ଝଡ଼-ବର୍ଷା ବିଭୀଷିକା : ୭ ରାଜ୍ୟରେ ୭୬ ମୃତ, ୬୫ ଆହତ

0

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼, ପଶ୍ଚିମ ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର କେତେକ ଅଂଶରେ ଝଡ଼ ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ଏହା ପୂର୍ବରୁ ରବିବାର ଉତ୍ତର ଭାରତ ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଝଡ଼ ଓ ବର୍ଷା ବିଭୀଷିକାରେ ୭୬ ଜଣଙ୍କ ପ୍ରାଣହାନି ଘଟିଛି ଓ ୬୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ ୫୧ ଜଣଙ୍କ ମୃତ୍ୟୁ ଘଟିଛି। ପାଣିପାଗ ବିଭାଗ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଭାରତରେ ସତର୍କ ସୂଚନା ଜାରି କରିଛି। ରବିବାର ଦିଲ୍ଲୀରେ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ବେଳେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଛି। ବିଭିନ୍ନ ସ୍ଥାନରେ ନାହିଁନଥିବା କ୍ଷୟକ୍ଷତି ଘଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି । ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର ଓ ହିମାଚଳପ୍ରଦେଶରେ ସୋମବାର ମଧ୍ୟ ୭୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହାସହ ୧୪ ଓ ୧୫ ମେ’ରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରମ, ତ୍ରିପୁରା, ତେଲଙ୍ଗାନା, ରାଲୟସୀମା, ଦକ୍ଷିଣ କର୍ଣ୍ଣାଟକ, ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବେଗରେ ପବନ ବହିବା ସହ ଝଡ଼ ବର୍ଷା ହେବାର ଚେତାବନୀ ଦିଆଯାଇଛି। ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ରାଜସ୍ଥାନର କେତେକ ଅଞ୍ଚଳରେ ଧୂଳି ଝଡ଼ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ଉତ୍ତରପ୍ରଦେଶ : ୫୧ ମୃତ, ୮୩ ଆହତ । ୧୨୧ ଘର କ୍ଷତିଗ୍ରସ୍ତ ।
ଆନ୍ଧ୍ରପ୍ରଦେଶ : ବଜ୍ରପାତରେ ୯ ମୃତ ।
ପଶ୍ଚିମବଙ୍ଗ : ବଜ୍ରପାତରେ ୬ ମୃତ ।
ଦିଲ୍ଲୀ : ଜଣେ ମୃତ, ୧୮୯ ଗଛ ଓ ୪୦ ଖୁଣ୍ଟ ଉପୁଡ଼ିଛି, ୩୧ କାନ୍ଥ ଭୁଶୁଡିଛି ।
ବିହାର : ୨ ମୃତ ।
ତେଲଙ୍ଗାନା : ୩ ମୃତ ।
ଓଡ଼ିଶା : ବଜ୍ରପାତରେ ୭ ମୃତ ।
ଦିଲ୍ଲୀରେ ରବିବାର ଅପରାହ୍ନରେ ହୋଇଥିବା ଝଡ଼ ଓ ବର୍ଷାରେ ଧୂଳିଝଡ ଓ ବର୍ଷା ଯୋଗୁଁ ବିମାନ ଓ ମେଟ୍ରୋ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୪୦ଟି ବିମାନ ଗତିପଥକୁ ପରିବର୍ତ୍ତନ କରାଯାଇ ଅନ୍ୟତ୍ର ଅବତରଣ କରାଯାଇଛି । ୬ ଦିନ ପୂର୍ବରୁ ହୋଇଥିବା ଧୂଳି ଝଡ଼ ଏବଂ ବର୍ଷାରେ ୧୪ ରାଜ୍ୟ ପ୍ରଭାବିତ ହୋଇଥିଲେ ଓ ଏଥିରେ ୧୨୫ ଜଣଙ୍କ ପ୍ରାଣହାନି ଘଟିଥିଲା ।
ଉତ୍ତର ଭାରତରେ ଝଡ଼ ବର୍ଷା ଓ ଦକ୍ଷିଣ ଭାରତରେ ତାପମାତ୍ରା ବୃଦ୍ଧି ଯୋଗୁ ମୌସୁମୀ ୪ରୁ ୫ ଦିନ ପୂର୍ବରୁ ଭାରତରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

Leave A Reply