ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା
ଭୁବନେଶ୍ୱର: ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଅଛି । କର୍ମଶାଳାର ପ୍ରାରମ୍ଭରେ ଉଦବୋଧନ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର ଆୟାର ସମସ୍ତ ଅତିଥି, କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କୁ କର୍ମଶାଳାକୁ ସ୍ୱାଗତ କରିବା ସହିତ ଏହାର ମୂଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।
ଆଜିର ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷା ସେମାନଙ୍କର ନୂତନ ଭୂମିକା ବିଷୟରେ ଅବଗତ ହେବା ସହ ବିଦ୍ୟାଳୟର ସୁପରିଚାଳନା ନିମିତ୍ତ ବିଭିନ୍ନ ବିଷୟରେ ଯଥା- ପରୀକ୍ଷା ପରିଚାଳନା ପଦ୍ଧତି , ଇ- ଆଡମିଶନ ପ୍ରକ୍ରିୟା , ଆର୍ଥିକ ପରିଚାଳନା, ଶୈକ୍ଷିକ ସମୀକ୍ଷା, ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା , UDISE ଅପଡେଟ୍, APPAR ID ପ୍ରସ୍ତୁତ ଏବଂ SMDC ଗଠନ ଓ ଶୈକ୍ଷିକ ସହାୟତା କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ସୂଚନା ପାଇଥିଲେ ।
ଏହି କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ନନ୍ଦ କହିଛନ୍ତି, ଏହି କର୍ମଶାଳା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଉତ୍ତମ ପରିଚାଳନା ଦିଗଦର୍ଶନ ଦେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିଶ୍ଵଜୀତ ଘୋଷ କର୍ମଶାଳା ସେମାନଙ୍କର ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ସହିତ ପୂର୍ବ ଅପେକ୍ଷା ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ପରୀକ୍ଷା ପରିଚାଳନା ନିମିତ୍ତ ସମସ୍ତ ପ୍ରକ୍ରିୟା ଓ ସୂଚନା ପ୍ରଦାନ କରିଥିଲେ । ଡ. ଉମାକାନ୍ତ ସେଠି (OIC, SAMS ) ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ପ୍ରକ୍ରିୟା ଓ SAMS ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ I ଯୁଗ୍ମ ନିର୍ଦେଶିକା ଶ୍ରୀମତୀ ସସ୍ମିତା ମIଳି ଓ ଉପନିର୍ଦେଶିକା ଶ୍ରୀମତୀ ସୁନନ୍ଦା ମେକାପ ଅତିଥି ଅଧ୍ୟାପକ ନିୟୋଜନ ପ୍ରକ୍ରିୟା ,Split -Up -Syllabus ଓ ଏକାଡେମିକ କ୍ୟାଲେଣ୍ଡର ବିଷୟରେ ସୂଚନା ଦେଇଥିଲେ ।
ଓସେପା ତରଫରୁ ରମେଶ ଚନ୍ଦ୍ର ନାୟକ ଓ ପ୍ରମୋଦ କୁମାର ନାୟକ ନିର୍ମାଣ କାର୍ଯ୍ୟ, ଅସବାବପତ୍ର କିଣା ଓ ଏଥି ନିମିତ୍ତ ବିଭିନ୍ନ ଅନୁଦାନ ଗୁଡିକର ଆର୍ଥିକ ପରିଚାଳନା ନିୟମାବଳୀ ବିଷୟରେ ଅଧ୍ୟକ୍ଷମାନଙ୍କୁ ଅବଗତ କରାଇଥିଲେ । ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମ ବିଷୟରେ ଡ଼କ୍ଟର ପ୍ରମୋଦ କୁମାର ରାୟ ଓ ASP ଟିମ୍ ଅଧ୍ୟକ୍ଷମାନଙ୍କୁ ସୂଚନା ପ୍ରଦାନ କରିଥିଲେ I ପରିଶେଷରେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସସ୍ମିତା ମାଳି ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.