ବିଲାତି ଚାଷକୁ ସଞ୍ଜୀବନୀ ‘ଟିସୁ କଲଚର’ ଚାରା
ଜିଲାରେ ପ୍ରଥମ : ବର୍ଷାଦିନେ ଟମାଟୋ ଫଳାଇଲେ ଅନୁଗୋଳ ଚାଷୀ
ଅନୁଗୋଳ : ଟମାଟୋ ଦର ଏବେ ଆକାଶ ଛୁଆଁ ହୋଇଥିବାରୁ ଲକ୍ଷ୍ୟ କରି ଅନୁଗୋଳ ଜିଲାର ଜଣେ ଚାଷୀ ଉନ୍ନତ ଜ୍ଞାନକୌଶଳ ଅବଲମ୍ବନରେ ସୃଷ୍ଟି ହୋଇଥିବା ଚାରାରେ ବିଲାତିବାଇଗଣ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ବଅଁରପାଳ ବ୍ଲକ ଜରାସିଂହାର ଚାଷୀ ବିଜୟକୁମାର ସ୍ୱାଇଁ ଭୁବନେଶ୍ୱରର ଏକ ଘରୋଇ ନର୍ସରୀରୁ ଟିସୁ କଲଚର ପ୍ରଣାଳୀର ୨୫୦ଟି ଟମାଟୋ ଚାରା ଆଣି ପରୀକ୍ଷାମୂଳକ ଭାବେ ଅନୁଗୋଳ ଜିଲାର ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହିଂସାଲୋଇ ଗ୍ରାମରେ ଥିବା ନିଜ ଫାର୍ମ ହାଉସରେ ଚାଷ କରିଛନ୍ତି। ଏହି ବ୍ଲକର ଚାଷୀମାନେ ସାଧାରଣତଃ ଶୀତ ଋତୁରେ ଟମାଟୋ ଚାଷ କରିଥାନ୍ତି। ଟିସୁ କଲଚର ମାଧ୍ୟମରେ ଏହାକୁ ବର୍ଷା ଦିନରେ ମଧ୍ୟ ବିଜୟ ଫଳାଇଛନ୍ତି। ଏହି କିସମର ଚାରା ଦ୍ବାରା ବର୍ଷତମାମ ଟମାଟୋ ଫଳିବ। ଅଯଥାରେ ରୋଗପୋକରେ କ୍ଷତି ସହୁଥିବା କୃଷକମାନେ ଏଥିରୁ ରକ୍ଷା ପାଇବା ସହିତ ବେଶ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ନୂତନ କିସମର ଚାଷ ଟିକେ ନିଆରା ବୋଲି ସେ କହନ୍ତି। ଦୁଇଟି ଚାରାର ସମନ୍ବୟରେ ଟିସୁ କଲଚର ବିଲାତି ଚାରାର ସୃଷ୍ଟି। ଜଙ୍ଗଲାଞ୍ଚଳରେ ଫଳୁଥିବା ଛୋଟଛୋଟ ଭେଜି ବାଇଗଣ ଚାରାକୁ ମୂଳରୁ ତୋଳି ନିଜ ବାଡିରେ ସେ ରୋପଣ କରିଛନ୍ତି। ସେହିପରି ବଜାରରେ ଉପଲବ୍ଧ ହାଇବ୍ରିଡ ସାହୋ ଟାମୋଟ ମଞ୍ଜିକୁ ଅନ୍ୟସ୍ଥାନରେ ବୁଣିଥିଲେ। ଦୁଇଟି ଯାକ ଚାରା ବୃଦ୍ଧି ପାଇବା ପରେ ଟମାଟୋ ଚାରାକୁ ମୂଳରୁ ଉପାଡି ନେଇଥିଲେ। ଏହାପରେ ଭେଜି ବାଇଗଣ ଗଛକୁ ୪୫ଇଞ୍ଚ କାଟି ଦିଆଯାଇ ତାହା ମୂଳରେ ବିଲାତି ଚାରାକୁ ରୋପଣ କରି ଦୁଇଟି ଗଛକୁ କ୍ଲିପ ଦ୍ବାରା ବାନ୍ଧି ଦିଆଯାଏ। ଦୁଇ ଚାରାର ସମନ୍ବୟରେ ଏକକାଳୀନ ଭେଜି ବାଇଗଣ ଓ ବିଲାତିବାଇଗଣ ଫଳି ଥାଏ। ରୋପଣର ୪୫ ଦିନ ଭିତରେ ଦୁଇଟି ଗଛରେ ଫଳ ଧରିଥାଏ। ଏହା ୯ମାସରୁ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଫଳ ଦେଇଥାଏ ବୋଲି ବିଜୟ କହିଛନ୍ତି। ସଂପ୍ରତି ସେ ନିଜ ବାଡିରେ ଏହି ପ୍ରଣାଳିରେ ୨୫୦ଟି ବିଲାତି ବାଇଗଣ ଓ ୧୫୦ଟି ଭେଜି ବାଇଗଣ ଚାରା ରୋପଣ କରି ଫଳ ଫଳାଇଛନ୍ତି। ଗୋଟିଏ ଗୋଟିଏ ବିଲାତି ବାଇଗଣ ଗଛରେ ଅଧାରୁ ଏକ କିଲୋ ପର୍ଯ୍ୟନ୍ତ ଫଳ ଫଳି ସାରିଲାଣି ବୋଲି ବିଜୟ କହିଛନ୍ତି। ସାମ୍ବାଦିକତା ବୃତ୍ତି ସହ ଚାଷକୁ ପେଷା ଭାବେ ଗ୍ରହଣ କରିଥିବା ଜରାସିଂହା ଗ୍ରାମର ବିଜୟଙ୍କ ଏହି ନିଆରା ଚାଷ ପ୍ରଣାଳୀରେ ଜିଲା ଉଦ୍ୟାନ ଏବଂ କୃଷି ବିଭାଗ ବେଶ ଖୁସି ପ୍ରକଟ କରିଛନ୍ତି।
ଟମାଟୋ ବ୍ୟତୀତ ବିଭିନ୍ନ କିସମର ବାଇଗଣ ମଧ୍ୟ ଏହି ପ୍ରଣାଳୀରେ ସେ ଚାଷ କରି ଲାଭବାନ ହୋଇ ପାରିଛନ୍ତି। ଏହି ପ୍ରଣାଳିରେ ବଢିଥିବା ଚାରା ଦୀର୍ଘ ସମୟ ଧରି ବଞ୍ଚି ରହିବା ସହିତ ଅଧିକ ଫଳଦେବାରେ ବେଶ ସହାୟକ ହୋଇପାରିଛି। ଝାଉଁଳା ରୋଗ କାରଣରୁ ଚାଷୀମାନେ ଟମାଟୋ ଏବଂ ବାଇଗଣ ଚାଷରେ ପ୍ରବଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଟିସୁ କଲଚରର ପ୍ରଣାଳିରେ ଏହାର ବଡ଼ ସମାଧାନ ହେବା ସହିତ ଶତ ପ୍ରତିଶତ ସଫଳତା ମିଳୁଥିବା ଚାଷୀ ବିଜୟକୁମାର ପ୍ରମାଣ କରି ଦେଖାଇଛନ୍ତି। ଅନୁଗୋଳ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ସେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଟମାଟୋ ଅଭାବ ଦୂର କରିବାକୁ ଜିଲାର ଚାଷୀଙ୍କୁ ଏହି କିସମର ଚାରା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।
Comments are closed.