ବର୍ଷର ସବୁଠାରୁ ଛୋଟ ଦିନ
ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖକୁ ଆମେ ‘ବଡଦିନ’ ରୁପେ ପାଳନ କରୁ, କିନ୍ତୁ ଆପଣ କେବେ ଭାବିଚନ୍ତିକି ଏପରି ନାମକରଣର କାରଣ ଏକ ମହାଜାଗତିକ ଘଟଣାରୁ ଆସିଛି । ଆମେ ଜାଣୁ ଯେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖ ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର “ସବୁଠାରୁ ଛୋଟ ଦିନ” ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ ବା ଦିନ ର ଲମ୍ବ ବଡ ହେବାକୁ ଆରମ୍ଭ ହୁଏ।
ତେଣୁ ଡିସେମ୍ବର ୨୫ ତାରିଖର ‘ବଡଦିନ’ ନାମକରଣର ଯଥାର୍ଥତା ରହିଛି। ସେହି କ୍ରମରେ ମାର୍ଚ୍ଚ ମାସ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ଜୁନ ୨୧ ବା ୨୨ ତାରିଖ ରେ ଉତ୍ତର ଗୋଲାର୍ଦ୍ଧରେ ସବୁ ଧାରୁ ବଡ ଦିନ ହୋଇ ଥାଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେବଡ଼ ପାର୍ଥକ୍ୟ ଅନୁଭୁତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ। ଆମେ ଜାଣିଛେଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ପ୍ରାୟ ୨୩.୫ ଡିଗ୍ରୀ ଢଳିରହି ସୂର୍ଯ୍ୟ ଚାରିପଟେ ଘୁରୁଛି।
ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ଯାଏ ନାହିଁ ଓ ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀ ଠାରେ ଥିବା କର୍କଟକ୍ରାନ୍ତି ଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ଯ୍ୟ ର ଦକ୍ଷିଣାୟଣ ଗତି କହିଥାଉ ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।
ଭୁବନେଶ୍ୱର ପାଇଁ ୨୦୨୪ ମସିହାର ଡିସେମ୍ବର ୨୧ ତାରିଖରେ ସବୁଠାରୁ ଛୋଟ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ ଏବଂ ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା, ୫ ମିନିଟ୍ ୩୬ ସେକେଣ୍ଡ ହେବ। କିନ୍ତୁ ଭୁବନେଶ୍ୱରରେ ଡିସେମ୍ବର ୧୫ ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୁଏ। ଡିସେମ୍ବର ୨୧ ତାରିଖରେ ଓଡିଶା ର ସୁନ୍ଦରଗଡ଼ ଓ ମାଲକାନଗିରି ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୦୧ ମିନିଟ୍ ହେବ। ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ।
Comments are closed.