ବଜ୍ରପାତ ନେଲା ୧୯ ଜୀବନ
ବାଲେଶ୍ୱରରେ ୭ ମୃତ, ୧୦ ଆହତ, ମୟୂରଭଞ୍ଜରେ ୫ ମୃତ, ଜଣେ ଆହତ
ବାଲେଶ୍ୱର/ବସ୍ତା/ସୋର/ଜଳେଶ୍ୱର/ବାଲିଆପାଳ/ବାହାନଗା/ଚିତ୍ରଡ଼ା/ଖୁଣ୍ଟା/ବଡ଼ସାହି/ବେତନଟୀ: ଶୁକ୍ରବାର ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରେ ବଜ୍ରପାତ ଘଟି ୭ ଜଣଙ୍କର ଜୀବନ ଯାଇଛି। ଜିଲାରେ ୧୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇ ବାଲେଶ୍ୱର ସଦର ମେଡିକାଲ ଓ ଅନ୍ୟାନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲାରେ ୬ ଜଣଙ୍କର ଜରବନ ଯାଇଥିବାବେଳେ ଜଣେ ଆହତ ହୋଇଛନ୍ତି।
ବାଲେଶ୍ୱର ଜିଲାରେ ମୃତକମାନେ ହେଲେ ବାଲେଶ୍ୱର ସଦର ବ୍ଲକ ଅଧୀନ ଫୁଲର କସବା ନାଇକସାହିର ଅକ୍ଷୟ କୁମାର ମହାପାତ୍ର(୪୮), ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ଗାଁର ବାସନ୍ତୀ ମହାନ୍ତି(୬୮), ବସ୍ତା ବ୍ଲକ ଅଧୀନ ବରୁଣଗଡ଼ିଆ ଗାଁର ମଧୁସୂଦନ ବେହେରା(୪୦), ରୁଦ୍ରରାଜ ବେହେରା(୨୪), ଜଳେଶ୍ୱର ବ୍ଲକ ଏହି ଥାନା ଶିଖରପୁର ପଞ୍ଚାୟତ ମହୁଲିଆ ଗାଁର ବୈରାଗୀ ବେହେରାଙ୍କ ପୁଅ ଯଶୋବନ୍ତ ବେହେରା(୪୫), ରାଇବଣିଆ ଥାନା ବରଡିହା ପଞ୍ଚାୟତ ଛୋଟବାଗବୁଡ଼ା ଗାଁର ବାରିଏଲ ସୋରେନ(୩୦), ବାଲିଆପାଳ ବ୍ଲକ ଅଧୀନ ବେତଗଡ଼ିଆ ପଞ୍ଚାୟତ ନାରାୟଣପୁରପନ୍ତା ଗାଁର ଶ୍ରୀନିବାସ ବାଡ଼ିଙ୍କ ପୁଅ ରଞ୍ଜନ କୁମାରୀ ବାଡ଼(୨୩)। ଏଥିସହ ବସ୍ତା ଅଞ୍ଚଳରେ ୪ ଜଣ, ବାଲିଆପାଳରେ ୨ଜଣ, ଜଳେଶ୍ୱରରେ ୩ ଜଣ ବ୍ୟକ୍ତି ଓ ୨ଟି ବଳଦ, ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ପଞ୍ଚାୟତର ଶତ୍ରୁଘ୍ନ ଗିରିର ସ୍ତ୍ରୀ ମଧୁସ୍ମିତା(୨୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।
ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଳକ ଅନ୍ତର୍ଗତ ଭାଲିଆଡିହା ପଞ୍ଚାୟତ ତଥା ବେତନଟୀ ଥାନା ସୁନାହଜା ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ସାର ମହାନ୍ତ(୫୮) ଦିନ ପ୍ରାୟ ୧୧.୩୦ ସମୟରେ ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ କିଷାନତାଣ୍ଡି ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।
ସେହିପରି ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଗ୍ରାମପଞ୍ଚାୟତ ଚୁନୁଡିହା ଗ୍ରାମର ଭାସ୍କର ବେହେରାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର(୩୫) ପୂର୍ବାହ୍ନରେ ବାପାଙ୍କୁ ଖୋଜିବାକୁ ବିଲକୁ ଯାଇଥିବା ବେଳେ ବଜ୍ରପାତର ଶୀକାର ହୋଇଥିଲେ। ତାଙ୍କୁ ଡୁକୁରା ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଜେନ୍ଦ୍ର ପରିବାରରେ ଏକ ମାତ୍ର ପୁଅ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ଦୁଇ ପୁଅ ଝିଅ ଅଛନ୍ତି। ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇ ପଠାଯାଇଛି।
ସେହିପିର ବଡ଼ସାହି ବ୍ଲକ ଚନ୍ଦନପୁର ପଞ୍ଚାୟତ, ଶ୍ରୀରାମପୁର ଗ୍ରାମର ଜଣେ ଚାଷୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅଭିରାମ ମୁର୍ମୁଙ୍କ ପୁଅ ଲକ୍ଷ୍ମଣ(୪୦)। ନିଜ ଚାଷଜମିରେ ହଳ କରୁଥିବା ସମୟରେ ବର୍ଷା ଘଟି ଆସିବା ଦେଖି ତାଙ୍କ ମା’ ହଳ ପିଠାଇ ଘରକୁ ପଳାଇ ଆସିବାକୁ କହିଥିଲେ। ମା’ଙ୍କ କଥା ମାନି ଲକ୍ଷ୍ମଣ ହଳ ଫିଟାଇ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସେହି ବିଲରେ ଟଳି ପଡ଼ିଥିଲେ। ବଡ଼ସାହି ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି।
ସେହିପିର ବେତନଟୀ ବ୍ଲକ ବୈଶିଙ୍ଗା ଥାନା କଳମା ପଞ୍ଚାୟତର ମହେଶପୁରରେ ବଜ୍ରପାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଥାନା ଅଧୀନ ସନ୍ତରା ପଞ୍ଚାୟତ ବଡଶାଳ ଗ୍ରାମର ଜଣେ ନାବାଳିକାର ମଧ୍ୟ ମୃତ୍ୟୁ ଘଟିଛି। ଉଭୟ ବିଲରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ମହେଶପୁର ଗ୍ରାମର ସ୍ୱର୍ଗତଃ ଘନିଆ ରଣାଙ୍କ ବିଧବା ସ୍ତ୍ରୀ ସୁଶୀଳା ରଣା(୫୫) ବିଲରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ତାକୁ ସଙ୍ଗେସଙ୍ଗେ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବାଲେଶ୍ୱର ଡାକ୍ତରଖାନାରେ ବୈଶିଙ୍ଗା ଥାନା ଏଏସଆଇ ସୁଶାନ୍ତ ମହାକୁଡ ପହଞ୍ଚି ଶବ ଜବତ କରିବା ସହିତ ସେଠାରେ ବ୍ୟବଛେଦ କରାଇଥିଲେ। ସେହିପରି ସନ୍ତରା ପଞ୍ଚାୟତ ବଡଶାଳ ଗ୍ରାମର ଅଜିତ ମହାନ୍ତଙ୍କ ସ୍ତ୍ରୀ ଓ ତାଙ୍କ ଝିଅ କୁନି ମହାନ୍ତ(୧୭) ବିଲରେ ରୁଆକାମ କରୁଥିବା ସମୟରେ ପ୍ରାୟ ସାଢେ୧୦ଟା ସମୟରେ ବର୍ଷା ସହିତ ଘଡଘଡି ହେବାରୁ ସେମାନେ ଘରକୁ ଦଉଡିଦଉଡି ପଳାଇ ଆସୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ମା ଆଗରେ ଥିବା ବେଳେ ଝିଅ ପଛରେଥିଲା। ପ୍ରଚଣ୍ଡ ଶବ୍ଦରେ ମା ଓ ଝିଅ ପଡିଯାଇଥିଲେ। ତେବେ ମା’ କିଛି ସମୟପରେ ଉଠିଥିବା ବେଳେ ଝିଅ ଉଠି ନଥିଲା ଓ ତାର ମୃତ୍ୟୁ ହୋଇଥିଲା। ତାକୁ ସଙ୍ଗେସଙ୍ଗେ ତାଙ୍କ ଘରକୁ ନିଆଯାଇଥିଲା। ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବାରିପଦା ଡାକ୍ତରଖାନାକୁ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ଏଥି ନେଇ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସେହିପରି ଛୁରୁଣୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ନିକିତା ବଜ୍ରପାତରେ ଗୁରୁତର ହୋଇଥିବା ଜଣାପଡିଛି। ତାକୁ ପ୍ରଥମେ ବେତନଟୀ ଓ ପରେ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ବୋଲଗଡ଼ ,ରାଜନଗରରେ ୨ ଚାଷୀ ମୃତ, ଜଣେ ଗୁରୁତର
ବୋଲଗଡ/ରାଜନଗର: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତ ମାଣିକପୁର ଗ୍ରାମର ଭଗବାନ ସାହୁ (୩୫) ନାମକ ଜଣେ ଚାଷୀଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ଚାଷୀ ମୁରଲୀଧର ବିଶୋଇ(୪୫) ଆହତ ହୋଇଥିବା ଜଣାପଡ଼ିଛି।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଭଗବାନ ଓ ମୁରଲୀଧର ଗାଁ ମୁଣ୍ଡରେ ଥିବା ନିଜ ଜମିରେ ତଳି ପକାଉଥିବା ସମୟରେ ବଜ୍ରପାତ ହେବା ଯୋଗୁଁ ଉଭୟ ବିଲରେ ଟଳି ପଡ଼ିଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା କେତେକ କଲେଜ ଛାତ୍ର ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍କୋଇ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଗୁରୁତର ଦ୍ୱୟଙ୍କୁ ତୁରନ୍ତ ଖୋର୍ଦ୍ଧାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଥିଲେ। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିବାବେଳେ ମୁରଲୀଧର ଚିକିତ୍ସାଧୀନ ଅଛନ୍ତି। ବାଙ୍କୋଇ ପୁଲିସ ଶବ ବ୍ୟବଚ୍ଛେଦ କରାଇଛି। ବାଙ୍କୋଇ ରାଜସ୍ୱ ନିରୀକ୍ଷିକା ଘଟଣାର ତଦନ୍ତ କରିଛନ୍ତି।
ସେହିପରି ରାଜନଗର ବ୍ଲକ ବ୍ରାହ୍ମଣସାହି ଗ୍ରାମରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଏହି ଗ୍ରାମର ଚାଷୀ ନୃସିଂହଚରଣ ଜେନା (ଜଗବନ୍ଧୁ)୫୧ ଘରୁ ବାହାରି ବାଡିପଟରେ ଚାଷଜମିକୁ ଯାଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ନୃସିଂହ ସେହିଠାରେ ଟଳିପଡ଼ିଲେ। ଲୋକମାନେ ତାଙ୍କୁ ଘରକୁ ଆଣି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ; ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପଶ୍ଚିମ ଓଡ଼ିଶାରେ ୫ ମୃତ
ବରଗଡ଼/ଡୁଙ୍ଗୁରିପାଲି/ଅତାବିରା/ରେଙ୍ଗାଲି କ୍ୟାମ୍ପ/ଖଡ଼ିଆଳ/ଭେଡ଼େନ/ଜୁନାଗଡ଼: ବଜ୍ରପାତରେ ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାରେ ୩ ଜଣଙ୍କ ଜୀବନ ଯାଇଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଜୁଲୁଣ୍ଡା ନିକଟସ୍ଥ ମହୁବାହାଲି ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ଶ୍ରୀମଦ ବେହେରାଙ୍କ ପୁଅ କାଳିଆ ବେହେରା(୪୯) ଶୁକ୍ରବାର ଅପରାହ୍ନରେ ବିଲରୁ ଘରକୁ ଫେରୁଥିଲେ। ରାସ୍ତାରେ ହଠାତ ବର୍ଷା ସହିତ ବଜ୍ରପାତ ହେବାରୁ କାଳିଆ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅତାବିରା ବ୍ଲକ ଡୁମେରମୁଣ୍ଡା ଗ୍ରାମରେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ଆଜି ସନ୍ଧ୍ୟା ୬.୧୫ ମିନିଟରେ ଡୁମେରମୁଣ୍ଡା ଗ୍ରାମର କାହ୍ନୁ ଭୂଏ (୪୦) ସେଇ ଗ୍ରାମର ସନ୍ତୋଷ ଭୋଇଙ୍କ ଚାଷଜମିରେ କାମ କରୁଥିଲେ। ଏହି ସମୟରେ ହଠାତ ପ୍ରଚଣ୍ଡ ବେଗରେ ଘଡଘଡି ହୋଇ ବଜ୍ରାଘାତ ଘଟିଥିଲା। ଯାହାଦ୍ୱାରା ସନ୍ତୋଷଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଅତାବିରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଭେଡ଼େନ୍ ବ୍ଲକ୍ରେ ବଜ୍ରପାତରେ ୨ ଜଣ ଝିଅ ପ୍ରାଣ ହରାଇଛନ୍ତି। ଖଲିଆପାଲି ଗ୍ରାମର ସାବିତ୍ରୀ ଦରଦ (୨୦) ଓ କୌଶଲ୍ୟା ଦରଦ (୧୫) ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଶୌଚହେବାକୁ ଯାଇଥିବାବେଳେ ଉଭୟ ବଜ୍ରପାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ନୂଆପଡା ଜିଲା ଖଡିଆଳ ବ୍ଲକ ଚନାବେଡା ପଞ୍ଚାୟତର ରୋହେନପଦର ଗ୍ରାମର ଜଣେ ମହିଲାଙ୍କ ବ୍ରଜପାତରେ ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟା ୫ଟାରେ ମଦନ ମାଝୀଙ୍କ ଅବିବାହିତା ଝିଅ ଭୁବନେ ମାଝୀ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ଏହି ସମୟରେ ସାମାନ୍ୟ ବର୍ଷା ହେବା ସହ ବ୍ରଜପାତ ହେବାରୁ ଘଟଣାସ୍ଥଳରେ ଅଚେତ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଖଡିଆଳ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖଡିଆଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚିô ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ସେହିପରି ଜୁନାଗଡ ଥାନା ଅନ୍ତର୍ଗତ ତଳମଲା ଗ୍ରାମରେ ଆଜି ସଂଧ୍ୟାରେ ବଜ୍ରପାତରେ ଦାଶରଥି ପୂଝାରୀ(୨୭) ଓ ପ୍ରେମଶିଲା ଭୋଇ(୬୫) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦାଶରଥି ଦୋକାନରୁ ଘରକୁ ଫେରୁଥିବାବେଳେ ରାସ୍ତାରେ ଥିବା ଷ୍ଟ୍ରିଟ ଲାଇଟ ଉପରେ ବଜ୍ରପାତ ପଡି ତାଙ୍କ ଉପରକୁ ନିଆଁ ପଡିଥିଲା। ଫଳରେ ଦାଶରଥି ସେଠାରେ ତଳେ ପଡିଯାଇ ଗୁରୁତର ହୋଇଯାଇଥିଲେ। ସେହିପରି ବୃଦ୍ଧା ପ୍ରେମଶିଲା ଘର ବାରଣ୍ଡାରେ ବସିଥିବାବେଳେ ହଟାତ୍ ନିକଟରେ ବଜ୍ରପାତ ହେବା ଫଳରେ ତାହାର ପ୍ରଭାବରେ ସେ ଅଚେତ ହୋଇପଡିଥିଲେ।