ତିତ୍ଲି ମାଡ଼ : ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ
କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ତିତ୍ଲି’ ପ୍ରଭାବରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଓ ଜଳବନ୍ଦୀ ସ୍ଥିତିର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ରିଲିଫ ଯୋଗାଣ ଏବଂ କ୍ଷତିଗ୍ରସ୍ତ ମୌଳିକ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ବନ୍ୟାପାଣି ଛାଡ଼ିଥିବା ଜିଲାର କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ପ୍ରକିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଶନିବାର ମୁଖ୍ୟ ଶାସନ ସଚିବ ରିଲିଫ ଓ ପୁନଃଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାଯାଇଛି, ବାତ୍ୟା ପରବର୍ତ୍ତୀ ବର୍ଷା ଓ ବନ୍ୟାରେ ଗଜପତି ଏବଂ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟାଘେରରେ ଥିବା ଲୋକଙ୍କୁ ନୌକା, ହେଲିକପ୍ଟର ଏବଂ ରବର ବୋଟ୍ ସାହାଯ୍ୟରେ ରିଲିଫ ଯୋଗାଯାଉଛି। ଇତିମଧ୍ୟରେ ଗଜପତି ଜିଲା ପାରଳାଖେମୁଣ୍ଡି ହସ୍ପିଟାଲ ଏବଂ ପାନୀୟ ଜଳଯୋଗାଣ କେନ୍ଦ୍ରକୁ ପୁନଃ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ଜିଲାର ମୁଖ୍ୟ ୧୬ଟି ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଛି। ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସମସ୍ତ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଜେନେରେଟର ମାଧ୍ୟମରେ ଚଳାଇବାକୁ କୁହାଯାଇଛି।
ଗଞ୍ଜାମ ଜିଲାର ଆସ୍କା-ପୁରୁଷୋତ୍ତମପୁର, ଆସ୍କା-କବିସୂର୍ଯ୍ୟନଗର ଏବଂ ଆସ୍କା-ବ୍ରହ୍ମପୁର ରାସ୍ତା ଉପରୁ ଗଛପତ୍ର କଢ଼ାଯାଇ ପରିଷ୍କାର କରାଯାଇଛି। ସହରତଳି ଅଞ୍ଚଳରେ ରାସ୍ତା ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆସ୍କା ଓ ପୁରୁଷୋତ୍ତମପୁର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ସଂଯୋଗ ପୁନଃ ସ୍ଥାପନ କରାଯାଇଛି। ଜିଲାରେ କ୍ଷତିଗ୍ରସ୍ତ ହୋଇଥିବା ୫.୫୦ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୩.୬୫ ଲକ୍ଷ ଉପଭୋକ୍ତା ବିଦ୍ୟୁତ ସଂଯୋଗ ପାଇ ସାରିଲେଣି।
ଉଭୟ ଜିଲାରେ କ୍ଷୟକ୍ଷତି ଆକଳନ ପାଇଁ ତୁରନ୍ତ ଅଧିକ ସଂଖ୍ୟକ କର୍ମଚାରୀ ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗର ସଚିବମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ବିଏସଏନଏଲ ବ୍ୟବସ୍ଥାର ପୁନରୁଦ୍ଧାର କରି ଟେଲି ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସେ ବିଏସଏନଏଲ ଅଧିକାରୀମାନଙ୍କୁ କହିଛନ୍ତି।
ପ୍ରାଥମିକ ସୂଚନାରୁ ଜଣାଯାଇଛି, ବାତ୍ୟା ତିତଲି ଏବଂ ପରବର୍ତ୍ତୀ ବର୍ଷା ଓ ବନ୍ୟାରେ ଗଜପତି, ଗଞ୍ଜାମ, ରାୟଗଡ଼ା, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲା ପ୍ରଭାବିତ ହୋଇଛି। ଏହି ୧୧ଟି ଜିଲାର ୭୬ବ୍ଲକ ଅନ୍ତର୍ଗତ ୬୩୪୧ଟି ଗ୍ରାମର ପ୍ରାୟ ୪୫.୪୮ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୩ଲକ୍ଷ ୪୨ହଜାର ୬୨୧ ଜଣଙ୍କୁ ୧୨୬୮ଟି ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା। ଆଜି ସୁଦ୍ଧା ୧ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ୧୦୫୩ଟି ରିଲିଫ କେନ୍ଦ୍ରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।
ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସୀତକୁମାର ତ୍ରିପାଠୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ, କୃଷି ଉତ୍ପାଦନ କମିଶନର ଗଗନକୁମାର ଧଳ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଞ୍ଜାମ ଓ ଗଜପତି ଜିଲାର ଜିଳାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।