ନୂଆଦିଲ୍ଲୀ : ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବ ଓ ଜାମ୍ମୁରେ ରାତ୍ରିକାଳୀନ ଟ୍ରେନ୍ ସେବାକୁ ସାମୟିକ ଭାବେ ବାତିଲ କରାଯାଇଛି। ବିଗତ କିଛି ଦିନ ଧରି ପାକିସ୍ତାନ ପକ୍ଷରୁ ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଘନ ଘନ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଫଳରେ ଅମୃତସର, ଭଟିଣ୍ଡା, ଫିରୋଜପୁର ଏବଂ ଜାମ୍ମୁ ବ୍ୟତୀତ ଏଲଓସି (ନିୟନ୍ତ୍ରଣ ରେଖା) ସନ୍ନିକଟ ସହରଗୁଡିକରେ ଏହି ସେବା ବାଧାପ୍ରାପ୍ତ ହେବାକୁ ଯାଉଛି। ଏହି ସବୁ ସମ୍ବେଦନଶୀଳ ସହରଗୁଡିକ ଦେଇ ରାତିରେ ଯାତାୟାତ କରୁଥିବା ଦୂରଗାମୀ ଯାତ୍ରୀବାହୀ ଟ୍ରେନଗୁଡିକୁ ବର୍ତ୍ତମାନ ଦିନ ବେଳା ଚଳାଚଳ କରିବାର ବ୍ୟବସ୍ଥା କରାଯାଉଛି। ତେବେ ସ୍ବଳ୍ପ ଦୂରତ୍ବକୁ ଅତିକ୍ରମ କରୁଥିବା ଟ୍ରେନଗୁଡିକୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଆବଶ୍ୟକ ପଡିଲେ ଏହି ରୁଟ୍ରେ ଦିନ ବେଳା ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Popular Categories



