ବାର୍‌ହା ଉପଦ୍ରବରେ ବ୍ୟାପକ ଫସଲ ହାନି

ତିଗିରିଆ: ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ବାର୍‌ହାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ପଲ ପଲ ବାର୍‌ହା ବିଭିନ୍ନ ଚାଷଜମିରେ ପଶି ବ୍ୟାପକ କ୍ଷତି ଘଟାଇବା ଫଳରେ ଚାଷୀକୂଳ ହତାଶ ଓ ଅତିଷ୍ଠ ହୋଇ ପଡ଼ିଲେଣି। ବିଶେଷ କରି ନଦୀ ବନ୍ଧ ତଳେ ଥିବା ତିଗିରିଆ ବ୍ଲକର ବଡନାଉପୁଟ ପଞ୍ଚାୟତର ବଉଳାଙ୍ଗ ଗ୍ରାମରେ ଏହି ଜଙ୍ଗଲୀ ବାରହାଙ୍କ ଉପଦ୍ରବରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ଜଣାପଡିଛି।

prayash

ଚାଷୀମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ଧରି ବହୁ ସଂଖ୍ୟାରେ ବାରହା ବିଲ ବାଡିରେ ଲଗାଯାଇଥିବା ବିଭିନ୍ନ ପ୍ରକାର ଫସଲ ଯଥା ମକା, ବାଇଗଣ ଏବଂ ପୋଟଳ ତଥା ଅନ୍ୟ ପନିପରିବା ଆଦି ଖୋଳି ତାଡ଼ି ଖାଇବା ସହିତ ଭାଙ୍ଗି ନଷ୍ଟ କରି ପକାଉଛନ୍ତି। ଦଳ ଦଳ ହୋଇ ବାରହା ପରିବା କ୍ଷେତରେ ପଶି ଗଛ ଭାଙ୍ଗି ନଷ୍ଟ କରିବା ସହିତ ଦଳିଚକଟି ପକାଇବା ଦ୍ଵାରା ଗଛ ତଳେ ପଡି ମାଟିରେ ପୋତି ହୋଇଯାଉଛି। ଏହାବ୍ୟତୀତ ବାରହାମାନେ କ୍ଷେତଗୁଡିକର ହିଡ଼ଗୁଡିକୁ ତାଡ଼ି ଦେଉଥିବାରୁ ଚାଷୀ ଧାନ ଫସଲ ପାଇଁ ବନ୍ଧାଇ ରଖିଥବା ପାଣି ବୋହିଯାଉଥିବା ବଉଳାଙ୍ଗ ଗ୍ରାମର ବହୁ ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ସହିତ ଚାଷୀମାନେ ଜଙ୍ଗଲୀ ବାରହାଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ବନ୍ୟ ପ୍ରାଣୀଙ୍କ ସୁରକ୍ଷା ସହିତ କ୍ଷେତ ବାଡିର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ନଦୀକୂଳିଆ ଅଞ୍ଚଳରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.