ଅଗରତାଲା: ତ୍ରିପୁରାର ସ୍ବାସ୍ଥ୍ୟମନ୍ତ୍ରୀ ସୁଦୀପ ରାୟ ବର୍ମନଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି। ସୁଦୀପ ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏବଂ ତାଙ୍କ ଡେପୁଟି ଜିଷ୍ଣୁ ଦେବ ବର୍ମା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ଵ ନେବେ। ଏ ନେଇ ମୁଖ୍ୟ ସଚିବ କୁମାର ଆଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଅଧିସୂଚନାରେ ଦର୍ଶାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସୁପାରିସକ୍ରମେ ତ୍ରିପୁରା ରାଜ୍ୟପାଳ ସୁଦୀପ ରାୟ ବର୍ମନଙ୍କ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ଆବଣ୍ଟିତ କରିଛନ୍ତି। ସୁଦୀପ ବର୍ତ୍ତମାନ ମନ୍ତ୍ରୀ ପରିଷଦର ସଦସ୍ୟ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି।
ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନେକ ଷଡ଼ଯନ୍ତ୍ର ସତ୍ବେ ରାଜ୍ୟରେ ବିଜେପିକୁ ସଫଳତା ମିଳିଛି। ବିଜେପି ଭିତରେ ରହିଥିବା ଶତ୍ରୁମାନଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଆମ ନିଜ ଲୋକମାନେ ଆମ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ। ସେମାନଙ୍କ ନାମ ନେବା ଜରୁରୀ ନୁହେଁ। ଆପେ ଆପେ ସେମାନଙ୍କ ନାଁ ପଦାକୁ ଆସିଯିବ। ଦଳ ଏଭଳି ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ।



