ଦମ୍ପତିଙ୍କଠୁ ଲୁଟ୍, ୨ ଲୁଟିଆ ଗିରଫ

କଳାପଥର : ବାଙ୍କୀ ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖରୁ ଏକ ଦମ୍ପତି ଲୁଟର ଶିକାର ହୋଇଛନ୍ତି । ବାଙ୍କୀ ବାଆଁରା ରାମଚଣ୍ଡୀ ଅଞ୍ଚଳର ସରୋଜିନୀ ଓ ତାଙ୍କ ସ୍ୱାମୀ ସମୀର ସାହୁଙ୍କଠୁ ଦିନ ଦ୍ବିପ୍ରହରେ ବାଙ୍କୀ ଥାନାଠାରୁ କେଇ ମିଟର ଦୂରରୁ ୪୮ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ । ଅନ୍ୟପଟେ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ୨ ଜଣ ଅଚିହ୍ନା ଯୁବକଙ୍କୁ ଅଟକ ରଖିଛି ବୈଦେଶ୍ଵର ପୁଲିସ । ତାଙ୍କ ନିକଟରୁ ୮୦ ହଜାର ଟଙ୍କା ଜବତ କରି ବାଙ୍କୀ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥବା ବୈଦ୍ୟେଶ୍ୱର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ଜଣାଇଛନ୍ତି । ଅଟକ ୨ ଜଣ ଯୁବକଙ୍କ ଘର କଟକ ଦରଘା ବଜାର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ରାମଚଣ୍ଡୀ ଅଞ୍ଚଳର ସରୋଜିନୀ ଓ ସମୀର ସାହୁ ବାଙ୍କୀ ଷ୍ଟେଟ ବ୍ୟାଙ୍କକୁ କିଛି ଟଙ୍କା ଉଠାଇବା ପାଇଁ ଆସିଥିଲେ । ବ୍ୟାଙ୍କ କାମ ସାରି ରାସ୍ତା କଡ଼ରେ ରଖିଥିବା କାର ମଧ୍ୟରେ ୪୮ ହଜାର ଟଙ୍କା, ମୋବାଇଲ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ରଖି ଠିଆ ହୋଇଥିଲେ । ଅଚାନକ କିଛି ବୁଝିବା ପୂର୍ବରୁ ୨ ଜଣ ଲୁଟେରା ବାଇକରେ ଆସି ଗାଡି ମଧ୍ୟରେ ଥିବା ଟଙ୍କା, ମୋବାଇଲ, ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ନେଇ ଚମ୍ପଟ ମାରିଛନ୍ତି ବୋଲି ଥାନାରେ ଦମ୍ପତି ଅଭିଯୋଗ କରିଛନ୍ତି । ନିକଟରେ ଥିବା ସିସିଟିଭିକୁ ଆଧାର କରି ପୁଲିସ ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ ଅଟକ ୨ ଯୁବକଙ୍କୁ ପଚରାଉଚରା ଚାଲିଛି । ଏମାନେ ସେହି ବାଇକ୍ ଲୁଟେରା କି ନାହିଁ ଏବଂ ସେମାନେ ଅନ୍ୟ କେଉଁଠୁ କେଉଁଠୁ ଲୁଟ୍ କରିଛନ୍ତି ସେନେଇ ଛାନଭିନ୍ କରୁଛି ପୁଲିସ ।

Comments are closed.