ବିଶେଷଜ୍ଞଙ୍କ ମତ ; ସମୟ ପୂର୍ବରୁ ମୃତ୍ୟୁକୁ ଡାକି ଆଣେ ଏସବୁ ଖାଦ୍ୟର ଅଧିକ ସେବନ..

ଉତ୍ତମ ଓ ସୁସ୍ଥ ଶରୀର ପାଇଁ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଆପଣ ଯେଉଁ ପ୍ରକାର ଖାଦ୍ୟର ସେବନ କରନ୍ତି, ଶରୀର ଉପରେ ସିଧାସଳଖ ଏହାର ପ୍ରଭାବ ପଡିଥାଏ। କେତେକ ଏପରି ଖାଦ୍ୟ ରହିଛି, ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରି ପାରିବ। ଠିକ୍‌‌ ସେହିପରି ଏପରି କିଛି ଖାଦ୍ୟ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହି ତାଲିକାରେ କିଛି ସ୍ୱତନ୍ତ୍ର ଖାଦ୍ୟ ରହିଛି..

ନିକଟରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ (ultra-processed food )ଏହି ସବୁ ଖାଦ୍ୟର ଅତ୍ୟଧିକ ସେବନ କରୁଛନ୍ତି, ସେମାନଙ୍କ ନିକଟରେ ମସ୍ତିଷ୍କରେ ସମସ୍ୟା, ହୃଦୟରୋଗ, ମଧୁମେହ, ମୋଟାପଣ ସମେତ ପ୍ରାୟ ୩୨ ପ୍ରକାରର ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହାଦ୍ୱାରା ସମୟ ପୂର୍ବରୁ ମୃତ୍ୟୁର ସମ୍ଭାବନାକୁ ମଧ୍ୟ ବୃଦ୍ଧି କରିଥାଏ। ଏସବୁ ଖାଦ୍ୟରେ ଅଧିକ କ୍ୟାଲୋରୀ ରହିଛି, ଯାହା ଓଜନ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ଏହି ଖାଦ୍ୟରେ ଚିନି, ଲୁଣ ଆଦିର ମାତ୍ରା ଅଧିକ ଥାଏ। ଏହି ଖାଦ୍ୟ ପଦାର୍ଥ ମୁଖ୍ୟତଃ ବ୍ୟବହାର କରିବାକୁ ପ୍ରସ୍ତୁତ ଶୈଳୀରେ ତିଆରି ହୋଇଥାଏ। ଆଇସକ୍ରିମ, ସସ୍‌‌, ବିସ୍କୁଟ, କାର୍ବୋନେଟେଡ ପାନୀୟ, ସୁପ୍‌‌ ଆଦି ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମସ୍ତ ଖାଦ୍ୟର ଅତ୍ୟଧିକ ସେବନ ଦ୍ୱାରା ଶରୀରରେ କ୍ୟାଲୋରୀ ଓ ଫ୍ୟାଟ୍‌‌ର ମାତ୍ରା ବୃଦ୍ଧି ପାଇଥାଏ। ଏସବୁ ଅତ୍ୟଧିକ ପରିମାଣରେ ସେବନ କରିବା ଦ୍ୱାରା ଶରୀରରେ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇବା ସହ ଉଚ୍ଚ ରକ୍ତଚାପର ସ୍ତର ଅଧିକ ହେବାର ସମ୍ଭାବନା ରହିଛି। ଏହି କାରଣରୁ ଏପରି ଖାଦ୍ୟ ପଦାର୍ଥ ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ।

ଅଧ୍ୟୟନର ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି, ଯେଉଁମାନେ ଏସବୁ ଖାଦ୍ୟର ଅତ୍ୟଧିକ ସେବନ କରିଥାଆନ୍ତି, ସେମାନଙ୍କ ନିକଟରେ ହୃଦୟ ଜନିତ ରୋଗ ହେବା ସହ ମୃତ୍ୟୁର ସମ୍ଭାବନା ୫୦ ପ୍ରତିଶତ ଅଧିକ ଥାଏ। ଏସବୁ ଖାଦ୍ୟ ପଦାର୍ଥ ମାନସିକ ରୋଗ ମଧ୍ୟ ସୃଷ୍ଟି କରିବାର ୪୮-୫୩ ପ୍ରତିଶତ ଓ ମଧୁମେହ ହେବାର ସମ୍ଭାବନା ୧୨ ପ୍ରତିଶତ ଅଧିକ ବୃଦ୍ଧି କରିଥାଏ। ବିଶେଷଜ୍ଞ ମାନେ ପ୍ରାୟ ୧ କୋଟି ଲୋକଙ୍କୁ ନେଇ ଏହି ଅଧ୍ୟୟନ କରିଥିବା ବେଳେ ସେମାନଙ୍କ ନିକଟରେ ମାନସିକ, ହୃଦୟ ଜନିତ ସମସ୍ୟା ଦେଖିବାକୁ ପାଇଥିବା କହିଛନ୍ତି।

ଏସବୁ ଖାଦ୍ୟରେ ଫାଇବର, ପ୍ରୋଟିନ୍‌‌ ଓ ଭିଟାମିନ୍‌‌ର ମାତ୍ରା ଖୁବ୍‌‌ କମ୍‌‌ ଥାଏ, ତେଣୁ ଏହାର ସେବନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ବିଶେଷଜ୍ଞଙ୍କ ମତ, ଶରୀରକୁ ରୋଗ ମୁକ୍ତ ରଖିବା ନିତାନ୍ତ ଜରୁରୀ। ତେଣୁ ସୁସ୍ଥ ଓ ପୁଷ୍ଟିଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ। ଅଧ୍ୟୟନ ଅନୁଯାୟୀ, ଶରୀରକୁ ରୋଗରୁ ରକ୍ଷା କରିବା ପାଇଁ ଭୋଜନ ଥାଳିରେ ଫଳ ଓ ପନିପନିବା ନିଶ୍ଚୟ ସାମିଲ କରନ୍ତୁ। ଖାଦ୍ୟରେ ରଙ୍ଗବେରଙ୍ଗ ଅର୍ଥାତ୍‌‌ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ମାତ୍ରା ବୃଦ୍ଧି କରି ଆଣ୍ଟି-ଅକ୍ସିଡାଣ୍ଟ, ପ୍ରୋଟିନ୍‌‌ ଓ ଭିଟାମିନ୍‌‌ ପାଇପାରିବେ। ଯାହା ଦ୍ୱାରା ଆପଣ ରୋଗ ଠାରୁ ନିଜକୁ ରକ୍ଷା କରି ପାରିବେ।

Comments are closed.