www.samajalive.in
Tuesday, November 18, 2025
16.1 C
Bhubaneswar

ମହକ ହରାଉଛି ହୋଲି

ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଏହି ପର୍ବ ପାଳନ ପଛରେ ଅନେକ କିମ୍ବଦନ୍ତୀ ଓ ପୌରାଣିକ ଆଖ୍ୟାନ ରହିଥିବା ବେଳେ ସବୁଠାରୁ ଲୋକପ୍ରିୟ କଥାବସ୍ତୁ ହେଲା ସତ୍ୟଯୁଗରେ ହିରଣ୍ୟକଶିପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତା’ସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ହୋଲିକା ବଧର ଖୁସି ମନାଇବା ନିମନ୍ତେ ସର୍ବତ୍ର ରଙ୍ଗର ଓ ଆନନ୍ଦ ଉତ୍ସବ ଲାଗି ରହିଥିଲା। ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୁମ୍‌ଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘଷିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ଆମ ରାଜ୍ୟରେ ମଧ୍ୟ ଖୁବ ଧୁମ୍‌ଧାମରେ ହୋଲି ପାଳନ କରାଯାଇଥାଏ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଦୋଳ ପୂର୍ଣ୍ଣିମା ଏକ ଲୋକପ୍ରିୟ ପର୍ବ। ଏହି ପର୍ବରେ ପ୍ରଭୁ ଜଗନ୍ନାଥଙ୍କୁ ଦୋଳଗୋବିନ୍ଦଙ୍କ ନାମରେ ପୂଜା କରାଯାଏ। ଏହି ପର୍ବରେ ରାଧାକୃଷ୍ଣଙ୍କୁ ଏକ ମଣ୍ଡପ ଉପରକୁ ନିଆଯାଇଥାଏ। ସେଠାରେ ଝୁଲଣ ଉପରେ ଠାକୁରଙ୍କୁ ରଖି ପୂଜା କରାଯିବା ସହ ତାଙ୍କୁ ଅବିର ରଙ୍ଗ ଲଗାଯାଇ ଝୁଲଣରେ ଝୁଲା ଯାଇଥାଏ। ସାଧାରଣତଃ ଏହି ଯାତ୍ରା ୫ଦିନ ଧରି ଚାଲିଥାଏ। ତେବେ କେତେକ ସ୍ଥାନରେ ଏହା ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ଚାଲିଥାଏ ତ କେଉଁ କେଉଁ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇଥାଏ। ଦୋଳ ପୂର୍ଣ୍ଣିମାର ଠିକ୍‌ ପର ଦିନ ହୋଲି ପର୍ବ ପାଳନ ହୋଇଥାଏ। ହୋଲିପର୍ବ ପାଳନର ବୈଦିକ ମତାନୁଯାୟୀ ଫାଲ୍‌‌ଗୁନ ମାସର ପୂର୍ଣ୍ଣମୀ ଦିନ ବିଶ୍ୱଦେବ ନାମକ ଯଜ୍ଞ କରାଯାଉଥିଲା। ଏହି ଯଜ୍ଞରେ ନବାନ୍ନ ହିଁ ଆହୁତି ରୂପେ ଦେବତାଙ୍କଠାରେ ସମର୍ପଣ କରାଯିବାର ବିଧି ରହିଥିଲା। ତେଣୁ ଫସଲ ଅମଳ ପରେ ହୋଲିର ଅଗ୍ନିରେ ନବାନ୍ନକୁ ପକାଇବାର ପ୍ରଥା ଏବେ ବି ବହୁସ୍ଥାନରେ ପ୍ରଚଳିତ।
ତେବେ ଆନନ୍ଦ ଓ ରଙ୍ଗ ରସର ପର୍ବ ହୋଲି ଏବେ ତା’ର ପ୍ରକୃତ ମହକ ହରାଇଛି। ବିଶେଷକରି ଏହି ପର୍ବ ଏବେ ପରିଣତ ହୋଇଯାଇଛି ସାମାଜିକ ଆତଙ୍କର ପର୍ବରେ। ହୋଲିଦିନ ରଙ୍ଗଖେଳରେ ଯେତେ ଉଲ୍ଲାସ ରହୁନି ତା’ଠାରୁ ଅଧିକ ଆଗ୍ରହ ଯୁବସମାଜ ପାଖରେ ପରିଲକ୍ଷିତ ହେଉଛି ମଦ୍ୟପାନ ବା ଗଞ୍ଜେଇ ପରି ମାଦକ ଦ୍ରବ୍ୟ ସେବନ ପାଇଁ। ଆନନ୍ଦରେ ଜଣକୁ ରଙ୍ଗବୋଳି ଅଭିନନ୍ଦନ ଜଣାଇବା ବଦଳରେ ନିଶାଗ୍ରସ୍ତ ହୋଇ ରାସ୍ତାଘାଟରେ ପଥଚାରୀଙ୍କୁ ରଙ୍ଗ ଫିଙ୍ଗିବା ବା ଜୋରଜବରଦସ୍ତ ରଙ୍ଗ ଲଗାଇବାର ଏକ ବିକୃତ ପରମ୍ପରା ଧୀରେଧୀରେ ଏହି ପର୍ବର ମହାନତାକୁ ଧ୍ୱଂସ କରିସାରିଛି। ଅନେକ ସ୍ଥାନରେ ବିଷାକ୍ତ ରାସାୟନିକ ରଙ୍ଗ, ଆଲକାତରା ପରି ଦ୍ରବ୍ୟ ରଙ୍ଗଖେଳରେ ବ୍ୟବହୃତ ହେଉଛି ଯାହାକୁ ଡରି ଲୋକେ ଏଥିରୁ ରକ୍ଷାପାଇବା ପାଇଁ ପଦାକୁ ବାହାରୁ ନାହାନ୍ତି। ଫଳରେ ଏହି ଦିବସରେ ଏକପ୍ରକାର ଅଘୋଷିତ କର୍ଫ୍ୟୁ ଜାରି ହୋଇଯାଉଛି ରାସ୍ତାଘାଟରେ। ଯାନବାହନ ଚଳାଚଳ ଯେ ସ୍ୱେଚ୍ଛାରେ ବନ୍ଦ ହୋଇଯାଉଛି ତାହା ନୁହେଁ। ଗଣ୍ଡଗୋଳଜନିତ କ୍ଷତିର ଭୟରେ ଗାଡ଼ି ଚାଳକମାନେ ରାସ୍ତାକୁ ବାହାରୁ ନାହାନ୍ତି। ହୋଲି ନଖେଳିଲେ ମଧ୍ୟ ସେ ଦିନ ଘରେ ରହି ଗଣ୍ଡଗୋଳରୁ ରକ୍ଷା ପାଇବାକୁ ଲୋକେ ଶ୍ରେୟସ୍କର ମଣୁଛନ୍ତି।
ଏହି ଦିନ ଡାକ୍ତରଖାନାକୁ ଜରୁରୀ ରୋଗୀସେବା ଲାଗି ଯାଉଥିବା ବ୍ୟକ୍ତି, କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରୁଥିବା ବ୍ୟକ୍ତି ଯେଉଁ ଦୁର୍ଦଶାର ସମ୍ମୁଖୀନ ହୁଏ ତାହା କେବଳ ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ ଜାଣି ପାରିବ। ସହରର ହୋଟେଲ, ଜଳଖିଆ ଦୋକାନ, ନିତ୍ୟ ବ୍ୟବହାର୍ଯ୍ୟ ବିକ୍ରି କରୁଥିବା ଦୋକାନ ଏପରିକି ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ସବୁ ବନ୍ଦ ହୋଇଯାଉଥିବାରୁ ଲୋକେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ଏହି ଦିନଟିରେ। ଏ କେଉଁ ପ୍ରକାରର ଆନନ୍ଦ? ଯେଉଁ ବ୍ୟକ୍ତି ରଙ୍ଗ ଖେଳିବାକୁ ଇଚ୍ଛୁକ ନଥିବ ତା ଉପରକୁ ଜୋରଜବରଦସ୍ତ ରଙ୍ଗ ଫିଙ୍ଗିବାରେ କି ପ୍ରକାର ସାମାଜିକ ସଭ୍ୟତା ରହିଛି ସେକଥା ଜନସାଧାରଣ ବିଚାର କରିବା ଉଚିତ ନୁହେଁ କି? ରଙ୍ଗଖେଳରେ ଏକ ପାରସ୍ପରିକ ସମ୍ମତି ରହିବା ଆବଶ୍ୟକ। ଖୁସିରେ, ଉଲ୍ଲାସରେ ବା ଆନନ୍ଦରେ ରଙ୍ଗ ଫିଙ୍ଗିଲାବେଳେ ପ୍ରତିପକ୍ଷ ବନ୍ଧୁ ରଙ୍ଗକୁ ଉପଭୋଗ କରିବା ଦରକାର। ଯଦି ପ୍ରତିପକ୍ଷ ବନ୍ଧୁ ରଙ୍ଗ ଭୟରେ ରାସ୍ତାରେ ଦୌଡେ ତେବେ ତାହା ଆନନ୍ଦ ନା ଆତଙ୍କ ?
ସରକାର ମଧ୍ୟ ଏହି ଦିନରେ ଏ ପ୍ରକାର ଅଘୋଷିତ କର୍ଫ୍ୟୁକୁ ହଟାଇବା ନିମନ୍ତେ କଡ଼ା ପଦକ୍ଷେପ ନେବା ଆବଶ୍ୟକ। ରଙ୍ଗଖେଳ ନାଁରେ ରାସ୍ତାଘାଟରେ ଯାନବାହନ ବନ୍ଦ କରିବା, ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ଦୃଢ଼ ହସ୍ତରେ ଦମନ କରାଯାଉ। ପର୍ବପାଳନ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ତେବେ ପର୍ବପାଳନ ନାଁରେ ଅନ୍ୟମାନଙ୍କ ସ୍ୱାଭାବିକ ଜୀବନଯାତ୍ରାରେ ହସ୍ତକ୍ଷେପ କରିବା କେତେଦୂର ସ୍ପୃହଣୀୟ? ଅତୀତର ପରମ୍ପରାରେ ହୋଲିଦିନ ଗୋପଦାଣ୍ଡ ବା ମଥୁରାରେ କ’ଣ ଜୀବନଯାତ୍ରା ବନ୍ଦ ହୋଇଯାଇଥିବାର କୌଣସି ପୁରାଣରେ ଉଲ୍ଲେଖ ଅଛି କି ?
ହୋଲିର ରଙ୍ଗ ହେଉଛି ସ୍ନେହ, ଶ୍ରଦ୍ଧା, ପ୍ରୀତି ଓ ଆନନ୍ଦର ପ୍ରତୀକ। ଏହି ରଙ୍ଗଖେଳରେ ଗଛଲତାରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯିବା ମଧ୍ୟ ଉଚିତ। ରାସାୟନିକ ରଙ୍ଗ ବୋଳି ଆମର ବନ୍ଧୁକୁ ଚର୍ମରୋଗ ଉପହାର ଦେବା ଦ୍ୱାରା କି ପ୍ରକାର ପ୍ରୀତି ବଢ଼଼ିବ ତାହା ବି ବୁଝା ପଡ଼େନା। ଜନସାଧାରଣ ଏ ଦିଗରେ ସଚେତନ ହେବା ଆବଶ୍ୟକ। ସୁଖର କଥା ଏବେ ରାଜଧାନୀ ସମେତ ଅନେକ ସ୍ଥାନରେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବାକୁ ଲୋକେ ଆଗ୍ରହ ପ୍ରକାଶ କଲେଣି। ଏହି ପରମ୍ପରାର ସବୁଆଡ଼େ ବ୍ୟାପକ ପ୍ରସାର ହେବା ଆବଶ୍ୟକ। ଆମକୁ ମନେ ରଖିବାକୁ ହେବ ସବୁଠାରୁ ବଡ଼ ଆନନ୍ଦ ଆମେ ପାଇବା ଅନ୍ୟକୁ ଟିକିଏ ସୁଖ ଦେଇପାରିଲେ, ଅନ୍ୟର କିଞ୍ଚିତ ଉପକାର କରିପାରିଲେ। ଆମ ପରିସରର ଲୋକଟିକୁ ଅସୁବିଧାରେ ପକାଇଲେ ବା ତା ଲାଗି ଅସୁବିଧା ସୃଷ୍ଟିକଲେ ଆମ ଭିତରେ ଆମେ କେବେ ଖୁସି ପାଇପାରିବା ନାହିଁ। ଜୀବନର ଅସଲ ରଙ୍ଗ ରହିଛି ଅନ୍ୟର ଓଠରେ ଝଲସି ଉଠୁଥିବା ଆତ୍ମତୃପ୍ତିର କ୍ଷଣିକ ହସରେ। ସେ ରଙ୍ଗକୁ ଅନୁଭବ କରିବା ଶିଖିଲେ ମଣିଷ ଜୀବନ ଧନ୍ୟ ହୋଇଯିବ। ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଆମକୁ ଏହି ବାର୍ତ୍ତା ଦେଉ।
କୁଦାନଗରୀ, କେନ୍ଦ୍ରାପଡ଼ା

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories