ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ପାର୍ଶ୍ବସ୍ଥ ରେଙ୍ଗାଲିକ୍ୟାମ୍ପ ପେଟ୍ରୋଲ ପମ୍ପ ନିକଟରୁ ଚୋରି ହୋଇଥିବା ଟ୍ରାକ୍ଟର ଏବଂ ହାର୍ଭେଷ୍ଟର ପଞ୍ଜାବରୁ ଉଦ୍ଧାର ହୋଇଛି। ପ୍ରାୟ ୧ ମାସ ପରେ ପୁଲିସ ଏହାକୁ ଜବତ କରିବାରେ ସଫଳ ହୋଇଛି।
ସୂଚନା ଅନୁସାରେ, ଦେବାହାଳ ଗ୍ରାମର ବାସୁଦେବ ବାରିକଙ୍କ ଟ୍ରାକ୍ଟରରେ ଏକ ହାର୍ଭେଷ୍ଟର ବୋଝେଇ ହୋଇ ରହିଥିଲା। ଗତ ଜୁନ ୨ ତାରିଖ ରାତିରେ କେହି ଦୁର୍ବୃତ୍ତ ଟ୍ରାକ୍ଟର ସହିତ ହାର୍ଭେଷ୍ଟରକୁ ଚୋରି କରିନେଇଥିଲା। ୩ ତାରିଖ ସକାଳେ ବାସୁଦେବ ନିଜ ଗାଡ଼ି ନ ଥିବା ଦେଖି ଅତାବିରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବାରୁ ଦୁର୍ବୃତ୍ତ ଗାଡ଼ିକୁ ଛତିଶଗଡ଼ ଅଭିମୁଖେ ନେଇଥିବା ଜଣାପଡ଼ିଥିଲା। ସ୍ଥାନୀୟ ପୁଲିସ ଛତିଶଗଡ ଓ ମଧ୍ୟପ୍ରଦେଶ ପୁଲିସକୁ ଖବର ଦେବା ସହ ଚୋରକୁ ଧରିବା ପାଇଁ ରାୟପୁର ପର୍ଯ୍ୟନ୍ତ ତନାଘନା ଜାରି ରଖିଥିଲା। ଘଟଣାର ଗୋଟିଏ ମାସ ପରେ ପଞ୍ଜାବରୁ ଅଭିଯୁକ୍ତକୁ ଧରିଛି ପୁଲିସ। ତା’ଠାରୁ ହାର୍ଭେଷ୍ଟର ଜବତ ହୋଇଥିବା ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଓ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଜଣକ ପଞ୍ଜାବ ଶ୍ରୀମୁକ୍ତେଶ୍ୱର ସାହିବ ଜିଲ୍ଲା ଲକ୍ଷେୱାଲି ଥାନା ଟାମ୍ କୋଟ ଗ୍ରାମର ସେୱା ସିଂହ(୩୮) ବୋଲି ଜଣାପଡିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରି ଘଟଣାର ଚେର ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଥିବା ଓ ଏଥିରେ ଆହୁରି କିଛି ବ୍ୟକ୍ତି ସଂଶ୍ଳିଷ୍ଟ ଥିବା ଅନୁମାନ କରାଯାଉଛି।



