ରାଜ୍ୟର ବୃହତ୍‌ ସାଇବର ଠକେଇ, ଡାକ୍ତର ହରାଇଲେ ୭୮ଲକ୍ଷ

କଟକ: ପୁଣି ଅନ୍‍ଲାଇନ ଠକେଇର ଶିକାର ହୋଇଛନ୍ତି ସହରର ଜଣେ ପ୍ରତିଷ୍ଠିତ ଅବସରପ୍ରାପ୍ତ ଡାକ୍ତର। ମୋବାଇଲ ସିମ୍‍ ରିଚାର୍ଜ କରିବା ଆଳରେ ସାଇବର ଲୁଟିଆ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ୟ୍ୟାୟକ୍ରମେ ୭୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖାଲି କରିନେଇଛନ୍ତି। ଅନ୍ୟଉପାୟ ନ ପାଇ ସମ୍ପୃକ୍ତ ଡାକ୍ତର ସାଇବର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତିକରି ସାଇବର ପୁଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ମିଳିଥିବା ସୂଚନା ମୁତାବକ ମର୍କତନଗର ସେକ୍ଟର-୭ରେ ଅବସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତି ରହୁଛନ୍ତି। ତାଙ୍କର ଏସବିଆଇର ବିଡାନାସୀ ଓ ତୁଳସୀପୁର ଶାଖା ସହିତ ଅନ୍ୟ ବ୍ୟାଙ୍କରେ ଜମାଖାତା ରହିଛି। ୯ ତାରିଖରେ ୮ ଅଙ୍କ ବିଶିଷ୍ଟ ଏକ ଅଜଣା ନମ୍ବରରୁ ହଠାତ ଡ଼ା. ମହାନ୍ତିଙ୍କ ପାଖକୁ ଫୋନ କଲ୍‍ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଏକ ନେଟୱାର୍କିଂ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏହାପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ସାର୍‍ ରିଚାର୍ଜ କରି ନଥିବାରୁ ଆପଣ ବ୍ୟବହାର କରୁଥିବା ସିମ (ବିଏସଏନଏଲ) କାର୍ଡ ଅଚଳ ହୋଇଯିବ। ତୁରନ୍ତ ରିଚାର୍ଜ କରି ସିମ କାର୍ଡକୁ ଆକ୍ଟିଭ କରାଇ ନିଅନ୍ତୁ। ଏହାଶୁଣିବା ଡା.ମହାନ୍ତି ସେ ନିଜେ ବିଏସଏନଏଲ ଅଫିସକୁ ଯାଇ ରିଚାର୍ଜ କରିବେ ବୋଲି ତାଙ୍କୁ ଉତ୍ତର ଦେଇଥିଲେ। ଏହା ଶୁଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଘରେ ବସି ଏଟିଏମ କାର୍ଡରେ ସିମ ରିଚାର୍ଜ କରିବାକୁ ପରାମର୍ଶ ଦେଇଥିଲେ। ଏଥିଲାଗି କେବଳ ଏକ ରିଚାର୍ଜ ଆପସ ଡାଉନଲୋଡ କରିବାକୁ ହେବ। ବ୍ୟକ୍ତିଙ୍କ କହିବାନୁସାରେ ଡା.ମହାନ୍ତି ଗୁଗୁଲ ପ୍ଲେ-ଷ୍ଟୋରରୁ କ୍ଲିକ କରି ସପୋର୍ଟ ଆପସ ଡାଉନଲୋଡ କରିଥିଲେ। ଉକ୍ତ ଆପସରେ ସିମ ନମ୍ବର ସହ ଏଟିଏମ କାର୍ଡ ନମ୍ବର ଲେଖିଥିଲେ ମଧ୍ୟ ରିଚାର୍ଜ ହୋଇନଥିଲା।

ଉକ୍ତ ବ୍ୟକ୍ତିଙ୍କ କହିବାନୁସାରେ ଡା.ମହାନ୍ତି ଉକ୍ତ ଆପସରେ ନିଜର ବ୍ୟାଙ୍କ ସମ୍ପର୍କିତ କିଛି ତଥ୍ୟ ଦେଇଥିଲେ। ଏପରିକି ସିଭିଭି ନମ୍ବର ସହ ମୋବାଇଲକୁ ଆସିଥିବା ୱାନ ଟାଇମ ପାସୱାର୍ଡ (ଓଟିପି)କୁ ମଧ୍ୟ ଦେଇଦେଲେ। ଏହା ପରେ ବି ସିମ କାର୍ଡ ରିଚାର୍ଜ ହୋଇ ନଥିଲା। ଏଥିରେ ବିରକ୍ତି ପ୍ରକାଶ କରି ଡା.ମହାନ୍ତି ସିମ୍‍ ରିଚାର୍ଜରୁ ନିଜକୁ ନିବୃତ୍ତ କରାଇଥିଲେ। ଉକ୍ତ ଦିନ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳକୁ ତାଙ୍କ ଫୋନକୁ ଏକ ମେସେଜ ଆସିଲା କି, ଆପଣଙ୍କ ଏଟିଏମ କାର୍ଡଟି ଅଚଳ ହୋଇଯାଇଛି। ଏହାଦେଖି ସେ ତୁରନ୍ତ ମର୍କତନଗରସ୍ଥିତ ବ୍ୟାଙ୍କର ଶାଖାକୁ ଯାଇଥିଲେ। ସେଠାରେ ଯାଞ୍ଚ କରିବାରୁ ତାଙ୍କର ବିଡାନାସୀ ଓ ତୁଳସୀପୁର ଶାଖାରେ ଥିବା ଆକାଉଣ୍ଟରୁ ଦୁଇଟି ପର୍ୟ୍ୟାୟରେ ୨୫ ହଜାର ଓ ୨୪ ହଜାର ଟଙ୍କା କଟିଯାଇଥିବା ଜାଣିବା ପରେ ଡା. ମହାନ୍ତି ଚକିତ ହୋଇପଡ଼ିଥିଲେ। ଏ ସମ୍ପର୍କରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସେମାନେ କୌଣସି ତତ୍ପରତା ଦେଖାଇନଥିଲେ। ଡା. ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ବ୍ଲକ ନ କରିବାରୁ ସାଇବର ଲୁଟିଆମାନେ ସହଜରେ ଡା. ମହାନ୍ତିଙ୍କର ଅନ୍ୟ ଆକାଉଣ୍ଟଗୁଡିକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଯାଇ ପୂରା ଟଙ୍କା ଖାଲି କରିଦେଇଥିଲେ। ୬ଦିନ ଅର୍ଥାତ ୯ରୁ ୧୫ ତାରିଖ ମଧ୍ୟରେ ସାଇବର ଠକମାନେ ପ୍ରାୟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଲୁଟି ନେଇଥିଲେ।

prayash

ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ଯେ ଆକାଉଣ୍ଟରୁ ବିଭିନ୍ନ ପର୍ୟ୍ୟାୟରେ ଏତେ ପରିମାଣର ଟଙ୍କା କଟିଯାଇଥିଲେ ମଧ୍ୟ ତାଙ୍କ ପାଖକୁ କୌଣସି ମେସେଜ ଆସୁନଥିଲା। ଆଜି ଡା. ମହାନ୍ତି ତାଙ୍କର ବ୍ୟାଙ୍କ ଯାଇ ପାସବୁକ ଅପଡେଟ କରିବା ପରେ ଏହି ବିଷୟ ଜାଣି ପାରିଥିଲେ। ଏହି ଘଟଣାରେ କିଛି କରିହେବ ନାହିଁ ବୋଲି ବ୍ୟାଙ୍କ୍‍ ପରିଚାଳକ ରୋକ୍‍ଠୋକ୍‍ ତାଙ୍କୁ ଜଣାଇ ଦେଇଥିଲେ। ଅନ୍ୟ ଉପାୟ ନ ପାଇ ସେ ଘଟଣା ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଅନ୍‍ଲାଇନ୍‍ରେ ନଗଦ କାରବାର ନ କରିବା ଏବଂ କଲ୍‍ କରୁଥିବା କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟାଙ୍କ ସଂପର୍କିତ ତଥ୍ୟ ନ ଦେବା ପାଇଁ ବାରମ୍ବାର ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଉଥିଲେ ହେଁ, ଏହାକୁ ଲୋକେ ଗୁରୁତ୍ୱ ଦେଉ ନଥିବାରୁ ଦିନକୁ ଦିନ ସାଇବର ଠକେଇ ସଂଖ୍ୟା ବଢ଼ିଚାଲିଥିବା ଡିସିପି ପ୍ରତୀକ ସିଂହ କହିଛନ୍ତି।

ସବୁଠାରୁ ବଡ଼ ଅନ୍‍ଲାଇନ୍‍ ଠକେଇ
ମର୍କତନଗର ସେକ୍ଟର-୭ରେ ଅବସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରୁ ଠକମାନେ ୭୮ଲକ୍ଷ ଟଙ୍କା ଠକିନେଇଥିବା ବେଳେ ଏହା ରାଜ୍ୟର ସବୁଠାରୁ ବଡ଼ ଅନ୍‍ଲାଇନ୍‍ ଠକେଇ ବୋଲି ଜଣାପଡ଼ିଛି। ପୂର୍ବରୁ ଏତେ ପରିମାଣର ଟଙ୍କା ବ୍ୟାଙ୍କ୍‍ ଆକାଉଣ୍ଟରୁ କେବେ ଠକମାନେ ନେଇଯାଇ ନ ଥିଲେ। ସୂଚନା ଯୋଗ୍ୟ ଯେ ନିକଟରେ ଭୁବନେଶ୍ୱରର ଜଣେ ଅଧ୍ୟାପିକା ମଧ୍ୟ ଏହିଭଳି ଉପାୟରେ ଅନ୍‍ଲାଇନ୍‍ ଠକଙ୍କ ଜରିଆରେ ପାଖାପାଖି ୧୭ହଜାର ଟଙ୍କା ହରାଇଥିବା ନେଇ ଇମ୍ଫୋସିଟି ଥାନାରେ ଏତଲା ଦେଇଥିଲେ। ଏହି ଘଟଣାକୁ ମିଶାଇ ଗତମାସରେ ସାଇବର ଠକମାନେ ବିଭିନ୍ନ ଲୋକଙ୍କଠାରୁ ୬୦ଲକ୍ଷ ଟଙ୍କା ଠକିନେଇଥିଲେ। ତେବେ ଜଣେ ଡାକ୍ତରଙ୍କଠାରୁ ଏତେ ପରିମାଣର ଟଙ୍କା ଠକି ନେଇଯିବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି।

ଫିକ୍ସ ଡିପୋଜିଟ୍‍କୁ ବି ଛାଡିନାହାନ୍ତି ଠକ
ଡାକ୍ତର ମହାନ୍ତିଙ୍କ ବିଭିନ୍ନ ଆକାଉଣ୍ଟରୁ ଠକେଇ ହୋଇଥିବା ଟଙ୍କା ମଧ୍ୟରୁ ୯୦ପ୍ରତିଶତ ଟଙ୍କା ଫିକ୍ସ ଡିପୋଜିଟ୍‍ ଆକାଉଣ୍ଟରୁ ଯାଇଥିବା କଥା ଜଣାପଡ଼ିଛି। ଫିକ୍ସ ଡିପୋଜିଟ୍‍ ସବୁଠାରୁ ସୁରକ୍ଷିତ ବୋଲି ବୁଝାପଡୁଥିଲେ ମଧ୍ୟରେ ଏହି ଆକାଉଣ୍ଟରୁ ଟଙ୍କା ଚାଲିଯିବା ପରେ ଏହା ଭୁଲ୍‍ରେ ପରିଣତ ହୋଇଛି। ଡାକ୍ତର ମହାନ୍ତିଙ୍କ ଉଭୟ ତୁଳସୀପୁର ଓ ବିଡ଼ାନାସୀ ଏସବିଆଇ ବ୍ୟାଙ୍କ୍‍ରେ ପାଖାପାଖି ୬ଟି ଫିକ୍ସ ଡିପୋଜିଟ୍‍ ଆକାଉଣ୍ଟ ରହିଥିଲା। ଠକେଇ ହୋଇଥିବା ମୋଟ୍‍ ଟଙ୍କା ମଧ୍ୟରୁ କେବଳ ଏହିସବୁ ଆକାଉଣ୍ଟରୁ ୬୭ଲକ୍ଷ ଟଙ୍କା ସାଇବର ଠକ ନେଇଯାଇଛନ୍ତି। ୬ଦିନ ମଧ୍ୟରେ ଏତେ ଟଙ୍କା ଚାଲିଯାଇଥିଲେ ହେଁ ତାଙ୍କ ନିକଟକୁ ସାମାନ୍ୟତମ ବ୍ୟାଙ୍କ ତରଫରୁ କୌଣସି ସାମାନ୍ୟତମ ସୂଚନା ଦିଆ ନଯିବାରୁ ଅଧିକ ସନ୍ଦେହ ଲାଗୁଛି ବୋଲି ଡାକ୍ତର ମହାନ୍ତି ଅଭିଯୋଗ ଆଣିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ନିଶ୍ଚିତ ଭାବେ ଏକ ବଡ ଠକେଇ ରହସ୍ୟ ଉନ୍ମୋଚନ ହେବା ସହିତ ଅନ୍ୟମାନେ ମଧ୍ୟ ଏ ଦିଗରେ ଅଧିକ ସଚେତନ ହୋଇପାରିବେ ବୋଲି ସେ କହିଛନ୍ତି।

kalyan agarbati

Comments are closed.