ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପନ୍ନୁର ଧମକ
ସମାଜ ଡିଜିଟାଲ ଡେସ୍କ: ଆମେରିକାର ଓ୍ବାଶିଂଟନ ଡିସିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ଵାତ୍ରାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଧମକ ଦେଇଛି। କ୍ଵାତ୍ରା ଆମେରିକାରେ ରହୁଥିବା ଖଲିସ୍ତାନୀ ଶିଖଙ୍କ ଟାର୍ଗେଟରେ ଅଛନ୍ତି ବୋଲି ପନ୍ନୁ ଏକ ଭିଡିଓ ଜରିଆରେ ଧମକ ଦେବା ପରେ ଏହାକୁ ଗୁରୁତର ସହ ନେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।
ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ଆମେ ଏହି ଧମକକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛୁ। ଏ ସମ୍ପର୍କରେ ଆମେରିକାକୁ ଅବଗତ କରାଯାଇଛି। ଆମେରିକା ସରକାର ଆମ ସୁରକ୍ଷା ଚିନ୍ତାକୁ ଗୁରୁତ୍ଵ ଦେବେ ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି।
ପନ୍ନୁ କହିଥିଲା ଯେ, ରୁଷର ରାଷ୍ଟ୍ରଦୂତଙ୍କ ସହିତ କାମ କରିବା ଲାଗି ଭାରତ ପକ୍ଷରୁ କ୍ଵାତ୍ରାଙ୍କୁ ଓ୍ବାଶିଂଟନ ଡିସିରେ ନିଯୁକ୍ତ କରାଯାଇଛି। ରୁଷ ଗୁଇନ୍ଦା ସଂସ୍ଥା ପକ୍ଷରୁ ଭାରତର ର’ ଏବଂ ଏନଏସଏଙ୍କୁ ଖଲିସ୍ତାନୀ ଶିଖ ସମର୍ଥକଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ପ୍ରଦାନ କରାଯାଉଛି। ବିନୟ କ୍ଵାତ୍ରା ଆମେରିକାରେ ଖଲିସ୍ତାନୀ ଶିଖଙ୍କ ଟାର୍ଗେଟରେ ରହିଛନ୍ତି ବୋଲି ଏକ ଭିଡିଓ ବାର୍ତ୍ତା ଜରିଆରେ କହୁଥିବା ଦେଖିବାକୁ ମିଳିଥିଲା।
Comments are closed.