ଭୀମସାର ଓ ବ୍ରହ୍ମପୁର ଏମକେସିଜି ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ୬ ଚେତାଶୂନ୍ୟ, ଜଣେ ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର: ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭୀମସାର)ରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଭୀମସାର ଓ ବ୍ରହ୍ମପୁର ଏମକେସିଜି ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସମୟରେ ୬ଜଣ ଛାତ୍ର ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ଅନେକ ଛାତ୍ର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲର ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

ବୁର୍ଲା ଭୀମସାର୍‌ରେ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ (ୟୁଫୋରିଆ) ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଛାତ୍ରମାନେ ଯୋଗଦେଇଥିଲେ। ‘ୟୁଫୋରିଆ’ ଚାଲୁଥିବାବେଳେ ଭୀମସାର ଓ ବ୍ରହ୍ମପୁର ଏମକେସିଜି ଦୁଇ ଛାତ୍ରଗୋଷ୍ଠୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆନ୍ତଃ ମେଡ଼ିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁରୋଫିଆ’ ଚାଲିଥିବାବେଳେ ବସ ଭିତରେ ଥିବା ଏକ ଛାତ୍ରଗୋଷ୍ଠୀକୁ ଫାୟାର ଏକ୍ସଟିଂଗୁଇସର ମାଡ଼ କରାଯାଇଥିଲା। ବସ ଗେଟ ବନ୍ଦ କରି ଭିତରକୁ ଫାୟାର ଏକ୍ସଟିଂଗୁଇସର ଗ୍ୟାସ ଛାଡ଼ିଦେଲେ। ଫାୟାର ଏକ୍ସଟିଂଗୁଇସରୁ ନିର୍ଗତ ଗ୍ୟାସ୍‌ ସଂସ୍ପର୍ଶରେ ଆସି କିଛି ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଭୀମ୍‌ସାର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଉଭୟ ଛାତ୍ର ମୁହାଁମୁହିଁରେ ଅନେକ ଛାତ୍ର ଆହତ ହୋଇଥିବାବେଳେ ୬ଜଣ ଚେତାଶୂନ୍ୟ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଭୀମସାର ଅଧୀକ୍ଷକ ଛାତ୍ର ଗଣ୍ଡଗୋଳ ସମ୍ପର୍କରେ କିଛି ଜାଣି ନ ଥିବା କହିଥିବାବେଳେ ଘଟଣା କ’ଣ ହୋଇଛି, ଖବର ସଂଗ୍ରହ ଚାଲିଛି ବୋଲି କଲେଜ ଡିନ ପ୍ରକାଶ କରିଛନ୍ତି।

ଏହି ଖବର ପ୍ରକାଶ ପାଇବା ପରେ ଏମ୍‌କେସିଜିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୟୁଫୋରିଆରେ ଭାଗ ନେବା ପାଇଁ ଯାଇଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା ମେଡ଼ିକାଲ୍‌ ସୂତ୍ରରୁ ଜଣାପଡ଼ିଛି।

Comments are closed.