ଡେସ୍କ: ରାଜ୍ୟରେ ଏବେ ଜଣଙ୍କ ପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଛି। ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଅତିରିକ୍ତ ବଜେଟ ଆଗତ କରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବିଷୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮ ହଜାର ୪୮୭ କୋଟିରେ ପହଂଚିଛି। ଏବେ ରାଜ୍ୟର ମୋଟ ଋଣ ପରିମାଣ ଜିଏସ୍ଡିପିର ୧୦.୦୩% ରହିଛି।
ଆଜି ଅର୍ଥମନ୍ତ୍ରୀ ୨୦୨୩-୨୪ ବର୍ଷ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି। ଏଥିରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪ ହଜାର ୬୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି, ଗଣଶିକ୍ଷା ବିଭାଗ ପାଇଁ ୨ ହଜାର ୮୮୨ କୋଟି, ଜଳସଂପଦ ପାଇଁ ୨ ହଜାର ୪୦୭ କୋଟି, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୧୦ କୋଟି, ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧ ହଜାର ୩୦୨ କୋଟି, ପରିବହନ ଯୋଜନା ‘ଲକ୍ଷ୍ମୀ’ ପାଇଁ ୫୫୬ କୋଟି, ବ୍ଲକସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି, ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି, ଗଣଶିକ୍ଷା ପାଇଁ ୨ ହଜାର ୮୮୨ କୋଟି, ଜଳସଂପଦ ପାଇଁ ୨ ହଜାର ୪୦୭ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି ଏବଂ ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ଅତିରିକ୍ତ ବଜେଟରେ ୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତିରିକ୍ତ ବଜେଟ ଉପସ୍ଥାପନ ପରେ ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି।



