ଦୁଝରଗଡ : ଆସନ୍ତା ଅପ୍ରେଲ ୧୬ ତାରିଖରୁ କେନ୍ଦୁଝରରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା୨୦୨୪-୨୫ ଆରମ୍ଭ ହେବାକୁ ଯାଉଛି । ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କ୍ରୀଡାତ୍ସୋବକୁ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ କ୍ରୀଡା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଚୂଡାନ୍ତ ରୂପରେଖ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ପ୍ରାରମ୍ଭରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡାର ନୋଡାଲ ଅଧିକାରୀ ଡ. ଦାମୋଦର ସାହୁ ସ୍ୱାଗତଭାଷଣ ପ୍ରଦାନ ପରିପ୍ରେକ୍ଷୀରେ ପରିଷଦ ସଦସ୍ୟଙ୍କ ମତାମତ ଲୋଡିଥିଲେ । ପରିଷଦ ସଦସ୍ୟଗଣ ଏହି ବୈଠକରେ ଅଂଶଗ୍ରହଣ କରି ଏହି କ୍ରୀଡାର ସୁଆୟୋଜନ ଓ ପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ ଉଦ୍ଦେଶ୍ୟରେ ନାମ ପ୍ରଦାନ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅପ୍ରେଲ ୧୬ ତାରିଖ ଅପରାହ୍ନରେ ଶଙ୍କରପୁରସ୍ଥିତ କ୍ରୀଡା କମ୍ପେ୍ଲକ୍ସରେ ଏହି ପ୍ରତିଯୋଗିତାର ଶୁଭ ଉଦ୍‍ଘାଟନ ସହ ସେହିଠାରେ ୨୦ତାରିଖ ଉଦ୍‍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଫୁଟବଲ, କ୍ରିକେଟ, ହକି, ଭଲିବଲ, ବାସ୍କେଟବଲ, ଖୋଖୋ, କବାଡି, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କ୍ୟାରମ ଓ ଚେସ୍‍କୁ ମିଶାଇ ମୋଟ ୧୧ଟି ପ୍ରତିଯୋଗିତାରେ ଆୟୋଜକ ଧରଣୀଧର ବିଶ୍ୱବିଦ୍ୟାଳୟ ସମେତ ମୋଟ ୧୩ଟି ବିଶ୍ୱବିଦ୍ୟାଳୟର ୧୧୩୭ ବାଳକ ଓ ୮୪୬ଜଣ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଉକ୍ତ କ୍ରୀଡା ପରିଷଦର ସମ୍ପାଦକ ଅଧ୍ୟାପକ ବିଜୟ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି ।

ସେହିଭଳି ପ୍ରତିଯୋଗୀତାର ସଫଳ ପରିଚାଳନା ନିମନ୍ତେ ୩୮୫ଜଣ ଅଫିସିଆଲ ଏବଂ ୨୦୦ଜଣ ବୈଷୟିକ ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତି ସାମିଲ ହେବେବୋଲି କ୍ରୀଡା ପରିଷଦର ସହସମ୍ପାଦକ ଅଧ୍ୟାପକ ଅକାଳୁ ପୃଷ୍ଟି କହିଛନ୍ତି । ଶଙ୍କରପୁର ଷ୍ଟାଡିୟମରେ ଫୁଟବଲ ସମେତ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କ୍ୟାରମ ଓ ଚେସ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ହକି, ଖୋ ଖୋ, କବାଡି ଓ ଭଲିବଲ, କେନ୍ଦୁଝର ଷ୍ଟାଡିୟମ ଏବଂ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ଖେଳ ପଡିଆରେ କ୍ରିକେଟ ଏବଂ ଧରଣୀଧର ଭେଷଜ ମହାବିଦ୍ୟାଳୟ ଖେଳ ପଡିଆରେ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କ୍ରୀଡା ପରିଷଦର ନୋଡାଲ ଅଧିକାରୀ ଡ. ଦାମୋଦର ସାହୁ ଜଣାଇଛନ୍ତି । ଗ୍ରୀଷ୍ମ ଋତୁରେ ରାଜ୍ୟସ୍ତରୀୟ ଏଭଳି ଏକ ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଯାଉଥିବାରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସହ ଯେଭଳି କୌଣସି ପ୍ରତିଯୋଗୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଶ୍ୱବିଦ୍ୟାଳୟର କୁଳପତି ଡ. ମହାନ୍ତି କ୍ରୀଡା ପରିଷଦର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟାଙ୍କ ସହଯୋଗ ଲୋଡିଛନ୍ତି । ଏଥିସହ ଏହି ପ୍ରତିଯୋଗୀତାରେ କେନ୍ଦୁଝର ଜିଲାର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା କ୍ରୀଡା ପ୍ରତିଭାଙ୍କୁ ମଧ୍‍୍ର କିଭଳି ସମ୍ବର୍ଦ୍ଧିତ କରାଯିବ ସେ ନେଇ ମଧ୍ୟ କୁଳପତି ଡ. ମହାନ୍ତି ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ସହକାରୀ ପ୍ରାଧ୍ୟାପକ ଡ.ଶଶୀକାନ୍ତ ଜେନା, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ପ୍ରଭୁପଦ ଦାସ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ କ୍ରିଡା ପରିଷଦର ସମ୍ପାଦକ ବିଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.