ଚୋରଙ୍କୁ ଆଇନର ଭୟ ନାହିଁ : ବାଲାଜୀ ଗ୍ରୀନରେ ୩ଟି ଫ୍ଲାଟରୁ ଚୋରି
ସମ୍ବଲପୁର : କର୍ପୁର ଓଡି ଯାଇଥିବା ବେଳେ କେବଳ କନାଟି ରହିଯାଇଥିବା ଭଳି ସମ୍ବଲପୁରରେ ଆଇନ ବ୍ୟବସ୍ଥା ରହିଛି। ବିଗତ ବର୍ଷ ଗୁଡିକରେ ସମ୍ବଲପୁର ଜିଲାରେ ଅପରାଧିକ ତତ୍ୱ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନର ଅଭାବ ଓ କିଛି ଅଧିକାରୀଙ୍କ ସୁସମ୍ପର୍କ ଆଜି ସମ୍ବଲପୁର ପାଇଁ ଭାରି ପଡୁଛି । ଅପରାଧି ମାନଙ୍କ ମଧ୍ୟରେ ଆଇନ ବ୍ୟବସ୍ଥା ଓ ପୁଲିସର ଭୟ ନ ଥିବାରୁ ଅଇଁଠାପାଲି ଥାନାରୁ ମାତ୍ର କେଇ ଶହ ମିଟର ଦୂରରେ ସ୍ଥିତ ବାଲାଜୀ ଗ୍ରୀନ କଲୋନୀରେ ଏକାକାଳୀନ ୩ଟି ଫ୍ଲାଟରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ଚୋରି ହୋଇଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି କଲୋନୀରେ ଥିବା ସି ବ୍ଲକର ଫ୍ଲାଟ ନଂ ୨୦୬, ୧୦୩ ଏବଂ ଡି ବ୍ଲକରେ ୧୦୮ରେ ଗୋଟିଏ ରାତ୍ରିରେ ଚୋରି ହୋଇଛି । ଚୋର ମାନେ ଘରେ କେହି ନ ଥିବାର ଜାଣି ଘର ଗୁଡିକର ମୁଖ୍ୟ ଦ୍ୱାରରେ ଲାଗିଥିବା ଗ୍ରିଲ ଗୁଡିକୁ କଟର ସାହାଯ୍ୟରେ କାଟି ଘର ମଧ୍ୟରେ ପ୍ରବେଶ କରିଥିଲେ। ଘର ମଧ୍ୟରେ ଥିବା ସମସ୍ତ କୋଠରୀ ଗୁଡିକୁ ତନତନ କରି ଦେଖିବା ସହିତ ଆସବାପତ୍ର ଏଣେତେଣେ ଫୋଫାଡି ମୂଲ୍ୟବାନ ସାମଗ୍ରୀ ଗୁଡିକୁ ଚୋରି କରି ନେଇଛନ୍ତି । ଚୋର ମାନେ ଚୋରି କରିବା ସମୟରେ ଅତ୍ୟାଧୁନିକ ଯନ୍ତ୍ରର ବ୍ୟବହାର କରି ଘରର ଆଲମିରା, ବାକ୍ସ ଆଦିକୁ କାଟି ଦେଇ ସମସ୍ତ ଜିନିଷପତ୍ର ଗୁଡିକୁ ତନତନ କରି ଯାଞ୍ଚ କରି ଏଣେ ତେଣେ ଫିଙ୍ଗି ଦେଇ ଫେରାର ମାରିଛନ୍ତି।
ଅପରପକ୍ଷରେ ଏହି କଲୋନୀରେ ବେସରକାରୀ ସୁରକ୍ଷାର ବ୍ୟବସ୍ଥା ସହିତ ସିସିଟିଭି ମଧ୍ୟ ଲାଗିଛି । ଏହା ସତ୍ୱେ ଗୋଟିଏ ରାତ୍ରିରେ ପ୍ରାୟ ୩ଟା ସମୟରେ ୩ଟି ଫ୍ଲାଟରେ ଚୋରି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଏହି ଘଟଣା ସମ୍ପର୍କରେ ସକାଳୁ ଜଣା ପଡିବା ପରେ ସମ୍ବଲପୁରରେ ନ ଥିବା ଘର ମାଲିକ ମାନଙ୍କୁ ଖବର ଦିଆଯିବା ସହିତ ପୁଲିସକୁ ପଡୋଶୀ ମାନେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ କଲୋନୀର ସିସିଟିଭିରେ ଚୋରିର ଦୃଶ୍ୟ କଏଦ ହୋଇଥିବାର କୁହାଯାଉଛି । ଏଣୁ ପୁଲିସ ଏବେ ସିସିଟିଭି ଫୁଟେଜ ଗୁଡିକୁ ସଂଗ୍ରହ କରି ଘଟଣାର ତଦନ୍ତ ସହିତ ଚୋର ମାନଙ୍କୁ ଧରିବାର ପ୍ରୟାସ କରୁଛି । ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ, ଚୋର ମାନଙ୍କୁ କଲୋନୀ ଭିତରୁ କେହି ସନ୍ଦିଗ୍ଧ ବ୍ୟକ୍ତି କଲୋନୀ ମଧ୍ୟରେ କେଉଁ କେଉଁ ଘରେ ତାଲା ପଡିଛି, ଘର ମାଲିକ ବାହାରକୁ ଯାଇଛନ୍ତି ଇତ୍ୟାଦି ବିଭିନ୍ନ ସୂଚନା ପ୍ରଦାନ କରିଥିବା ସହିତ ସେମାନେ ଯେଭଳି ଅନାୟସରେ ଆସି ଚୋରି କରିବା ପରେ ଚମ୍ପଟ ମାରିବେ, ତାହାର ସୁବ୍ୟବସ୍ଥା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।
ଅନ୍ୟ ପଟରେ ବିଗତ ଦିନର ସମ୍ବଲପୁରର ଅଶାନ୍ତ ସ୍ଥିତି ପାଇଁ ଜିଲାର ସମସ୍ତ ଥାନାଧିକାରୀ ମାନଙ୍କୁ ବଦଳି କରାଯାଇଥିବା କ୍ରମରେ ଗତକାଲି ଅନ୍ୟ ଜିଲାରୁ ଆସିଥିବା ୧୩ ଜଣ ଥାନାଧିକାରୀ ଙ୍କ ସହିତ ଅଇଁଠାପାଲି ଥାନାଧିକାରୀ ସନୟ କୁମାର ନାୟକ ନୂତନ ଦାୟିତ୍ୱ ନେଇଛନ୍ତି । ନୂତନ ଥାନାଧିକାରୀ ଦାୟିତ୍ୱ ନେବାର ମାତ୍ର ୬ ଘଣ୍ଟା ମଧ୍ୟରେ ଥାନାରୁ କେଇ ଶହ ମିଟର ଦୂରରେ ଥିବା ଏକ କଲୋନୀରୁ ଏକକାଳୀନ ୩ଟି ଘରୁ ଚୋରି ହେବା ଘଟଣା ଘରକୁ ପ୍ରବେଶ କରିବା ପୂର୍ବରୁ ଚାଳ ବାଜିବା ସଦୃଶ ହୋଇଛି। ଏହି ଘଟଣା ସମ୍ପର୍କରେ ନୂତନ ଥାନାଧିକାରୀଙ୍କୁ ପଚରାଯିବାରୁ ପ୍ରଥମେ ଅସ୍ୱିକାର କରିଥିବା ବେଳେ ପରବର୍ତ୍ତୀ ସମୟରେ ଘଟଣା ଘଟିଥିବା ଏବଂ ଘର ମାଲିକ ମାନେ ସମ୍ବଲପୁରରୁ ବାହାରେ ଥିବାରୁ ସେମାନେ ଅଭିଯୋଗ କରିବା ପରେ ମାମଲା ରୁଜୁ ହେବା ସହିତ କେତେ ପରିମାଣରେ ଚୋରି ହୋଇଛି ଜଣାପଡିବ ବୋଲି କହିଛନ୍ତି ।
୨ ଦିନ ତଳେ ଏହି କଲୋନୀକୁ ଲାଗି ଏକ ଗୋଦାମରୁ ଚୋରି ଉଦ୍ୟମ, ଏକ ସ୍କ୍ରାବ ଦୋକାନରୁ ଟଙ୍କା ଲୁଟ ସହିତ ନିୟମିତ ସହରର ସମସ୍ତ ଥାନାଞ୍ଚଳରେ ଚୋରି ଘଟଣା ଘଟିବା ପୁଲିସର ଅପରାଗତାକୁ ପ୍ରଦର୍ଶନ କରୁଛି । ସମ୍ବଲପୁର ଜିଲାର ନୂତନ ଏସପି କାର୍ଯ୍ୟରେ ଯୋଗଦାନ କରିବାର ୧୦ ଦିନ ନ ପୁରୁଣୁ ଏଭଳି ବଡ ଧରଣର ଚୋରି ସମେତ ସମ୍ବଲପୁର ସହର ସମେତ ଜିଲାରେ ପୁର୍ବବତ ଅପରାଧି ମାନଙ୍କର ରାଜତ୍ୱ ଚାଲୁ ରହିବା ଘଟଣା ଦ୍ୱାରା ଆଇନ ଶୃଙ୍ଖଳା ସୁଧରିବାର ଜନତାଙ୍କ ମଧ୍ୟରେ ଥିବା ଆଶା ଧିରେ ଧିରେ ମଉଳି ଯାଉଛି ।
Comments are closed.