ଡାକ୍ତର ନିଯୁକ୍ତି ଓ ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବୁଦ୍ଧିଜୀବୀ ସଂଘର ଦାବି

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ଏବଂ ସହରର ଗୁରୁତ୍ୱପୂର୍ଣ୍ଣ ତଥା ବ୍ୟସ୍ତବହୁଳ ଚାନ୍ଦବାଲି ଛକରେ ଟ୍ରାଫିକ ପୁଲିସ ବ୍ୟବସ୍ଥା କରିବା ଲାଗି ଆଠଗଡ ବୁଦ୍ଧିଜୀବୀ ସଂଘ ପକ୍ଷରୁ ସଂପୃକ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଅଛି। ବୁଦ୍ଧିଜୀବୀ ସଂଘର ବାର୍ଷିକ ଅଧିବେଶନରେ ଆଠଗଡର ଏହି ସବୁ ମୌଳିକ ସମସ୍ୟା ସମାଧାନ ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି କରି ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହି ଅନୁଯାୟୀ ବୁଦ୍ଧିଜୀବୀ ସଂଘ ପକ୍ଷରୁ ଆଠଗଡ ଡାକ୍ତରଖାନାରେ ପ୍ରାୟ ୨ବର୍ଷ ହେଲା ଖାଲି ପଡିଥିବା ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଏବଂ ଚକ୍ଷୁରୋଗ ବିଶେଷଜ୍ଞ ପଦବୀଗୁଡିକ ଯଥାଶୀଘ୍ର ପୂରଣ ଲାଗି ଦାବି କରାଯାଇଛି। ଆଠଗଡ ଡାକ୍ତରଖାନା ଉପରେ ଆଠଗଡ ଉପଖଣ୍ଡ ଏବଂ ସୀମାବର୍ତ୍ତୀ ବାଙ୍କୀ ବ୍ଲକର ୬ଟି ପଞ୍ଚାୟତ ଓ ଢେଙ୍କାନାଳ ସଦର ବ୍ଲକର ପ୍ରାୟ ୮ଟି ପଞ୍ଚାୟତର ମୋଟ ୫ଲକ୍ଷ ଲୋକ ନିର୍ଭର କରୁଥିବାବେଳେ ଉପରୋକ୍ତ ବିଶେଷଜ୍ଞ ପଦବୀଗୁଡିକ ଖାଲି ପଡିଥିବାରୁ ଅଞ୍ଚଳର ଗରିବ ଶ୍ରେଣୀର ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଭେଷଜ ବିଶେଷଜ୍ଞ ନଥିବାରୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ବୟସ୍କ ଲୋକ ଚିକିତ୍ସା ସୁବିଧା ପାଇପାରୁନାହାଁନ୍ତି। ସେହିପରି ଶଲ୍ୟ ବିଶେଷଜ୍ଞ ନଥିବାରୁ ଦୁର୍ଘଟଣାଗସ୍ତ ଆହତ ଏବଂ ଛୋଟମୋଟ ଅସ୍ତ୍ରୋପଚାର ପାଇଁ ଆସୁଥିବା ଲୋକ ଏଠାରୁ ନିରାଶ ହୋଇ ଅନ୍ୟତ୍ର ଯିବା ଦ୍ୱାରା ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଚକ୍ଷୁରୋଗ ବିଶେଷଜ୍ଞ ପଦବୀ ଖାଲିଥିବାରୁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଚକ୍ଷୁରୋଗରେ ପୀଡିତ ଲୋକ। ଅନେକ ଡାକ୍ତର ପଦବୀ ଖାଲି ରହିଥିବାବେଳେ ଅତିକମ୍‌ରେ ଏହି ଭେଷଜ, ଶଲ୍ୟ ଓ ଚକ୍ଷୁରୋଗ ବିଶେଷଜ୍ଞ ପଦବୀ ୩ଟି ତୁରନ୍ତ ପୂରଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀଙ୍କର ନିକଟରେ ଦାବି କରାଯାଇଛି। ଏତଦ୍ବ୍ୟତୀତ ଆଠଗଡ ଚାନ୍ଦବାଲିଛକ ଏକ ବ୍ୟସ୍ତବହୁଳ ତଥା ଗୁରୁତ୍ୱପୂର୍ଣ୍ଣ ଛକ ହୋଇଥିବାବେଳେ  ୫ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏହି ଛକ ସହିତ ସଂଯୁକ୍ତ ରହିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ୨ ଚକିଆ, ୪ ଚକିଆ ଓ ଭାରିଯାନ ଏହି ଛକ ଦେଇ ଅତିକ୍ରମ କରିବାବେଳେ ଅଧିକାଂଶ ସମୟ ଟ୍ରାଫିକ୍ ଜାମ ହୋଇଯାଉଛି। ଏପରିକି ସେଠାରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ପୂର୍ବରୁ ବୁଦ୍ଧିଜୀବୀ ସଂଘର ଦାବି ଫଳରେ ସେଠାରେ ୨ଜଣ ଟ୍ରାଫିକ୍ ପୁଲିସ ନିଯୁକ୍ତ ହୋଇଥିଲେ। ତେବେ କେଉଁ କାରଣରୁ ବା କାହିଁକି ସେମାନଙ୍କୁ ପ୍ରତ୍ୟାହାର କରିନିଆଗଲା ତାହା ବୁଝାପଡୁନାହିଁ। ସେଠାରେ ଆଠଗଡ ଥାନା ପକ୍ଷରୁ ୨ଜଣ ମହିଳା କନେଷ୍ଟବଳଙ୍କୁ କେବଳ ସକାଳ ବେଳା ୪ଘଣ୍ଟା କର୍ତ୍ତବ୍ୟ କରୁଥିବା ଦେଖାଯାଉଛି। ତେଣୁ ସେଠାରେ ସବୁବେଳେ ଟ୍ରାଫିକ୍ ଜାମ ରହୁଥିବାରୁ ଭିଡ ନିୟନ୍ତ୍ରଣ ସମ୍ଭବ ହେଉନାହିଁ। ସେହି ରାସ୍ତା ଦେଇ ଶହ ଶହ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ସାଇକେଲରେ ଯାଉଥିବାବେଳେ ସେମାନଙ୍କ ପାଇଁ ସବୁ ସମୟରେ ଦୁର୍ଘଟଣା ଆଶଙ୍କା ରହୁଛି। ଏହି ସବୁକୁ ଦୃଷ୍ଟିରେ ରଖି ଚାନ୍ଦବାଲିଛକଠାରେ ପୂର୍ବପରି ଦିନକୁ ଅତିକମ୍‌ରେ ୧୨ଘଣ୍ଟା ତାଲିମପ୍ରାପ୍ତ ଟ୍ରାଫିକ୍ ପୁଲିସ ମୁତୟନ କରିବା ଲାଗି ବୁଦ୍ଧିଜୀବୀ ସଂଘ ପକ୍ଷରୁ କଟକ ଗ୍ରାମାଞ୍ଚଳ ଏସପିଙ୍କ ନିକଟରେ ଦାବି କରାଯାଇଛି। ସଂଘ ପକ୍ଷରୁ ଏସମ୍ପର୍କିତ ସ୍ମାରକପତ୍ର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ପଠାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଛି।

Comments are closed.