ହାଟମାଳ କାଳିକା କାମେନା ପୀଠରେ ମେରୁଯାତ୍ରା
ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ଗ୍ରାମସ୍ଥିତ କାଳିକା କାମେନା ପୀଠରେ ବହୁ ପୁରାତନ ମେରୁ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଏହି ଯାତ୍ରାରେ କଠୋର ନିଷ୍ଠାର ସହିତ ଦଣ୍ଡ ବ୍ରତ ପାଳନ କରି ଆସୁଥିବା କାଳିକା, କାମେନା, ଝଟା, ମଙ୍ଗଳା, ପାଟଭକତା ଆଦି ପ୍ରାୟ ୧୮ ଜଣ ଅଘୋର ତପ ପ୍ରଦର୍ଶନ କରିଥିଲେ। ସେହିପରି କଣ୍ଟାରେ, ନିଆଁ ଜଳା ଖଣ୍ଡାରେ ଗଡିବା ସହିତ ମେରୁ ଦାଣ୍ଡରେ ଗୋଡ ଉପରକୁ କରି ନିଆଁ ଉପରକୁ ଝୁଲି ରହି ନିଜର ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଏଥିରେ ସୁଧୀର ବେହେରା, ସୁଦାମ ସାହୁ, ମଙ୍ଗରାଜ ଦାଶ, ଶ୍ରୀନିବାସ ପାଳ, ରମେଶ ଚନ୍ଦ୍ର ରଣା, ନକୁଳ ରଣା, ଦୀନବନ୍ଧୁ ରଣା ପ୍ରମୁଖ ସାମିଲ ରହିଥିଲେ। ଏହି ଅବସରରେ ପଡୋଶୀ ଶୁଣ୍ଠୀପାଳ ଗ୍ରାମର ଗୋକୁଳାନନ୍ଦ ରାଉତ ୧୨ ହାତ ଝାମଯାତ୍ରା କରିଥିଲେ। ଗ୍ରାମ ସଭାପତି ମାୟାଧର ପତି, ସମାଜସେବୀ ବ୍ରଜବନ୍ଧୁ ପଣ୍ଡା, ସମ୍ପାଦକ କବିଚନ୍ଦ୍ର ପତି, ପ୍ରତାପ ପତି ପ୍ରମୁଖ ସହିତ ସମସ୍ତ ବାସିନ୍ଦା ଉପସ୍ଥିତ ରହି ସହଯୋଗ କରିଥିଲେ।
Comments are closed.