ବିହାରକୁ ସହୁନାହିଁ କି ବାସ୍ତୁ! ତୃତୀୟ ଥର ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ
ଡେସ୍କ: ପୋଲ ଭୁଶୁଡି ପଡିବାରେ ବିହାର ୧ ନମ୍ବର। ୨୦୨୪ରେ ୧୪ଟିରୁ ଅଧିକ ପୋଲ ଭୁଶୁଡିବା ପରେ ଆଜି ଗତ ୯ ବର୍ଷ ଧରି ନିର୍ମାଣାଧୀନ ଥିବା ଆଉ ଏକ ପୋଲ ଭୁଶୁଡି ପଡିଛି। ତେବେ ପରିସ୍ଥିତି ଏମିତି ଯେ ଆଜି ଭୁଶୁଡି ପଡିଥିବା ପୋଲଟି ପୂର୍ବରୁ ୨ ଥର ଭୁଶୁଡି ସାରିଛି। ବିହାରର ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜ-ଆଗୁୱାନୀ ଗଙ୍ଗା ନଦୀ ପଥରେ ନିର୍ମାଣାଧୀନ ୪ ଲେନ୍ ବିଶିଷ୍ଟ ପୋଲର ଏକ ଅଂଶ ଶନିବାର ତୃତୀୟ ଥର ପାଇଁ ଗଙ୍ଗା ନଦୀରେ ଭୁଶୁଡ଼ି ପଡ଼ିଛି।
ସୁଲତାନଗଞ୍ଜରୁ ଭାଗଲପୁରର ଅଗୱାନୀ ଘାଟ ପର୍ଯ୍ୟନ୍ତ ଥିବା ସ୍ତମ୍ଭ (ପିଲାର) ସଂଖ୍ୟା ୯ ଓ ୧୦ ମଧ୍ୟରେ ଥିବା ଅଂଶ ନଦୀରେ ବୁଡ଼ି ଯାଇଥିବାରୁ ପ୍ରକଳ୍ପର ଢାଞ୍ଚାଗତ ନିର୍ମାଣକୁ ନେଇ ଚିନ୍ତା ବଢ଼ିଛି। ଏସପି ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀକୁ ଗଙ୍ଗା ନଦୀ ଉପରେ ଆଗୁୱାନୀ-ସୁଲତାନଗଞ୍ଜ ପୋଲ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ୩ ଥର ଭୁଶୁଡ଼ି ପଡ଼ିଥିବା ଏହି ପୋଲ ନିର୍ମାଣ ପାଇଁ ୧ ହଜାର ୭୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଏସପି ସିଙ୍ଗଲା କମ୍ପାନୀ ଦ୍ୱାରା ନିର୍ମିତ ଏକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ମହାସେତୁ ଖଗରିଆ ଏବଂ ଭାଗଲପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ। ତେବେ ବାରମ୍ବାର ଭୁଶୁଡ଼ି ପଡ଼ିବାରୁ ନିର୍ମାଣ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗଙ୍ଗା ନଦୀରେ ଚାଲିଥିବା ବନ୍ୟା ପରିସ୍ଥିତି ଯୋଗୁଁ ପୋଲ ନିର୍ମାଣ କାର୍ଯ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଥିଲା, ଯାହା ନଦୀ ଉପରେ ନିର୍ମାଣର ଚ୍ୟାଲେଞ୍ଜକୁ ବଢାଇ ଦେଇଥିଲା।
ବିହାରକୁ ସହୁନାହିଁ କି ବାସ୍ତୁ! ତୃତୀୟ ଥର ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ pic.twitter.com/Cl4m2XBgWc
— Samaja Live (@samajalive) August 17, 2024
ଅଗୁୱାନି-ସୁଲତାନଗଞ୍ଜ ଗଙ୍ଗା ସେତୁର ନିର୍ମାଣ କାମ ୨୦୧୪ରେ ଆରମ୍ଭ ହୋଇଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବାର ସମୟସୀମା ୮ ଥର ବୃଦ୍ଧି କରାଯାଇଛି। ୨୦୨୨ ଏପ୍ରିଲ ମାସରେ ଝଡ଼ତୋଫାନ ଯୋଗୁଁ ପୋଲଟିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସେତୁ ବିଭାଗର ବାରମ୍ବାର ବିଫଳତା ଚିନ୍ତା ପ୍ରକଟ କରିବା ସହ ଭୁଶୁଡ଼ିବାର କାରଣ ନିର୍ଣ୍ଣୟ କରିବା ସହ ଭବିଷ୍ୟତରେ ନିର୍ମାଣ କାର୍ଯ୍ୟର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ତଦନ୍ତ ପାଇଁ ଦାବି ହୋଇଛି।
ଉଲ୍ଲେଖନୀୟ ଘଟଣା ଗୁଡ଼ିକ ମଧ୍ୟରେ ଭାଗଲପୁର ଏବଂ ସତରଘାଟରେ ଜୁନ୍ ୨୦୨୦ରେ ପୋଲ ଭୁଶୁଡ଼ିବା ଘଟଣା ରହିଛି, ଯାହା ଉଦଘାଟନର ମାତ୍ର ୨୯ ଦିନ ପରେ ଘଟିଛି। ନିକଟରେ ୨୦୨୪ ଜୁନ୍ରୁ ଜୁଲାଇ ମଧ୍ୟରେ ବିହାରରେ ମାତ୍ର ୧୭ ଦିନରେ ୧୨ଟି ପୋଲ ଭୁଶୁଡ଼ି ପଡ଼ିଛି।
ବିହାରରେ ପୋଲ ଭୁଶୁଡ଼ିବାର ସଂକ୍ଷିପ୍ତ ଇତିହାସ
୧) ଭାଗଲପୁର ପୋଲ: ପ୍ରାୟ ୧୪ ମାସ ତଳେ ବିହାରର ଭାଗଲପୁର ଜିଲ୍ଲାରେ ଏକ ନିର୍ମାଣାଧୀନ ସୁଲତାନଗଞ୍ଜ ଆଗୁୱାନୀ ପୋଲର କିଛି ଅଂଶ ବଜ୍ରପାତରେ ଭୁଶୁଡ଼ି ପଡ଼ିଥିଲା। ଚଳିତ ବର୍ଷ ଜୁନ୍ ମାସରେ ପୁଣି ସେହି ଚାରି ଲେନ୍ ବିଶିଷ୍ଟ ପୋଲ ଭୁଶୁଡ଼ି ପଡ଼ିଥିଲା।
୨) ସତରଘାଟ ପୋଲ: ଉଦଘାଟନର ମାତ୍ର ୨୯ ଦିନ ପରେ ଜୁଲାଇ ୨୦୨୦ରେ ଗୋପାଳଗଞ୍ଜ ଜିଲ୍ଲାର ଗଣ୍ଡକ ନଦୀ ଉପରେ ଥିବା ସତ୍ତରଘାଟ ପୋଲ ପ୍ରବଳ ବର୍ଷା ଏବଂ ପ୍ରବଳ ଜଳ ସ୍ରୋତ ଯୋଗୁଁ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣା ନିର୍ମାଣ ଓ ତଦାରଖର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
୩) ସହରସା ପୋଲ: ଜୁନ୍ ୨୦୨୨ରେ ବିହାରର ସହରସା ଜିଲ୍ଲାରେ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଆହତ ହୋଇଥିଲେ। ସହରସା ଜିଲ୍ଲା ସିମରି ବଖତିଆରପୁର ବ୍ଲକ ଅନ୍ତର୍ଗତ କାନ୍ଦୁମେର ଗ୍ରାମର କୋସି ବନ୍ଧର ପୂର୍ବ ପାର୍ଶ୍ୱରେ ଏହି ଅଘଟଣ ଘଟିଥିଲା।
୪) ବ୍ରିଟିଶ ଯୁଗର ପୋଲ: ଅତ୍ୟଧିକ ବର୍ଷା ଯୋଗୁଁ ରାଜଧାନୀ ପାଟନାରେ ୧୩୬ ବର୍ଷ ପୁରୁଣା ଏକ ସଡ଼କ ପୋଲ ଭୁଶୁଡ଼ି ପଡ଼ିଥିଲା। ପାଟନାଠାରୁ ୨୫ କିଲୋମିଟର ଦୂରରେ ଥିବା ଫତୁହା ଉପସହରରେ ଏହି ପୋଲ ଅବସ୍ଥିତ । ୧୮୮୪ ମସିହାରେ ବ୍ରିଟିଶ ଶାସନ କାଳରେ ଏହି ସେତୁ ନିର୍ମାଣ କରାଯାଇଥିଲା।
୫) ନାଳନ୍ଦା ପୋଲ: ନଭେମ୍ବର ୧୮, ୨୦୨୨ରେ ବିହାରର ନାଳନ୍ଦା ଜିଲ୍ଲାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ପ୍ରାଣ ହରାଇଥିଲା। ଭେନା ବ୍ଲକର ୪ ଲେନ୍ ରାସ୍ତାରେ ଏହି ରାସ୍ତା ପୋଲ ନିର୍ମାଣ ଚାଲିଥିଲା।
୬) ଦରଭଙ୍ଗା ପୋଲ: ୨୦୨୪ ଜାନୁଆରୀ ୧୬ରେ ବିହାରର ଦରଭଙ୍ଗା ଜିଲ୍ଲାରେ ଏକ ଓଭରଲୋଡ୍ ଟ୍ରକ୍ ଯୋଗୁଁ ଏକ ଲୁହା ପୋଲ ଭୁଶୁଡ଼ି ପଡ଼ିଥିଲା। ଦରଭଙ୍ଗାର କୁଶେଶ୍ୱର ସ୍ଥାନ ବ୍ଲକ ଅନ୍ତର୍ଗତ ସବୋହର ଘାଟରେ ଏହି ଅଭାବନୀୟ ଘଟଣା ଘଟିଥିଲା।
୭) ପୂର୍ଣ୍ଣିଆ ପୋଲ: ୨୦୨୪ ମେ’ ୧୬ ତାରିଖରେ ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଏକ ନିର୍ମାଣାଧୀନ ପୋଲ କଂକ୍ରିଟ୍ ହେବାର ୪ ଘଣ୍ଟା ପରେ ଭୁଶୁଡ଼ି ପଡ଼ିଥିଲା। ଠିକାଦାର ଓ ଇଞ୍ଜିନିୟରମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବାରୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।
୧୭ ଦିନରେ ଭୁଶୁଡ଼ି ଥିଲା ୧୨ଟି ପୋଲ
ଜୁନ୍ ୨୭ରୁ ଜୁନ୍ ୩୦ ମଧ୍ୟରେ କିଷାନଗଞ୍ଜରେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା। ଠାକୁରଗଞ୍ଜର ଖୋଶି ଡାଙ୍ଗି ଗ୍ରାମରେ ଏକ ଘଟଣା ଦେଖିବାକୁ ମିଳିଥିଲା, ଯେଉଁଠାରେ ୨୦୦୭-୨୦୦୮ମସିହାରେ ତତ୍କାଳୀନ ସାଂସଦ ତସଲିମୁଦ୍ଦିନଙ୍କ ପାଣ୍ଠିରେ ନିର୍ମିତ ଏକ ପୋଲର ଏକ ସ୍ତମ୍ଭ ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ସମୟରେ ନଦୀରେ ଜଳ ନିଷ୍କାସନ ବୃଦ୍ଧି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା।
Comments are closed.