ବନ୍ଦ ହେବ ୟୁଜିସି, ଆସିବ ଉଚ୍ଚ ଶିକ୍ଷା ଆୟୋଗ

0

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅବସାନ ଘଟାଇ ଏହା ସ୍ଥାନରେ ଉଚ୍ଚ ଶିକ୍ଷା ଆୟୋଗ ଗଠନ କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଫଳରେ ଖୁବଶୀଘ୍ର ୟୁଜିସି ଇତିହାସ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ମାନବ ସମ୍ବଳ ଏବଂ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୯୫୬ ୟୁଜିସି ଆଇନ୍‍ର ପରିସମାପ୍ତି ଘୋଷଣା କରାଯାଇଛି ଓ ଖୁବଶୀଘ୍ର ଏହା ସ୍ଥାନରେ ଉଚ୍ଚ ଶିକ୍ଷା ଆୟୋଗ ଗଠନ କରାଯିବ ବୋଲି କୁହାଯାଇଛି। କେନ୍ଦ୍ର ସରକାର ଉଚ୍ଚ ଶିକ୍ଷା ଉପରେ ନଜର ରଖିବାକୁ ଭାରତ ଉଚ୍ଚ ଶିକ୍ଷା ନିୟନ୍ତ୍ରକ ଆୟୋଗ (ଏଚ୍‍ଇଆରସି) ଗଠନ କରିବେ ଓ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୬୧ ବର୍ଷର ପୁରୁଣା ୟୁଜିସି ଆଇନର ପରିସମାପ୍ତି ଘଟିବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସରକାର ଗତ ମାର୍ଚ୍ଚ ମାସରେ ଉଚ୍ଚଶିକ୍ଷା ଆୟୋଗ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଉଚ୍ଚ ଶିକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏକ ବଡ଼ଧରଣ ସଂସ୍କାର ପାଇଁ ପ୍ରୟାସ ଚଳାଇଥିଲେ। ଏ କ୍ରମରେ ୟୁଜିସି ଏବଂ ଏଆଇସିଟିସିକୁ ହଟାଇ ଗୋଟିଏ ନିୟନ୍ତ୍ରକ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଯୋଜନା କରିଛନ୍ତି। ଦ୍ୱିତୀୟ ମୌସୁମୀ ଅଧିବେଶନରେ ସରକାର ଏଚ୍‍ଇଆରସି ବିଲ୍‍ ଆଗତ କରିବେ ବୋଲି ସୂଚନା ମିଳିଛି। ଏହି ବିଲ୍‍ ଆଇନ୍‍ରେ ପରିଣତ ହେବା ପରେ ଦେଶରେ ଉଚ୍ଚଶିକ୍ଷା ପାଇଁ ଗଠିତ ସମସ୍ତ ଶିକ୍ଷା ଆୟୋଗ ଏବ ପରିଷଦର ସମାପ୍ତି ଘଟିବ ଓ ଗୋଟିଏ ନିୟନ୍ତ୍ରକ ଦ୍ୱାରା ସମସ୍ତ ଶିକ୍ଷାନୁଷ୍ଠାନ ନିୟନ୍ତ୍ରିତ ହେବେ। ଏହା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଏହା ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ। ନୂତନ ପାଠ୍ୟକ୍ରମ ନେଇ ଏହା ସମସ୍ତ ଶିକ୍ଷାନୁଷ୍ଠାନକୁ ପରାମର୍ଶ ପ୍ରଦାନ କରିବ। ତେବେ ଏହି ଆୟୋଗ କୌଣସି ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାସଂସ୍ଥାକୁ ଅନୁଦାନ ପ୍ରଦାନ କରିିପାରିବ ନାହିଁ। ଅନୁଦାନ ପାଇଁ ଆୟୋଗ କେବଳ ଏଚ୍‍ଆରଡି ମନ୍ତ୍ରାଳୟକୁ ସୁପାରିଶ କରିପାରିବ। ଏହି ବିଲ୍‍କୁ ମାନବ ସମ୍ବଳ ଏବଂ ଶିକ୍ଷା ମନ୍ତ୍ରାଳୟ ପ୍ରସ୍ତୁତ କରିଛି ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହାର ଅନୁଧ୍ୟାନ କରିଛି। ଚଳିତ ବର୍ଷ ସେପ୍ଟେମ୍ବର ମୌସୁମୀ ଅଧିବେଶନରେ ଏହି ବିଲ୍‍କୁ ଆଗତ କରାଯିବ ବୋଲି ସୂଚନା ମିଳିଛି।

kalyan agarbati
Leave A Reply