ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିଶ୍ବସ୍ତରୀୟ ଟେନିସ୍ ତାରକାମାନେ ବିଶ୍ବର ପ୍ରମୁଖ ବିତ୍ତଶାଳୀମାନଙ୍କ ତାଲିକାରେ ବି ସ୍ଥାନ ପାଉଛନ୍ତି। ସେମାନେ ପୁଣି ତଉଲିଆ ଭଳି ଜିନିଷ ନେଇଯା’ନ୍ତି! ଏହା ସତ ଏବଂ ଏହି ତାରକାମାନେ ଗଣମାଧ୍ୟମରେ ବି ନିଜର ଏହି ଅଭ୍ୟାସ ସମ୍ପର୍କରେ ପ୍ରକାଶ କରିସାରିଛନ୍ତି। ନିକଟରେ ୟୁଏସ୍ ଓପନ୍ ଟେନିସ୍ ଚମ୍ପିଆନ୍ ହୋଇଥିବା ନୋଭାକ ଜୋକୋଭିକ୍ ମଧ୍ୟ ଏଭଳି ଅଭ୍ୟାସରୁ ବାଦ୍ ପଡିନାହାନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ବିଶ୍ବରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜୋକୋଭିକ ୱିମ୍ବଲଡନ୍ରୁ ଏତେ ତଉଲିଆ ନେଇଯା’ନ୍ତି ଯେ ଖେଳ ଶେଷରେ ଏଗୁଡିକୁ ନେବା ପାଇଁ ତାଙ୍କୁ ଆଉ ଏକ ବ୍ୟାଗ୍ ଦରକାର ହୁଏ।
ୱିମ୍ବଲଡନ୍ ପ୍ରତିଯୋଗିତାର ଆୟୋଜକ ଖେଳାଳିମାନଙ୍କ ଲାଗି ପ୍ରାୟ ୬ହଜାର ତଉଲିଆ ଆଣିଥାନ୍ତି। ଏଗୁଡିକୁ ଖେଳ ବେଳେ ଝାଳ ପୋଛିବା ଲାଗି ସେମାନେ ବ୍ୟବହାର କରନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଏହି ତଉଲିଆଗୁଡିକ ଭାରତରେ ତିଆରି କରାଯାଏ। ଖେଳାଳିମାନେ ଏହି ତଉଲିଆକୁ ଏତେ ଭଲପା’ନ୍ତି ଯେ ସ୍ମୃତିର ସନ୍ତକ ଭାବେ ଏହାକୁ ନିଜ ସହିତ ନେଇଯିବା ଲାଗି ଇଚ୍ଛା କରିଥାନ୍ତି। ପରିସ୍ଥିତି ଏପରି ହେଲା, ଶେଷରେ ତଉଲିଆ ଜଗିବା ଲାଗି ପୁଲିସ୍ ମୁତୟନ କରାଯାଇଥିଲା। ପୂର୍ବରୁ ବ୍ରିଟେନ୍ର କ୍ରିଷ୍ଟି କମ୍ପାନୀ ୱିମ୍ବଲଡନ୍ର ଏହି ପାରମ୍ପରିକ ତଉଲିଆ ପ୍ରସ୍ତୁତ କରୁଥିବାରୁ ଏହା କ୍ରିଷ୍ଟି ଟାୱେଲ ଭାବେ ପରିଚୟ ହାସଲ କରିଛି। ୨୦୦୬ ମସିହାରେ ଭାରତୀୟ କମ୍ପାନୀ ୱେଲ୍ସ୍ପନ୍ ବ୍ରିଟେନ୍ର କମ୍ପାନୀ କ୍ରିଷ୍ଟିକୁ କିଣିବା ପରେ ପ୍ରତିବର୍ଷ ଏଠାରୁ ତଉଲିଆ ଯୋଗାଯାଉଛି। ଗୁଜରାଟର ବାପିସ୍ଥିତ ୟୁନିଟ୍ରେ ଏହି ତଉଲିଆ କିଣାଯାଇଥାଏ। ଶତପ୍ରତିଶତ କଟନ୍ରେ ତିଆରି ଏହି ତଉଲିଆ ପୂର୍ବରୁ ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେଉନଥିବା ବେଳେ ଏବେ ଇ-ମାର୍କେଟିଂ ସାଇଟ୍ଗୁଡିକରେ ମିଳିପାରୁଛି। ପ୍ରତ୍ୟେକ ୱିମ୍ବଲଡନ୍ ଟୁର୍ଣ୍ଣାମେଣ୍ଟର ପ୍ରାୟ ଦେଢବର୍ଷ ପୂର୍ବରୁ ତଉଲିଆ ତିଆରି ଆରମ୍ଭ ହୋଇଯାଏ। ପୁରୁଷମାନଙ୍କ ପାଇଁ ବାଇଗଣି ଓ ସବୁଜ ରଙ୍ଗ ଏବଂ ମହିଳାଙ୍କ ଲାଗି ରଙ୍ଗିନ୍, ବିଶେଷକରି ହଳଦିଆ ଓ ଗୋଲାପି ରଙ୍ଗର ତଉଲିଆ ରହେ। ଏହା ଉପରେ ସୁନେଲି ରଙ୍ଗର ୱିମ୍ବଲଡନ୍ ଚିହ୍ନ ରଖାଯାଇଥାଏ। ପ୍ରତିବର୍ଷ ରଙ୍ଗ ସମାନ ରହିଲେ ବି ଡିଜାଇନ୍ ପରିବର୍ତ୍ତନ କରାଯାଏ। କ୍ରିଷ୍ଟିର ଇଂଲଣ୍ତସ୍ଥିତ ଷ୍ଟୁଡିଓରେ ଏହି ଡିଜାଇନ୍ ପ୍ରସ୍ତୁତ ହୁଏ। ପ୍ରାୟ ୧୪୦ବର୍ଷ ପୁରୁଣା ୱିମ୍ବଲଡନ୍ରେ କ୍ରିଷ୍ଟି ୩୦ବର୍ଷ ହେବ ଔପଚାରିକ ଭାବେ ତଉଲିଆ ଯୋଗାଣକାରୀ (ଟାୱେଲ ପାର୍ଟନର) ରହିଆସିଛି। ସବୁଜ, ବାଇଗଣି ଏବଂ ଗୋଲାପି ରଙ୍ଗର ଏହି ତଉଲିଆ ୱିମ୍ବଲଡନ୍ର ସ୍ବତନ୍ତ୍ର ପରିଚୟ। ଏହାର ଗୁଣବତ୍ତା ମଧ୍ୟ ଖୁବ୍ ଭଲ। ଖେଳ ଦେଖିବା ଲାଗି ଆସୁଥିବା ଦର୍ଶକ ବି ସ୍ମୃତିଚିହ୍ନ ଭାବେ ଏହି ତଉଲିଆ ନେବା ଲାଗି ଆଗ୍ରହ ପ୍ରକାଶ କରିଥାନ୍ତି। ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୧ଲକ୍ଷ ପର୍ଯ୍ୟନ୍ତ ତଉଲିଆ ବିକ୍ରି ହେଉଥିବା ଜଣାଯାଇଛି।
ପ୍ରତିଯୋଗିତା ସମୟରେ ଆୟୋଜକ ଖେଳାଳିମାନଙ୍କୁ ପ୍ରାୟ ୬ହଜାର ଟାୱେଲ ଯୋଗାଉଥିବା ବେଳେ ଶେଷରେ ସେମାନଙ୍କୁ ମାତ୍ର ଏକ ଚତୁର୍ଥାଂଶ ଫେରସ୍ତ ମିଳେ। ପ୍ରତ୍ୟେକ ଖେଳାଳି ମ୍ୟାଚ୍ ସମୟରେ ଏକାଧିକ ଟାୱେଲ ଦାବି କରିଥାନ୍ତି ଏବଂ ଏଗୁଡିକୁ ନିଜ ବ୍ୟାଗ୍ରେ ରଖି ନେଇଯାଇଥାନ୍ତି।
ଟାୱେଲ ନେବାରେ ସବୁଠୁ ଆଗୁଆ ଅଛନ୍ତି ସେରେନା ୱିଲିୟମ୍ସ। ସେ ଜୁନିଅର ୱିମ୍ବଲଡନ୍ରୁ ଖେଳିବା ଲାଗି ଆସୁଛନ୍ତି। ୱିମ୍ବଲଡନ୍ର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସେରେନା ଏତେ ତଉଲିଆ ନେଇସାରିଲେଣି ଯେ ସେ ସେଗୁଡିକୁ ରଖିବା ଲାଗି ଏକ ନୂଆ ଘର ନେବା ଦରକାର ପଡିପାରେ।
ରୋଜର ଫେଡେରର୍ ଏବଂ ଜୋକୋଭିକ୍ ମଧ୍ୟ ତଉଲିଆ ନେବା ମାମଲାରେ ପଛୁଆ ନାହାନ୍ତି। ଟୁର୍ଣ୍ଣାମେଣ୍ଟକୁ ଆସିଥିବାରୁ ସ୍ମୃତିଚିହ୍ନ ଭାବେ ଏଗୁଡିକୁ ସେମାନେ ନିଜ ପରିଚିତମାନଙ୍କୁ ଉପହାର ଆକାରରେ ଦେଉଥିବା କହନ୍ତି। ଏକ ସାକ୍ଷାତକାରରେ ଜୋକୋଭିକ କହିଥିଲେ ଯେ ମୁଁ ତଉଲିଆ ନେବା ଲାଗି ନିଜ ବ୍ୟାଗ୍ରେ ଅଧା ଜାଗା ଖାଲି ରଖି ଆସିଥାଏ, ନହେଲେ ନୂଆ ବ୍ୟାଗ୍ଟିଏ କିଣେ। ପ୍ରତି ମ୍ୟାଚ୍ରେ ଅଧିକ ତଉଲିଆ ମାଗି ରଖିଦିଏ। ତେବେ ନିଜର ଏହି କାମ ପାଇଁ ଚମ୍ପିଆନ୍ସିପ ଆୟୋଜକ ଅଲ୍ ଇଂଲଣ୍ଡ କ୍ଲବ୍ ପାଖରେ ସେ କ୍ଷମାପ୍ରାର୍ଥୀ ବୋଲି ବି କହିଥିଲେ ଜୋକୋଭିକ୍।
ଆଣ୍ଡି ମରେ ସ୍ବତନ୍ତ୍ର ଭାବେ ତାଙ୍କ ପତ୍ନୀଙ୍କ ପାଇଁ ତଉଲିଆ ନେଇଯାନ୍ତି। ସେ ୱିମ୍ବଲଡନକୁ ଆସିବା ମାତ୍ରେ ପତ୍ନୀଙ୍କର ଗୋଟିଏ ଦାବି ଥାଏ- ତଉଲିଆ। ଏହା ସହିତ ନିଜ ଫିଜିଓ ଏବଂ ଟିମ୍ର ସଦସ୍ୟମାନଙ୍କୁ ବି ସେ ତଉଲିଆ ଦେଇଥାନ୍ତି।
ପୂର୍ବତନ ଅଷ୍ଟ୍ରେଲୀୟ ଟେନିସ୍ ତାରକା ୱେଣ୍ଡି ଟର୍ନବୁଲ୍ ବି ଏହି ତଉଲିଆ ନେବା ପାଇଁ ଏତେ ଆଗ୍ରହୀ ଥିଲେ ଯେ ତଉଲିଆ ରଖାଯାଉଥିବା ରୁମ୍ଟିକୁ ତାଙ୍କ ନାମାନୁସାରେ ୱେଣ୍ଡିରୁମ୍ ବୋଲି କୁହାଯାଉଛି।
ତଉଲିଆ ନେଇଯା’ନ୍ତି ଟେନିସ୍ ତାରକା!
Popular Categories



