ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦମ୍ବରମ୍ ଗିରଫ
ଶୁକ୍ରବାର ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନର ଶୁଣାଣି
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍ଙ୍କୁ ସିବିଆଇ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି। ଏହି ଗିରଫ ସହିତ ଦୁଇ ଦିନ ଧରି ଏଥିନେଇ ଚାଲିଥିବା ନାଟକର ଆପାତତଃ ଅବସାନ ଘଟିଛି।
ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଚିଦମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରଠାରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଗିରଫ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଥିଲା। ଚିଦମ୍ବରମ୍ଙ୍କ ସହିତ ମଙ୍ଗଳବାରଠାରୁ କୌଣସି ଯୋଗାଯୋଗ ସମ୍ଭବ ହେଉ ନ ଥିଲାବେଳେ ଦିଲ୍ଲୀ ହାଇକୋର୍ଟ ରାୟ ଉପରେ ସ୍ଥଗିତାଦେଶ ପାଇଁ ସେ ଓକିଲଙ୍କ ମାଧ୍ୟମରେ ବୁଧବାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ବୁଧବାର ତ୍ବରିତ ଶୁଣାଣି ହୋଇପାରି ନ ଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଇଜଲାସରେ ଏହି ମାମଲାର ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ ହୋଇଥିଲାବେଳେ ଚିଦମ୍ବରମ୍ ସନ୍ଧ୍ୟାବେଳେ ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ କଂଗ୍ରେସ ମୁଖ୍ୟାଳୟରେ ହାଜର ହୋଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜକୁ ନିର୍ଦୋଷ ଦାବି କରିଥିଲେ। ପରେ ସେ ଜୋର୍ ବାଗ୍ସ୍ଥିତ ନିଜ ବାସଭବନକୁ ଯାଇଥିଲେ। ସେଠାରେ ପ୍ରଥମେ ଇଡି ଓ ସିବିଆଇର ଦୁଇ ଦଳ ପହଞ୍ଚି ତାଙ୍କୁ ପ୍ରାୟ ଘଣ୍ଟାଏ କାଳ ଜେରା କରିଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଅଧିକ ଜେରା ପାଇଁ ତାଙ୍କୁ ସିବିଆଇ ଅଧିକାରୀମାନେ ସାଙ୍ଗରେ ନେଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ବୁଧବାର ସକାଳେ ସିବିଆଇ ଓ ଅପରାହ୍ଣରେ ଇଡି ପକ୍ଷରୁ ଚିଦମ୍ବରମ୍ଙ୍କ ବିରୋଧରେ ‘ଲୁକ୍ଆଉଟ୍ ସର୍କୁଲାର’ ଜାରି କରାଯାଇଥିଲା। ଚିଦମ୍ବରମ୍ କାଳେ ଦେଶ ଛାଡ଼ି ଚାଲିଯିବେ ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଦେଶର ସମସ୍ତ ବିମାନବନ୍ଦରକୁ ସତର୍କ କରିଦିଆଯାଇଥିଲା।
ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାକୁ ବେଆଇନ ଅର୍ଥ କାରବାରର ଏକ ଚମତ୍କାର ଦୃଷ୍ଟାନ୍ତ ବୋଲି ଦର୍ଶାଇ ଚିଦମ୍ବରମ୍ଙ୍କୁ ଏହାର ‘କିଙ୍ଗ୍ପିନ୍’ ଭାବେ ଉଲ୍ଲେଖ କରି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟ ରାୟ ପ୍ରକାଶ ପାଇବା ମାତ୍ରେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଓ ଇଡି ଚିଦମ୍ବରମ୍ଙ୍କୁ ଗିରଫ କରିବା ତତ୍ପର ହୋଇ ଉଠିଥିଲେ। ହାଇକୋର୍ଟ ରାୟ ପ୍ରତିବାଦରେ ଚିଦମ୍ବରମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହାର ଜରୁରୀ ଶୁଣାଣି ହୋଇପାରି ନ ଥିଲା। ଏଥିପାଇଁ ବୁଧବାର ଅଦାଲତକୁ ସମୟ ମିଳି ନ ଥିଲା। ପ୍ରଧାନ ବିଚାରପତିଙ୍କ ପୀଠ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବାବେଳେ ଚିଦମ୍ବରମ୍ଙ୍କ ଓକିଲ କପିଲ ସିବଲ, ସଲମନ ଖୁର୍ସିଦ ଓ ବିବେକ ଟଙ୍କ ଆବେଦନ ଉପସ୍ଥାପନ ପାଇଁ ଜୋର୍ଦାର ପ୍ରୟାସ କରିଥିଲେ। ‘ଆବେଦନକାରୀ ଆଦୌ ଦେଶ ଛାଡ଼ି ଚାଲିଯାଉ ନାହାନ୍ତି। ତାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ ଜାରି କରାଯିବା ପରିତାପର ବିଷୟ’ ବୋଲି ଦର୍ଶାଇ ପ୍ରଧାନ ବିଚାରପତିଙ୍କୁ ମାମଲାର ଗୁରୁତ୍ବ ବୁଝାଇବାକୁ ସିବଲ ପ୍ରୟାସ କରିଥିଲେ; କିନ୍ତୁ ଅପରାହ୍ଣ ୪ଟାରେ ଜଷ୍ଟିସ ଗୋଗଇ ଆଯେଧ୍ୟା ମାମଲାର ଶୁଣାଣି ଶେଷ କରି ପାଟି ନ ଖୋଲି ଅଦାଲତ ଛାଡ଼ି ଚାଲିଯାଇଥିଲେ। ପରେ ମାମଲାର ଶୁଣାଣି ଶୁକ୍ରବାରକୁ ତାଲିକାଭୁକ୍ତ ହୋଇଥିବା ରେଜିଷ୍ଟ୍ରାର ଜଣାଇଥିଲେ।
ପୂର୍ବରୁ ସକାଳ ସାଢ଼େ ୧୦ଟାରେ ସିବଲ ସୁପ୍ରିମକୋର୍ଟର ତୃତୀୟ ବରିଷ୍ଠତମ ବିଚାରପତି ଜଷ୍ଟିସ ଏନ୍.ଭି ରମନାଙ୍କ ଇଜ୍ଲାସ୍ରେ ମାମଲା ସମ୍ପର୍କରେ ମୌଖିକ ଉପସ୍ଥାପନା କରିଥିଲେ। ନିଜ ମହକିଲଙ୍କୁ ଦିଲ୍ଲୀ ହାଇକୋର୍ଟ ରାୟରୁ ଆଶ୍ବସ୍ତି ଦେବା ସହ ଗିରଫରୁ ସୁରକ୍ଷା ଦେବା ପାଇଁ ସେ ନିବେଦନ କରିଥିଲେ। ଚିଦମ୍ବରମ୍ଙ୍କୁ ଗିରଫ କରାଗଲେ ଆଗୁଆ ଜାମିନ ଆବେଦନ ମୂଲ୍ୟହୀନ ହୋଇପଡ଼ିବ ବୋଲି ସେ ଦର୍ଶାଇଥିଲେ। ସବୁ ଶୁଣିବା ପରେ ଅପରାହ୍ଣ ପ୍ରାୟ ୨ଟାବେଳେ ମାମଲାକୁ ପ୍ରଧାନ ବିଚାରପତିଙ୍କ ଇଜ୍ଲାସ୍ରେ ଉପସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ। ‘ମାଷ୍ଟର ଅଫ ରୋଷ୍ଟର’ ଭାବେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିବା ଦାୟିତ୍ବ ପ୍ରଧାନ ବିଚାରପତିଙ୍କର ବୋଲି ସେ ଦର୍ଶାଇଥିଲେ। ଏଥିସହିତ ରେଜିଷ୍ଟ୍ରାରଙ୍କୁ ଡକାଇ ମାମଲା ତାଲିକାଭୁକ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହା ପରେ ସିବଲ ଓ ତାଙ୍କ ଟିମ୍ ତୁରନ୍ତ ପ୍ରଧାନ ବିଚାରପତିଙ୍କ ଇଜଲାସରେ ଆବେଦନ କରିଥିଲେ। ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଅପରାହ୍ଣ ୪ଟା ପରେ ଆସିବାକୁ କହିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା।
ସିବଲ ଏହି ଖବର ପାଇବା ପରେ ଶୁକ୍ରବାର ପର୍ଯ୍ୟନ୍ତ କିଭଳି ଭାବରେ ଗିରଫକୁ ଏଡ଼ାଇ ହେବ ସେଥିନେଇ ମନ୍ତ୍ରଣା ଚଳାଇଥିଲେ। ଅନ୍ୟଏକ ଘଟଣାକ୍ରମେ ସିବିଆଇ ପକ୍ଷରୁ ଏହି ମାମଲାରେ ସୁପ୍ରିମକୋର୍ଟରେ ବୁଧବାର କ୍ୟାଭେଟ୍ ଆବେଦନ କରାଯାଇଛି। ଅଦାଲତ କୌଣସି ରାୟ ଦେବା ପୂର୍ବରୁ ଏହାକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବାକୁ ଏଥିରେ ନିବେଦନ କରାଯାଇଛି।
Comments are closed.