ପର୍ଯ୍ୟଟକଙ୍କୁ ତୃପ୍ତି ଦେଉଛିିି ‘ତୃପ୍ତିସଫାରୀ’

କେନ୍ଦୁଝରଗଡ଼: ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାବେଳେ କେନ୍ଦୁଝର ଜିଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରି ଗାଁରେ ପ୍ରାୟ ୪୦ଏକର ଜମିରେ ପ୍ରତିଷ୍ଠା କରାଯାଇଥିବା ‘ତୃପ୍ତି ସଫାରୀ’ରେ ଜିଲା ସମେତ ଜିଲା ବାହାରର ବହୁ ପର୍ଯ୍ୟଟକ ଭିଡ଼ ଜମାଇଛନ୍ତି। ବିଶେଷକରି ଏଠାକାର କାନ୍ତ କମନୀୟ ପରିବେଶଠାରୁ ଆରମ୍ଭ କରି ନୌଚାଳନା ଏବଂ ଗୋଲାପ ବଗିଚା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

୨୦୧୭ରେ ଆରମ୍ଭ ହୋଇଥିବା ‘ତୃପ୍ତି ସଫାରୀ’ରେ ଥିବା ଗୋଲାପ ବଗିଚା ବେଶ୍‌‌ ଆକର୍ଷଣୀୟ। ଏଠାରେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ପ୍ରଜାତିର ଗୋଲାପ ଗଛ ଶୋଭାପାଉଛି। ସୁଗନ୍ଧିତ ଗୋଲାପର ଆକର୍ଷଣୀୟ ପରିପାଟୀ ଆବାଳ ବୃଦ୍ଧବନିତାଙ୍କ ଚିତ୍ତ ହରଣ କରିଥାଏ। ସେହିପରି ଏଠାରେ ରହିଥିବା କୃତ୍ରିମ ଜଳାଶୟରେ ବୋଟିଂ ମଜା ନିଆରା। ଏଠାରେ ଦୁଇଟି ବୋଟ ପରିଭ୍ରମଣ କରୁଥିବା ଲକ୍ଷ୍ୟ କରାଯାଇଛି। ସେହିପରି ଏଠାରେ ଏକ ମିନି ଚିଡ଼ିଆଖାନା ମଧ୍ୟ ରହିଛି। ଯେଉଁଠି ଠେକୁଆ, ଏମୁ ପକ୍ଷୀ, ଟର୍କୀ, ସାର୍କମାଛ ଆଦି ଶୋଭା ପାଉଛି। ପର୍ଯ୍ୟଟକମାନେ ମଧ୍ୟ ଏହାକୁ ଦେଖିବା ସହ ମଜା ଉଠାଇଥାନ୍ତି। ସେହିପରି ଏଠାରୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ବିସ୍ତୀର୍ଣ୍ଣ ବଣଭୋଜି ସ୍ଥଳ ରହିଛି। ପର୍ଯଟକଙ୍କ ନିମନ୍ତେ ଏହାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୁଲା ଠାରୁ ଆରମ୍ଭ କରି ହାଣ୍ଡି, ଡ଼େକ୍‌‌ଚି, ବାଲଟି, ଡ଼୍ରମ ଆଦି ବିଭିନ୍ନ ସାମଗ୍ରୀ ଭଡା ସୂତ୍ରରେ ଯୋଗାଇ ଦିଆଯାଇଥାଏ। ଏହାଛଡ଼ା ଏଠାରେ ଥିବା ‘ସେଲଫି ପଏଣ୍ଟ’ ଏବଂ ମୁକ୍ତାକାଶ ଜିମ୍‌‌ ବିଭିନ୍ନ ବର୍ଗର ପୁରୁଷ ଏବଂ ମହିଳା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ବିବାହ, ବ୍ରତ, ଜନ୍ମବାର୍ଷିକୀ, ବିବାହ ବାର୍ଷିକୀ ଆଦି ପାଇଁ ଏଠାରେ କଲ୍ୟାଣମଣ୍ଡପ ଥିବାବେଳେ ରାତ୍ରି ବିତାଇବା ପାଇଁ ଶୀତତାପ ନିୟନ୍ତ୍ରିତ ୫ଟି କୋଠରୀ ମଧ୍ୟ ରହିଛି। ଏଠାକାର ପାମ୍‌‌ ଗାର୍ଡ଼େନ ଠାରୁ ଆରମ୍ଭ କରି ଟନେଲ ବେଶ୍‌‌ ଆକର୍ଷଣୀୟ। ପ୍ରତିବର୍ଷ ନଭେମ୍ବର ଆରମ୍ଭରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ପର୍ଯ୍ୟଟକଙ୍କୁ ବିଭିନ୍ନ ସେବା ଯୋଗାଇବା ପାଇଁ ଏଠାରେ ପ୍ରାୟ ୬୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏତଦବ୍ୟତୀତ ପର୍ଯ୍ୟଟକଙ୍କ ଚାରିଚକିଆ ଏବଂ ଦୁଇଚକିଆ ଯାନ ଠାରୁ ଆରମ୍ଭ କରି ବସ ଆଦି ରହଣି ପାଇଁ ବିସ୍ତୀର୍ଣ୍ଣ ପାର୍କିଂ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ତୃପ୍ତି ସଫାରୀର ଚତୁଃପାର୍ଶ୍ବ ବୁଲିବା ପାଇଁ ଅତିକମରେ ପର୍ଯ୍ୟଟକଙ୍କୁ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ।

ସେହିପରି ନିକଟବର୍ତ୍ତୀ ବସନ୍ତପୁର କିମ୍ବା ନରଣପୁର ରେଳ ଷ୍ଟେସନ କିମ୍ବା କେନ୍ଦୁଝର ବସଷ୍ଟାଣ୍ଡରୁ ଦର୍ଶକଙ୍କୁ ଆଣି ଏଠାରେ ପହଞ୍ଚାଇବା ଲାଗି ସଫାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ଯାନବାହନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରୁ କେନ୍ଦୁଝର ଭାୟା ଚଣ୍ଡିଖୋଲ ହୋଇ ଆସୁଥିବା ବିଭିନ୍ନ ଆରାମଦାୟକ ବସ୍‌‌ରେ ଆସି ନୁଦୁରୁପଡ଼ା ଛକରେ ଓହ୍ଲାଇ ସେଠାରୁ ୧୨ କି.ମି. ଯିବା ପରେ ପଡ଼ିଥାଏ ଏହି ତୃପ୍ତିସଫାରୀ। ସେହିପରି ଘଟଗାଁରୁ ନୁଦୁରୁପଡ଼ା ଭାୟା ହରିଚନ୍ଦନପୁର ହୋଇ ଆସିଲେ ମାତ୍ର ୩୭ କିମି ପଡ଼ିଥାଏ। ତୃପ୍ତିସଫାରୀ ଦେଖିବା ପରେ ପର୍ଯ୍ୟଟକମାନେ ଏଠାରୁ ୧୫ କିମି ଦୂରରେ ଥିବା କାଣୀଝର ଜଳପ୍ରପାତ ଏବଂ ୧୫ କିମି ଦୂରରେ ଥିବା କୁଲୁ ଜଳପ୍ରପାତ ମଧ୍ୟ ଦେଖିପାରିବେ। ସେହିପରି ପ୍ରତ୍ୟହ ଆସୁଥିବା ପୁରୀ-ବଡ଼ବିଲ ପାସେଞ୍ଜର ଟ୍ରେନରେ ଆସିଲେ ବସନ୍ତପୁର ଷ୍ଟେସନରେ ଓହ୍ଲାଇ ଅଟୋ ଯୋଗେ ମଧ୍ୟ ସୁବିଧାରେ ଏହି ପର୍ଯ୍ୟଟନସ୍ଥଳରେ ପହଞ୍ଚିହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳରେ ପ୍ରତିବର୍ଷ ଅନେକ ଯୋଜନା ହାତକୁ ଗ୍ରହଣ କରାଯିବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିବା ପର୍ଯ୍ୟଟନ କେନ୍ଦ୍ରର ମାଲିକ ସନ୍ଦୀପ ବେହେରା କହିଛନ୍ତି।

Comments are closed.