କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରୁଛି ଟିପିଏସ୍ଓଡିଏଲର କ୍ରୀଡ଼ା ପଦକ୍ଷେପ
ବ୍ରହ୍ମପୁର : କର୍ମଚାରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ କରିଆସିଛି । କମ୍ପାନୀ ଦକ୍ଷିଣ ଓଡ଼ିଶାରେ ଏହାର ପରିସରଭୁକ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜନ କରିଛି ଏବଂ ଏ ଦିଗରେ ପଦକ୍ଷେପ ନେଇଛି । ବିଭିନ୍ନ ସ୍ଥାନରେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ, ଚେସ୍, କ୍ୟାରମ୍, କ୍ରିକେଟ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଛି । ଟିପିଏସ୍ଓଡିଏଲରେ କର୍ମଚାରୀ ନିୟୋଜନ, ଚାପ ହ୍ରାସ ଏବଂ ଉତ୍ତମ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ପାଇଁ କ୍ରୀଡ଼ା ଏକ ମାଧ୍ୟମ ସାଜିଛି । “ବି ଫିଟ୍ ଆଣ୍ଡ ରେଜ୍ ଦ ବାର’ ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ମାନସିକ ଚାପ କମାଇବା, ଆରାମ ବଢ଼ାଇବା ଏବଂ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି । ସମସ୍ତ ଡିଭିଜନରେ ଏସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସେଶନ୍ କରାଯାଇଥିଲା ।
ବିଗତ ଦିନରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ସବୁ ସର୍କଲର କର୍ମଚାରୀ ଉତ୍ସାହର ସହ ଭାଗ ନେଇଥିଲେ । କମ୍ପାନୀ ଅକ୍ଟୋବର ୨୦୨୩ରେ ଚେସ୍ ଓ କ୍ୟାରମ ଟୁର୍ଣ୍ଣାମେଣ୍ଟ ଏବଂ ୨୦୨୩ ନଭେମ୍ବର ୧୮-୧୯ ରେ ବ୍ୟାଡମିଣ୍ଟନ୍ ଓ ଟେବୁଲ୍ ଟେନିସ ପ୍ରତିଯୋଗିତା ଆୟୋଜନ କରିଥିଲା । ବ୍ରହ୍ମପୁର ସ୍ଥିତ ସ୍ପୋର୍ଟସ ଏରେନାରେ ୨୦୨୩ ଡିସେମ୍ବର ୨ ଓ ୩ ତାରିଖରେ ବ୍ୟାଡମିଣ୍ଟନ୍ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ବିଜୟୀ ଦଳ ବାଙ୍ଗାଲୋରରେ ଟାଟା ପାୱାର ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯାଇଥିଲେ । ସେହିଭଳି ୨୦୨୪ ଜାନୁଆରୀ ୬ ଓ ୭ ରେ ବ୍ରହ୍ମପୁର ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ଏବଂ ଏଥିରେ ବିଜୟୀ ଦଳ ପାୱାର କପ୍ ଖେଳିବା ପାଇଁ ମନୋନୀତ ହୋଇଥିଲେ । ୨୦୨୪ ଫେବୃଆରୀ ୧୮ ରେ ବ୍ରହ୍ମପୁରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ବିଜନେସ୍ ଆସୋସିଏଟ ସ୍ପୋର୍ଟସ ମିଟ୍ ଅନୁଷ୍ଠିତ ହୋଇଛି । ନିକଟ ଅତୀତରେ ଚଳିତ ବର୍ଷ ଅଗଷ୍ଟ ୨୪ ରୁ ୨୬ ପର୍ଯ୍ୟନ୍ତ ସ୍ପୋର୍ଟସ ଏରେନାଠାରେ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ଏଥିରେ ଅତି ଉତ୍ସାହର ସହ କର୍ମଚାରୀମାନେ ଭାଗ ନେଇଥିଲେ, ଯାହା ଫିଟନେସ ଉପରେ ସେମାନଙ୍କ ଗୁରୁତ୍ୱକୁ ଦର୍ଶାଉଛି ।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “କ୍ରୀଡ଼ା ଦିବସ କେବଳ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବାରେ ସୀମିତ ନୁହେଁ, ବରଂ ଏହା କ୍ରୀଡ଼ା ମୂଲ୍ୟବୋଧର ଏକ ପ୍ରତିଫଳନ । ଖେଳ ଆମକୁ ଶୃଙ୍ଖଳା, ଅଧ୍ୟବସାୟ, ଦଳଗତ ପ୍ରୟାସ ଏବଂ ଲକ୍ଷ୍ୟ ସ୍ଥିର କରିବା ଶିଖାଏ, ଯାହା ଗୋଟିଏ କମ୍ପାନୀର ସଫଳତା ପାଇଁ ଜରୁରୀ । ଟିପିଏସ୍ଓଡିଏଲରେ ଆମେ ଏଇ ସମୃଦ୍ଧ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିଛୁ, ଯାହା କେବଳ କର୍ମକ୍ଷେତ୍ରରେ ସୀମିତ ନ ରହି ଏକ ସୁସ୍ଥ ଓ ସକ୍ରିୟ ଜୀବନ ବଞ୍ଚିବାକୁ କର୍ମଚାରୀଙ୍କୁ ପ୍ରେରଣା ଦିଏ ।”
Comments are closed.