ଠାକୁରମୁଣ୍ଡା:ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟ ରୁ ବ୍ୟାଟେରୀ ଚୋରୀ କରୁଥିବା ସମୟରେ ଜଣେ ଚୋରକୁ ଲୋକମାନେ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅଟକ ରଖିବା ସହ ଚୋରମାନେ ଆଣିଥିବା ଏକ ବାଇ କୁ ମଧ୍ୟ ଅଟକ ରଖିଥିଲେ। ଘଟଣାସ୍ଥଳରୁ ସାଙ୍ଗରେ ଥିବା ଅନ୍ୟ କେତେଜଣ ଚୋର ଖସି ପଳାଇ ଯାଇଥିଲେ। ଚୋରି କରି ଲୋକଙ୍କ ହାତରେ ଧରା ପଡିଥିବା ଯୁବକ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଗ୍ରାମ ବନ୍ଧସାହିର ସୁଶୀଲ ପାତ୍ର ବୋଲି ଜଣାପଡିଛି। ସକାଳେ ଟ୍ରାକ୍ଟର ମାଲିକ ମହୁଲଡ଼ିହା ଥାନାକୁ ଖବର ଦେବା ପରେ ମହୁଲଡ଼ିହା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଚୋର ସହିତ ଚୋରୀ ବ୍ୟାଟେରୀ ଓ ବ୍ୟବହୃତ ଏକ ବାଇକକୁ ଥାନାକୁ ନେଇ ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ଜରକ ଗ୍ରାମର କିଶୋର କାରୁଆଙ୍କ ଟ୍ରାକ୍ଟର ରାତିରେ ତାଙ୍କ ଘର ସମ୍ମୁଖରେ ପାର୍କିଂ କରିଥିଲେ। ରାତି ପ୍ରାୟ ୧୧ ଟା ସମୟରେ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରୀ କରି ନେଉଥିବା ବେଳେ ପଡୋଶୀ ଘରେ ଶୋଇଥିବା ଲୋକେ ଏ ସଂକ୍ରାନ୍ତରେ ଜାଣିପାରି ଚୋରକୁ ଧରିଥିଲେ। ଏହାପରେ ଗ୍ରାମବାସୀମାନେ ରୁଣ୍ଡ ହୋଇ ଚୋରକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ରଖିଥିଲେ।
ମହୁଲଡ଼ିହା ଥାନା ପୁଲିସ ଧରା ପଡିଥିବା ଚୋରକୁ ଥାନାରେ ଅଟକ ରଖି ଏହି ଚୋରୀ ସହିତ ଆଉ କିଏ ସଂପୃକ୍ତ ରହିଛନ୍ତି ତାହାର ତଦନ୍ତ ଜାରି ରଖିଛି। ଏଠାରେ ସୂଚନା ଥାଉକି ଠାକୁରମୁଣ୍ଡା ଓ ମହୁଲଡ଼ିହା ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ରାତିରେ ଗାଡି ଗୁଡିକରୁ ବ୍ୟାଟେରୀ ଚୋରୀ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ବେଳେ ଆଜି ଲୋକେ ଚରକୁ ଧରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପଟେ ଠାକୁରମୁଣ୍ଡା ମହୁଲଡିହା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି, ଗତ ୧୫ଦିନ ମଧ୍ୟରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।



