www.samajalive.in
Thursday, December 11, 2025
14.1 C
Bhubaneswar

ୟୁକ୍ରେନର ୫ ଷଡ଼ଯନ୍ତ୍ରକାରୀଙ୍କୁ ହତ୍ୟା

କିଭ୍‌ : ରୁଷ-ୟୁକ୍ରେନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଆଶା କ୍ଷୀଣ ମନେହେଉଛି। ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ରୁଷ ସୈନ୍ୟମାନେ ୟୁକ୍ରେନ ସୀମାର ନିକଟକୁ ଆସିବାରେ ଲାଗିଛନ୍ତି। ରବିବାର ଉପଗ୍ରହ ସୂତ୍ରରୁ ମିଳିଥିବା ଚିତ୍ରରୁ ଜଣାଯାଇଛି ଯେ ରୁଷର ସ୍ଥଳସେନା ପୂର୍ବର ସେନା ଛାଉଣୀ ଏବଂ ତାଲିମ ଅଞ୍ଚଳ ଛାଡି ସଂପ୍ରତି ସୀମାନ୍ତ ଅଞ୍ଚଳରେ ଠୁଳ ହେବାରେ ଲାଗିଛନ୍ତି। ଏପରିକି ସାଞ୍ଜୁଆ ଗାଡି, ତୋପ ଆଦିକୁ ମଧ୍ୟ ସୀମାନ୍ତକୁ ଅଣାଯାଉଛି। ରୁଷର ବ୍ୟାପକ ସମରସଜ୍ଜା ସହିତ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷା ଏବଂ ଯୁଦ୍ଧ ଆଶଙ୍କା ଘନଉଥିବାରୁ ୟୁକ୍ରେନର ପୂର୍ବଭାଗରେ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଡନେସ୍କ ଏବଂ ଳୁଗାନସ୍କର ବାସିନ୍ଦା ସହର ଛାଡି ଚାଲିଯାଇଛନ୍ତି। ଏବେ ଏହି ଦୁଇ ସହର ଜନଶୂନ୍ୟ ହୋଇପଡିଛି। ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନର ଆକ୍ରମଣ ଆଶଙ୍କରେ ରୁଷ ନିକଟରୁ ସୈନ୍ୟ ସମର୍ଥନ ଲୋଡିଛନ୍ତି। ଅନ୍ୟପକ୍ଷରେ ରୁଷ ପକ୍ଷରୁ କୁହାଯାଇଛି ଯେ ଏହାର ସୈନ୍ୟମାନେ ନିଜ ଦେଶ ସୀମା ମଧ୍ୟରେ ୟୁକ୍ରେନର ୫ ଜଣ ଷଡଯନ୍ତ୍ରକାରୀଙ୍କୁ ହତ୍ୟା କରିଛନ୍ତି। ରୁଷ ସେନାର ଏଭଳି ଦାବିକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ପୁନଶ୍ଚ ଚରମ ସୀମାରେ ପହଞ୍ଚିଛି। ରୁଷର ରୋସ୍ତୋଭ ଅଞ୍ଚଳରେ ଥିବା ମିତ୍ୟାକିନସ୍କ୍ୟାୟା ଗ୍ରାମ ନିକଟରେ ଏହି ୫ ଷଡ଼ଯନ୍ତ୍ରକାରୀ ଧରାପଡିଥିଲେ। ଏହି ଘଟଣାର ତୀବ୍ର ପ୍ରତିବାଦ ଜଣାଇଛି ୟୁକ୍ରେନ। ୟୁକ୍ରେନର ଗୁଳିଗୋଳା ଆକ୍ରମଣରେ ଫେଡେରାଲ ସିକ୍ୟୁରିଟି ସର୍ଭିସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ରୁଷ ଅଭିଯୋଗ କରିଛି। ତେବେ ୟୁକ୍ରେନ ଏହାକୁ ଅସ୍ବୀକାର କରିବା ସହିତ ମସ୍କୋ ମିଥ୍ୟା ଖବର ପ୍ରଚାର କରୁଥିବା କହିଛି। ଦୁଇଦେଶ ମଧ୍ୟରେ ଲାଗିରହିଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ଆୟୋଜନ ଦିଗରେ ଫ୍ରାନ୍ସ ରାଷ୍ଟ୍ରପତି ଉମାନୁଏଲ ମ୍ୟାକ୍ରମନଙ୍କ ପ୍ରୟାସ ଫଳପ୍ରସୂ ହେବାନେଇ ପ୍ୟାରିସ ପକ୍ଷରୁ କୁହାଯାଇଥିବାବେଳେ ରୁଷ କହିଛି ଯେ ଏଭଳି ବୈଠକ ନେଇ କୋୖଣସି ନିର୍ଦ୍ଦିଷ୍ଟ ​‌େ​‌ଯାଜନା ନାହିଁ। ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ବିବାଦ ଯୁଦ୍ଧ ଆଡକୁ ଗତି କରୁଥିବା ଲକ୍ଷ୍ୟ କରିବା ପରେ ଏକାଧିକ ବିମାନ ଚଳାଚଳ ସଂସ୍ଥା ୟୁକ୍ରେନକୁ ସେମାନଙ୍କର ବିମାନ ଉଡାଣ ବାତିଲ କରିଛନ୍ତି ଅଥବା ସମୟରେ ପରିବର୍ତ୍ତନ କରିଛନ୍ତି।
ୟୁକ୍ରେନ ସୀମାନ୍ତରେ ପରିସ୍ଥିତି ଦିନକୁ ଦିନ ଖରାପ ହେବାକୁ ଲାଗିଥିବାବେଳେ ବାଇଡେନଙ୍କ ସହିତ ପୁଟିନଙ୍କ ବୈଠକକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଭଳି ଏକ ପ୍ରୟାସକୁ ୟୁକ୍ରେନ ସ୍ବାଗତ କରିଥିଲେ ମଧ୍ୟ କ୍ରେମଲିନ ବିବାଦ ସମାଧାନ ଚାହୁଁନଥିବା ୟୁକ୍ରେନ ଦାବି କରିଛି। ଇତିମଧ୍ୟରେ ଉତ୍ତେଜନା କାରଣରୁ ଡଲାରରେ କାରବାର ହେଉଥିବା ରୁଷିଆର ଆରଟିଏସ୍‌ ସୂଚକାଙ୍କ ସୋମବାର ଆନ୍ତର୍ଜାତିକ ସମୟ ୧୨ ସୁଦ୍ଧା ୮.୫% ହ୍ରାସ ପାଇଥିଲା। ବର୍ଷ ଆରମ୍ଭରୁ ଏଥିରେ ୧୯% ହ୍ରାସ ପାଇଥିବା ଜଣାଯାଇଛି। ରୁଷର ମୁଦ୍ରା ରୁ​‌େ​‌ବଲ ମୂଲ୍ୟ ମଧ୍ୟ ଡଲାର ତୁଳନାରେ ହ୍ରାସପାଇ ୭୮ରେ ପହଞ୍ଚିଛି। ସେହିଭଳି ୟୁରୋ ତୁଳନାରେ ରୁବେ‌ଲର ବିନିମୟ ମୂଲ୍ୟ ୮୯ ରୁବଲକୁ ଖସିଆସିଛି।
ଇତିମଧ୍ୟରେ କ୍ରେମଲିନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବୈଠକ ନେଇ ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ପୁଟିନଙ୍କ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ, କୋୖଣସି ପ୍ରକାର ଶିଖର ବୈଠକ ଆୟୋଜନ ନେଇ କିଛି ନିର୍ଦ୍ଦିଷ୍ଟ ଯୋଜନା ସମ୍ପର୍କରେ କହିବା ସାମ୍ପ୍ରତିକ ପରିସ୍ଥିତିରେ ଅପରିପକ୍ବତା ହେବ। ଅନୁରୂପ ଭାବରେ ୱାଶିଂଟନ ପକ୍ଷରୁ କୁହାଯାଇଛି, ବୈଠକ ଆୟୋଜନ ​‌ସମୟ ଏବଂ ଆଲୋଚନାର ବିଷୟବସ୍ତୁ ପ୍ରଥମେ ସ୍ଥିର କରିବାକୁ ହେବ। ସେହିଦୃଷ୍ଟିରୁ ବୈଠକ ଆୟୋଜନ ସମ୍ପର୍କରେ ସଂପ୍ରତି କେବଳ ପରିକଳ୍ପନା କରାଯାଇପାରେ। ତେବେ ଉତ୍ତେଜନା ପ୍ରଶମନ ସକାଶେ ଏଭଳି ଏକ ବୈଠକ ଆୟୋଜନ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷରେ ୟୁକ୍ରେନର ପୂର୍ବଭାଗରେ ୟୁକ୍ରେନ ସୈନ୍ୟ ଏବଂ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଜୋରଦାର ଚାଲିଛି। ୟୁକ୍ରେନ ସୀମାନ୍ତରେ ଆମେରିକାର ୧ ଲକ୍ଷ ୫୦ ହଜାର ସୈନ୍ୟ ଠୁଳ ହୋଇଥିବା ଏବଂ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଯୋଜନା କରିସାରିଥିବା ଆମେରିକା ଦାବି କରିଆସୁଛି। ମସ୍କୋ ଏଥିପାଇଁ ଏକ ଆଳ ଖୋଜୁଥିବା ୱାଶିଂଟନ ପକ୍ଷରୁ କୁହାଯାଇଛି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍‌ସି ରେଜିନକୋଭ ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ହଟିବାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷରେ ମସ୍କୋ ସମର୍ଥିତ ବିଦ୍ରୋହୀମାନେ ୟୁକ୍ରେନର ସୀମାନ୍ତ ଅଞ୍ଚଳକୁ ଲକ୍ଷ୍ୟକରି ଗୁଳିଗୋଳା ମାଡ ଜାରି ରଖିଛନ୍ତି। ସୋମବାର ପ୍ରତ୍ୟୁଷରୁ ସକାଳ ୯ଟା ମଧ୍ୟରେ ସେମାନେ ପ୍ରାୟ ୧୪ ଥର ଆକ୍ରମଣ କରିଛନ୍ତି ଏବଂ ସେଥିରେ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି ତାହାକୁ ମିନସ୍କ ରାଜିନାମାରେ ନିଷେଧ କରାଯାଇଥିଲା। ସେମାନଙ୍କ ଆକ୍ରମଣରେ ୟୁକ୍ରେନର ଜଣେ ସୈନ୍ୟ ଆହତ ହୋଇଛନ୍ତି।
ୟୁକ୍ରେନ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ ହ୍ୟାକରମାନେ ୟୁକ୍ରେନର ପ୍ରତିରକ୍ଷା ବିଭାଗ, ସରକାରୀ ସଂସ୍ଥା ଓ ବ୍ୟାଙ୍କଗୁଡିକ ଉପରେ ସାଇବର ଆକ୍ରମଣ କରିବାକୁ ଅନ୍‌ଲାଇନ ଚେତାବନୀ ଦେଉଛନ୍ତି। ନିକଟରେ ୟୁକ୍ରେନ ଏହିଭଳି ଏକାଧିକ ସାଇବର ଆକ୍ରମଣର ଶିକାର ହୋଇସାରିଛି। ଏଥିପାଇଁ କିଭ୍‌ ପକ୍ଷରୁ ରୁଷକୁ ଦାୟୀ କରାଯାଇଛି। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ରୁଷ-ୟୁକ୍ରେନ ବିବାଦକୁ ଲକ୍ଷ୍ୟକରି ଏକାଧିକ ବିଦେଶୀ ବିମାନ ଚଳାଚଳ ସଂସ୍ଥା ୟୁକ୍ରେନକୁ ସେମାନଙ୍କର ବିମାନ ଉଡାଣ ବାତିଲ କରିଛନ୍ତି ଅଥବା ସମୟରେ ପରିବର୍ତ୍ତନ କରିଛନ୍ତି। ପ୍ରାୟ ୧୦ଟି ବିମାନ ଚଳାଚଳ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଛନ୍ତି। ଜର୍ମାନୀର ଲୁଫ୍‌ଥାନ୍‌ସା ସୋମବାର ଠାରୁ ୟୁକ୍ରେନକୁ ବିମାନ ଉଡାଣ ସ୍ଥଗିତ ରଖିଛି। ପୂର୍ବରୁ କେଏଲଏମ୍‌ ମଧ୍ୟ ଉଡାଣ ସ୍ଥଗିତ ରଖିସାରିଛି। ସ୍କାଣ୍ଡିନେଭିଆର ବିମାନ ଚଳାଚଳ ସଂସ୍ଥା ଏସଏଏସ୍‌ ମଧ୍ୟ ସାପ୍ତାହିକ ଉଡାଣକୁ ସ୍ଥଗିତ ରଖିଛି ଏବଂ ଏୟାର ଫ୍ରାନ୍ସ ତାହାର ମଙ୍ଗଳବାର ଦିନ କିଭ୍‌କୁ ଉଡାଣ କରିବାକୁ ଥିବା ବିମାନକୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବାତିଲ କରିଛି। ଅନ୍ୟପକ୍ଷରେ ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ତାହାର ଉଡାଣଗୁଡିକ ନିମନ୍ତେ ଟିକଟ ବିକ୍ରି ଜାରି ରଖିବା ସହିତ କିଭ୍‌ରୁ ମ୍ୟୁନିଚ୍‌ ଏବଂ ଜେନେଭାକୁ ଅଧିକ ଉଡାଣ ପାଇଁ ପଦକ୍ଷେପ ନେଉଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories