ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍‌

ବେଙ୍ଗାଲୁରୁ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପୂର୍ବରୁ ଘରୋଇ ମାଟିରେ ଭାରତ ଅନ୍ତିମ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜିଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ଖେଳିବା ଲାଗି ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ। ଭାରତ ୩ଟିଯାକ ଟେଷ୍ଟମ୍ୟାଚ୍‌ ଜିତିଲେ ଏହାର ଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ ହୋଇଯିବ। ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍‌ସନ ପ୍ରଥମ ଟେଷ୍ଟ ନ ଖେଳିବା ନ୍ୟୁଜିଲାଣ୍ଡ ପାଇଁ ଶକ୍ତ ଧକ୍କା। ପୁଣି ଟିମ୍ ସାଉଦିଙ୍କ ଇସ୍ତଫା ପରେ ନୂଆ ଅଧିନାୟକ ଟମ୍ ଲାଥାମ୍‌ ନ୍ୟୁଜିଲାଣ୍ଡର ନେତୃତ୍ବ ନେବେ। ନିକଟରେ ଶ୍ରୀଲଙ୍କାଠାରୁ ୦-୨ରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଥିଲା। ତେଣୁ ଭାରତ ପରି ଶକ୍ତିଶାଳୀ ଦଳର ଯେ ଏହା ମୁକାବିଲା କରିବ; ତା’ର ସମ୍ଭାବନା କମ୍। ସେପଟେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ବର୍ଷା ହୋଇପାରେ। ତେଣୁ ପେସ୍‌ ବୋଲର ଫାଇଦା ପାଇପାରନ୍ତି। ନିକଟରେ ଘରୋଇ ମାଟିରେ ଚମତ୍କାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ପୋଛି ନେଇଥିଲା ଭାରତ। ଘରୋଇ ପଡ଼ିଆ ଭାରତ ପାଇଁ ଅଭେଦ୍ୟ ଦୁର୍ଗ। ୧୯୫୫ରୁ ୨୦୨୧ ମଧ୍ୟରେ ନ୍ୟୁଜିଲାଣ୍ଡ ଭାରତ ମାଟିରେ ୧୨ଟି ଟେଷ୍ଟ ଶୃଙ୍ଖଳା ଖେଳି ଗୋଟିଏ ମଧ୍ୟ ଜିତିନାହିଁ। ଭାରତ ୧୦ଟି ଜିତିଥିବା ବେଳେ ୨ଟି ଡ୍ର ରହିଛି। ଏଥର ମଧ୍ୟ ଏହି ଧାରା ବଦଳିବା ସମ୍ଭାବନା କମ୍‌। ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ର ପିଚ୍‌ ସ୍ପିନରଙ୍କ ପାଇଁ ସହାୟକ ହେବ। ଏହା ଭାରତ ପାଇଁ ଶୁଭଖବର ଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ଅଗ୍ନିପରୀକ୍ଷା ହେବ। ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ଭାରତ ୩ ଜଣ ପେସ୍ ବୋଲରଙ୍କୁ ଖେଳାଇଥିବା ବେଳେ ବେଙ୍ଗାଲୁରୁରେ ଆକାଶ ଦୀପଙ୍କ ସ୍ଥାନରେ ଅତିରିକ୍ତ ସ୍ପିନର ଭାବେ କୁଲଦୀପ ଯାଦବ କିମ୍ବା ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଚଳିତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ସାଇକେଲ୍‌ରେ ରବିଚନ୍ଦ୍ରନ ଅଶ୍ବିନ ୧୦ଟି ମ୍ୟାଚ୍‌ରୁ ସର୍ବାଧିକ ୫୩ଟି ୱିକେଟ୍‌ ନେଇଥିବା ବେ​‌ଳେ ରବୀନ୍ଦ୍ର ଜାଡ଼େଜା ୯ଟି ମ୍ୟାଚ୍‌ରୁ ୩୫ଟି ୱିକେଟ୍‌ ନେଇଛନ୍ତି। ଏହି ସ୍ପିନ୍ ଯୋଡ଼ିଙ୍କ ମୁକାବିଲା କରିବା ନ୍ୟୁଜିଲାଣ୍ଡ ପାଇଁ ବଡ଼ ଆହ୍ବାନ ହେବ। ପିଚ୍‌ ଯେପରି ହେଉ ନା କାହିଁକି; ଯଶପ୍ରୀତ ବୁମ୍‌ରାଙ୍କ ମୁକାବିଲା କରିବା ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଦୁଃସ୍ବପ୍ନ ହୋଇପାରେ। ଅଧିନାୟକ ଲାଥାମ୍୍‌ଙ୍କ ସହ ଡେଭନ୍ କନ୍‌ୱେ, ଡ୍ୟାରିଲ ମିଚେଲ, ଗ୍ଲେନ ଫିଲିପ୍‌ସ, ରଚିନ ରବୀନ୍ଦ୍ର, ଟମ୍ ବ୍ଲଣ୍ଡେଲ ପ୍ରମୁଖ ବ୍ୟାଟିଂ ଭାର ସମ୍ଭାଳିବେ। ବେଙ୍ଗାଲୁରୁ ପିଚ୍‌ରେ ଦୁଇ ବାମହାତି ସ୍ପିନର ମିଚେଲ ସାଣ୍ଟ୍‌ନର ଓ ଏଜାଜ୍ ପଟେଲ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି। ଗତ ଗସ୍ତ​‌େ​‌ର ଏଜାଜ୍ ଭାରତୀୟ ଇନିଂସର ୧୦ଟିଯାକ ୱିକେଟ୍‌ ନେଇଥିଲେ। ଫିଲିପ୍‌ସ ଓ ରବୀନ୍ଦ୍ର କାମଚଳା ସ୍ପିନର ଭୂମିକା ନିର୍ବାହ କରିବେ। ଫଳ​‌ରେ ନ୍ୟୁଜିଲାଣ୍ଡ ଅତିରିକ୍ତ ବ୍ୟାଟ୍‌ସମ୍ୟାନ୍ ଖେଳାଇପାରେ। ଟିମ୍ ସାଉଦି ଓ ୱିଲିୟମ୍‌ ଓ’ରାଉର୍‌କେ ପେସ୍‌ ବୋଲର ଭାବେ ଖେଳିପାରନ୍ତି। ଏହି ପିଚ୍‌ରେ ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ଚାହିଁବେ। କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ଭାରତ ସର୍ଫରାଜ ଖାଁଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ଏହି ଶୃଙ୍ଖଳାରେ ବିଜୟଧାରା ବଜାୟ ରଖିବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆଉ ୫୩ ରନ୍‌ କଲେ ବିରାଟ କୋହଲି ୯୦୦୦ ଟେଷ୍ଟ ରନ୍‌ ପୂରଣ କରିବେ।

Comments are closed.