ଶିକାରୀ ଫାଶରେ ବାଘୁଣୀର ଜୀବନ ଗଲା

ତିଗିରିଆ: ତିଗିରିଆ ବ୍ଲକ ଭିରୁଡ଼ା ଗ୍ରାମ ନିକଟବର୍ତ୍ତୀ ସୋରିଷପାଳ ସଂରକ୍ଷିତ ଜଙ୍ଗଲର ବ୍ରାହ୍ମଣୀ ତଇଲାଠାରେ ଶିକାରୀ ଫାଶରେ ପଡ଼ି ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲ ନିକଟବର୍ତ୍ତୀ କ୍ଷେତକୁ ଯାଇଥିବାବେଳେ ମୃତ ବାଘୁଣୀକୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ।

ତିଗିରିଆ ବନପାଳ ରାକେଶ ପ୍ରଧାନ ଏବଂ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଆଠଗଡ଼଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଧବ, ସହକାରୀ ବନ ସଂରକ୍ଷକ ଘନଶ୍ୟାମ ମୁଦୁଲି ଏବଂ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ଲୁହା ଏବଂ ଗାଡ଼ି କ୍ଲଚ୍‌ ତାରରେ ତିଆରି ଫାଶ ବସାଯାଇଥିଲା। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ବହୁ ଲୁହା ତାରରେ ନିର୍ମିତ ଫାଶ ବଣବୁଦାରେ ବନ୍ଧାହୋଇ ରହିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଫାଶଗୁଡ଼ିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି। ମୃତ ବାଘୁଣୀକୁ ଆଠଗଡ଼଼ ବନାଞ୍ଚଳ ଅନ୍ତର୍ଗତ ବଉଦା ବନଖଣ୍ଡ ନର୍ସରୀକୁ ନିଆଯାଇ ସେଠାରେ ବ୍ୟବଚ୍ଛେଦ କରାଯାଇଥିଲା। ଆଠଗଡ଼ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ. ସୁଶାନ୍ତ କୁମାର ବେହେରା, ତିଗିରିଆ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡ. ଚୌଧୁରୀ ଦୀପକ ରଞ୍ଜନ ମହାପାତ୍ର, ସାତକୋଶିଆ ବନ୍ୟଜନ୍ତୁ ଅଭୟାରଣ୍ୟର ଡା. କିଶୋର କୁମାର ସାହୁ ଉପସ୍ଥିତ ରହି ବ୍ୟବଚ୍ଛେଦ କରିଥିଲେ। ଶ୍ୱାସରୁଦ୍ଧ ହୋଇ ବାଘୁଣୀର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

 

Comments are closed.