ଟିଟିଲାଗଡ଼: କିଛି ସ୍ୱାର୍ଥାନ୍ୱେଷି ଅଧିକାରୀଙ୍କ କାରନାମା ନେଇ ଦେଶ ତଥା ରାଜ୍ୟରେ ଖଣିଖାଦାନ ଲୁଟ ହୋଇଚାଲିଥିବା ସହ ସରକାର ବିପୁଳ ପରିମାଣରେ ରାଜସ୍ୱ ହରାଇ ଚାଲିଛନ୍ତି। ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଂଚାୟତ ନିମୁର୍ଲା ଚାଣ୍ଡିଲି ପାହାଡରେ ପ୍ରାୟ ୧୨ ବର୍ଷ ହେଲା ଏକ ଘରୋଇ କମ୍ପାନୀ ପଥର କ୍ୱାରି ଲିଜରେ ନେଇ ବ୍ୟାପକ ଲୁଟତରାଜ ଚଲାଇଥିବା ଅଭିଯୋଗ ହୋଇଛି। ବେଆଇନ ଭାବରେ ବଡ ଧରଣର ବ୍ଲାଷ୍ଟି କରି ବ୍ୟାପକ ମାତ୍ରାରେ ପଥର ଉତୋଳନ କରି କମ୍ପାନୀ କୋଟିକୋଟି ଟଙ୍କାର ମୁନାଫା ଅର୍ଜନ କରୁଥିବା ଅଭିଯୋଗ ହୋଇଛି। ଏପରିକି ସମ୍ପୃକ୍ତ କମ୍ପାନୀ ସମ୍ମୁଖରେ ସ୍ଥାନୀୟ ପ୍ରଶାସନ ନତମସ୍ତକ ପ୍ରାୟ ହୋଇପଡିଥିବା ଆଲୋଚନା ହୋଇଛି। କିଭଳି ଭାବରେ ଏତେ ବର୍ଷ ହେଲା ଉକ୍ତ କମ୍ପାନୀ ଲିଜ ପାଇଆସୁଛି ସେ ନେଇ ପ୍ରଶ୍ନ ହୋଇଛି।
ଆଇନ ମୁତାବକ ଏନେଇ ସ୍ଥାନୀୟ କୁର୍ସୁଡ ଏବଂ ଦିଗସିରା ଗ୍ରାମପଂଚାୟତ ଠାରୁ କୌଣସି ଅନୁମତି, ନୋ ଅବଜେକ୍ସନ ପ୍ରମାଣ ପତ୍ର ଆବେଦନ କରାଯାଇନଥିବା ଅଭିଯୋଗ ହୋଇଛି। ଗତ ଦୁଇ ବର୍ଷ ଧରି ସ୍ଥାନୀୟ ସରପଂଚ ତସିଲଦାରଙ୍କ ଠାରୁ ଆରମ୍ଭ କରି ବଲାଙ୍ଗିର ଜିଲାପାଳ, ଏଡିଏମଙ୍କ ଠାରେ ଏନେଇ ଅଭିଯୋଗ କରିଆସୁଛନ୍ତି। ହେଲେ ଗୋପନୀୟ ଭାବରେ କୌଣସି ବିଜ୍ଞାପନ ପ୍ରକାଶନ ନକରି କମ୍ପାନୀର କ୍ୱାରି ଲିଜ ଅବଧି ବୃଦ୍ଧି କରାଯାଇଥିବା ଜଣାଯାଇଛି। ଅତ୍ୟଧିକ କ୍ଷମତା ବିଶିଷ୍ଟ ବିସ୍ଫୋରକ ବ୍ୟବହାର ସହ ନିୟମିତ ବ୍ଲାଷ୍ଟି କରାଯାଉଥିବାରୁ ଦିଗସିରା, କୁର୍ସୁଡ ଗ୍ରାମପଂଚାୟତର ବିଭିନ୍ନ ଗାଁ ଥରିଉଠୁଛି। ବିସ୍ଫୋରଣ ଏତେ ଶକ୍ତିଶାଳି ଯେ ଗୋଟିଏ ପଟରେ ହୋଲ କରି ବିସ୍ଫୋରଣ କଲେ ବିରାଟ ପାହାଡର ଅନ୍ୟ ପଟ ପଥର ଫାଳ ଫାଳ ହୋଇ ପଡୁଥିବା ଅଭିଯୋଗ ହୋଇଛି। ପାଖ କୁଶକେଲା, ସିଲୁଆଁ ଗ୍ରାମପଂଚାୟତ ଅଂଚଳର ବିଭିନ୍ନ ଗ୍ରାମ ପର୍ୟ୍ୟନ୍ତ ପଥର ଗୁଣ୍ଡ ବିଚ୍ଛୁରିତ ହେଉଥିବା ଅଭିଯୋଗ ହୋଇଛି। ଅତ୍ୟାଧୁନିକ ପଥର ଫଟା ମେସିନ, ବଡ ଧରଣର କ୍ରସର ମେସିନ ଯୋଗେ ପଥର ସାଇଜ ସହ ଦୈନିକ ହଜାର ହଜାର ଟ୍ରିପ ପଥର ଚାଲାଣ କରି କମ୍ପାନୀ ମୁନାଫା ଅର୍ଜନ କରିଚାଲିଥିବା ବେଳେ ସରକାରି ସିଏସଆର ଆଇନ ଅନୁଯାୟୀ ସ୍ଥାନୀୟ ଅଂଚଳର ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ୨୦୧୦ରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କମ୍ପାନୀ ପକ୍ଷରୁ ଥାନାରେ ମିଥ୍ୟା ମାମଲା ଦାଖଲ କରାଯାଇଥିଲା। ଏପରିପ୍ରେକ୍ଷୀରେ ଲୋକେ ନ୍ୟାୟୋଚିତ ବିରୋଧ କରିବାକୁ ସାହସ କରୁନଥିବା ଦିଗସିରା ସରପଂଚ ଗୋଲକବିହାରି ସିଂଭୋଇ, କୁର୍ସୁଡ ସରପଂଚ ପ୍ରତିନିଧି ସଞ୍ଜିବ ସାହୁ ଏନେଇ କମ୍ପାନୀର ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ପ୍ରକ୍ରୀୟାରେ ସରକାରଙ୍କ ପକ୍ଷରୁ ଧାର୍ୟ୍ୟ ପରିମାଣ ଠାରୁ ବହୁଗୁଣା ଅଧିକ ଭୂସମ୍ପତି ଲୁଟ ହୋଇଚାଲିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସରକାରି ସ୍ତରରେ କମ୍ପାନୀକୁ କେତେ ଅଂଚଳ କ୍ୱାରି ପାଇଁ ଲିଜ ଦିଆଯାଇଛି, କେତେ ଟଙ୍କାରେ ଦିଆଯାଇଛି, କେତେ ଦିନ ପାଇଁ ଦିଆଯାଇଛି, କମ୍ପାନୀ ପାଖରେ ବ୍ଲାଷ୍ଟିଂ ଲାଇସେନ୍ସ ଅଛି କି ନାହିଁ ଏସବୁ ନେଇ ସ୍ଥାନୀୟ ରାଜସ୍ୱ ବିଭାଗ ପକ୍ଷରୁ ମୁହଁ ବନ୍ଦ ରଖାଯିବା ସନ୍ଦେହ ଦ୍ୱିଗୁଣିତ କରିଛି। ଏନେଇ ବିଭିନ୍ନ ସ୍ତରରେ ପ୍ରଶାସନର ବିଚିତ୍ର ଚରିତ୍ରକୁ ନେଇ ତୀବ୍ର ନିନ୍ଦା କରାଯାଇଛି। ସରକାର ରାଜସ୍ୱ ହାନି ଯୋଗୁଁ କୋଟିକୋଟି ଟଙ୍କାର ଋଣ କରୁଥିବା ବେଳେ ରାଜସ୍ୱ ଆଦାୟ ନେଇ ପ୍ରଶାସନ ଜନସାଧାରଣଙ୍କ ଆଗରେ ନିରବତା ଭୁଲ ସଙ୍କେତ ପ୍ରଦାନ କରୁଥିବା ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁ କହିଛନ୍ତି। ଆଦିବାସୀ ଅଂଚଳରେ ପାହାଡ ପର୍ବତ ଧ୍ୱଂସ ହେଉଛି। ହେଲେ ଲାଭ ଅର୍ଜନ କରୁଥିବା କମ୍ପାନୀ ସ୍ଥାନୀୟ ଆଦିବାସୀଙ୍କ ବିକାଶ ପାଇଁ କୌଣସି ବିକାଶମୂଳକ କାର୍ୟ୍ୟ କରୁନଥିବା ନିନ୍ଦନୀୟ ବୋଲି ବଲାଙ୍ଗିର ଜିଲା ଯୁବ କନ୍ଧ ସମାଜ ଟିଟିଲାଗଡ ବ୍ଲକ ଶାଖା ସଭାପତି ଉମାକାନ୍ତ ଭୋଇ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ସରକାର ତଦନ୍ତ ସହ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।



