ନୂଆଦିଲ୍ଲୀ : ଭାରତର ବିଭିନ୍ନ ସ୍ଥାନରୁ ଉଡାଣ କରିଥିବା କିମ୍ବା ଉଡାଣ କରିବାକୁ ଥିବା ୭ଟି ବିମାନକୁ ବୋମା ବିସ୍ଫୋରଣ ଧମକ ମିଳିଛି। ବୋମା ବିସ୍ଫୋରଣ ଧମକ ମିଳିଥିବା ବିମାନଗୁଡିକ ହେଲା ଏୟାର ଇଣ୍ଡିଆର ଦିଲ୍ଲୀ-ଚିକାଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସର ଜୟପୁର-ବେଙ୍ଗାଲୁରୁ, ଇଣ୍ଡିଗୋ ଏୟାରଲାଇନ୍ସର ଡାମନ-ଲକ୍ଷ୍ନୌ, ସ୍ପାଇସ୍ ଜେଟ୍ର ଦରଭଙ୍ଗା-ମୁମ୍ବଇ, ଆକାଶ ଏୟାରର ସିଲିଗୁଡି-ବେଙ୍ଗାଲୁରୁ, ଆଲାଏନ୍ସ ଏୟାର ଅମୃତସର-ଡେରାଡୁନ-ଦିଲ୍ଲୀ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମଦୁରାଇ-ସିଙ୍ଗାପୁର। ଏହା ବ୍ୟତୀତ ସାଉଦି ଆରବରୁ ଆସୁଥିବା ଇଣ୍ଡିଗୋ ବିମାନରେ ବୋମାଗୁଜବ ପ୍ରଚାରିତ ହୋଇଥିଲା। ଫଳରେ ବିମାନଟି ଜୟପୁରରେ ଜରୁରୀ ଅବତରଣ କରିଥିଲା। ବୋମା ଗୁଜବ ପରେ ସମସ୍ତ ବିମାନକୁ ଯାଞ୍ଚ କରାଯାଇଥିଲା। ମାତ୍ର କୌଣସି ବିମାନରୁ ବୋମା ମିଳି ନଥିଲା। ବୋମା ଗୁଜବ ଯୋଗୁଁ ଆମେରିକାର ଚିକାଗୋ ଅଭିମୁଖେ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନ କାନାଡାରେ ଜରୁରୀ ଅବତରଣ କରିଥିଲା। ସୋମବାର ଅନୁରୂପ ଭାବେ ତିନିଟି ଆନ୍ତର୍ଜାତିକ ବିମାନକୁ ବୋମା ବିସ୍ଫୋରଣ ଧମକ ମିଳିଥିଲା। ଯାହା ଶେଷରେ ଗୁଜବ ପ୍ରମାଣିତ ହୋଇଥିଲା। ଏପରି ଗୁଜବ ପ୍ରଚାର କରୁଥିବା ଅଭିଯୁକ୍ତଙ୍କୁ ଠାବ କରିବା ଲାଗି ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍) ସାଇବର ସୁରକ୍ଷା ଏଜେନ୍ସି ଓ ପୁଲିସର ସହଯୋଗରେ ଯାଞ୍ଚ ଚଳାଇଛି।
Popular Categories



