ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ସହିଦ
ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁପୱାଡା ଜିଲା ହାଲମାତପୋରା ଅଞ୍ଚଳରେ ବୁଧବାର ଆତଙ୍କବାଦୀ ସହ ସଂଘର୍ଷରେ ୨ ଯବାନ ସହିଦ ହୋଇଛନ୍ତି। ହାଲମାତପୋରା କୁପୱାଡାଠାରୁ ୮ କିଲୋମିଟର ଦୂର ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଶେଷ ଗ୍ରାମ ଅଟେ । ସେନା ଅଧିକାରୀଙ୍କ କହିବା ଅନୁସାରେ ବୋଧେ ନିକଟରେ କେତେକ ଆତଙ୍କବାଦୀ ଭାରତ ସୀମାକୁ ଅନୁପ୍ରବେଶ କରିଛନ୍ତି । ସେମାନେ ଏବେ ହାଲମାତପୋରା ଅଞ୍ଚଳରେ ରହି କୁପୱାଡା ନିକଟର ଲୋଲାବ କିମ୍ବା ବିଲାମ ଅଞ୍ଚଳକୁ ପ୍ରବେଶ କରିବା ଅପେକ୍ଷାରେ ଅଛନ୍ତି । ହାଲମାତପୋରା ଅଞ୍ଚଳରେ ସେନାର ତଲାସୀ ଅଭିଯାନ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।
ପ୍ରକାଶ ଯେ ମଙ୍ଗଳବାର ରାତିରେ କୁପୱାଡା ଜିଲା ଆରାମପୋରା ଅଞ୍ଚଳରେ ସେନା ସହ ଗୁଳିବିନିମୟରେ ୪ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ହାଲମାତପୋରା ଜଙ୍ଗଲ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ପାଇବା ପରେ ସେନା ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲା । ଲୁଚି ରହିଥିବା ଆତଙ୍କବାଦୀମାନେ ବୁଧବାର ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା । ଏଥିରେ ସେନାର ୨ ଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଛନ୍ତି । ସେନା ଘେରାବନ୍ଦୀ କରି ତଲାସୀ ଜାରି ରଖିଛି ।