କ୍ୱାର୍ଟରରେ ନାଦାଲ ଓ ପ୍ଲିସ୍କୋଭା

0

ନ୍ୟୁୟର୍କ : ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିନରେ ଖେଳାଯାଇଥିବା ସିଙ୍ଗଲ୍‍ସ ଇଭେଣ୍ଟରେ ରାଫେଲ ନାଦାଲ, ଜୁଆନ ମାର୍ଟିନ ଡେଲ ପୋଟ୍ରୋ, ସ୍ଲୋଏନ ଷ୍ଟିଫେନ୍‍ସ ଓ କ୍ୟାରୋଲିନା ପ୍ଲିସ୍କୋଭାଙ୍କ ଭଳି ସିଡେଡ୍‍ ଖେଳାଳି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ଚତୁର୍ଥ ରାଉଣ୍ଡରେ (ପ୍ରିକ୍ୱାର୍ଟର) ଟପ୍‍ ସିଡ୍‍ ମାନ୍ୟତାପ୍ରାପ୍ତ ତଥା ଡିଫେଣ୍ଡିଂ ଚମ୍ପିଆନ ସ୍ପେନର ରାଫେଲ ନାଦାଲ ୬-୩, ୬-୩, ୬-୭, ୬-୪ ସେଟ୍‍ରେ ଜର୍ଜିଆର ଅଣସିଡେଡ୍‍ ଖେଳାଳି ନିକୋଲାସ ବାସିଲାସଭିଲ୍ଲିଙ୍କୁ ପରାସ୍ତ କରିଛନ୍ତି। ଏଥରକୁ ମିଶାଇ ନାଦାଲ ଅଷ୍ଟମ ଥର ପାଇଁ ୟୁଏସ ଓପନରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୱାର୍ଟର ଫାଇନାଲରେ ସେ ୯ମ ସିଡ୍‍ ଅଷ୍ଟ୍ରିଆର ଡୋମିନିକ୍‍ ଥିଏମଙ୍କୁ ଭେଟିବେ। ଅନ୍ୟ ଏକ ପ୍ରିକ୍ୱାର୍ଟରରେ ଥିଏମ ୭-୫, ୬-୨, ୭-୬ ସେଟ୍‍ରେ ୫ମ ସିଡ୍‍ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ପରାସ୍ତ କରିଛନ୍ତି। ଦୀର୍ଘ ୨୨ ବର୍ଷ ପରେ ଥିଏମ ପ୍ରଥମ ଅଷ୍ଟିଆ ଖେଳାଳି ଭାବେ ୟୁଏସ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୯୬ରେ ଥୋମାସ ମଷ୍ଟର ପ୍ରଥମ ଅଷ୍ଟ୍ରିଆ ଖେଳାଳିଭାବେ ଏହି କୃତିତ୍ୱ ଅର୍ଜନ କରିଥିଲେ। ନାଦାଲ ଓ ଥିଏମ ପରସ୍ପରକୁ ଦଶ ଥର ଭେଟିସାରିଥିବାବେଳେ ଫଳାଫଳ ନାଦାଲଙ୍କ ସପକ୍ଷରେ ୭-୩ ରହିଛି।
ପୁରୁଷ ସିଙ୍ଗଲ୍‍ସରେ ଅନ୍ୟମାନଙ୍କ ମଧ୍ୟରେ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋ ଓ ଆମେରିକାର ଜନ ଇସନର ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ପ୍ରିକ୍ୱାର୍ଟର ମୁକାବିଲାରେ ୩ୟ ସିଡ୍‍ ଡେଲ ପୋଟ୍ରୋ ୬-୪, ୬-୩, ୬-୧ ସେଟ୍‍ରେ ୨୦ଶ ସିଡ୍‍ କ୍ରୋଏସିଆର ବୋର୍ନା କୋରିକ୍‍ଙ୍କୁ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ଜନ ଇସ୍‍ନରଙ୍କୁ ଭେଟିବେ। ପ୍ରିକ୍ୱାର୍ଟରରେ ୧୧ଶ ସିଡ୍‍ ଇସ୍‍ନର ୩-୬, ୬-୩, ୬-୪, ୩-୬, ୬-୨ ସେଟ୍‍ରେ ୨୫ଶ ସିଡ୍‍ କାନାଡାର ମିଲୋସ ରାଓନିକ୍‍ଙ୍କୁ ହରାଇଛନ୍ତି। ଇସ୍‍ନର ପ୍ରଥମ ଥର ପାଇଁ ୟୁଏସ ଓପନରେ କ୍ୱାର୍ଟର ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ଇସ୍‍ନର ଏକମାତ୍ର ଆମେରିକୀୟ ଖେଳାଳିଭାବେ ପୁରୁଷ ସିଙ୍ଗଲ୍‍ସରେ ତିଷ୍ଠି ରହିଛନ୍ତି। ୨୦୦୩ରେ ଆଣ୍ଡି ରଡିକ୍‍ ଶେଷ ଆମେରିକୀୟଭାବେ ୟୁଏସ ଓପନ ଜିତିଥିଲେ।

ଶନିବାର ମହିଳା ସିଙ୍ଗଲ୍‍ସ ପ୍ରିକ୍ୱାର୍ଟରରେ ୩ୟ ସିଡ୍‍ ମାନ୍ୟତାପ୍ରାପ୍ତ ସ୍ଲୋଏନ ଷ୍ଟିଫେନ୍‍ସ ୬-୩, ୬-୩ ସେଟ୍‍ରେ ୧୫ଶ ସିଡ୍‍ ବେଲଜିୟମର ଏଲିସ ମର୍ଟନ୍‍ସଙ୍କୁ ପରାସ୍ତ କରିଛନ୍ତି। ଡିଫେଣ୍ଡିଂ ଚମ୍ପିଆନ ଷ୍ଟିଫେନ୍‍ସ କ୍ୱାର୍ଟର ଫାଇନାଲରେ ୧୯ଶ ସିଡ୍‍ ଲାଟ୍‍ଭିଆର ଆନାସ୍ତାସିଆ ସେବାସ୍ତୋଭାଙ୍କୁ ଭେଟିବେ। ପ୍ରିକ୍ୱାର୍ଟରରେ ସେବାସ୍ତୋଭା ୬-୩, ୧-୬, ୬-୦ ସେଟ୍‍ରେ ୭ମ ସିଡ୍‍ ମାନ୍ୟତାପ୍ରାପ୍ତ ୟୁକ୍ରେନର ଏଲିନା ଶ୍ୱିତୋଲିନାଙ୍କୁ ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍‍ସର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲା ପୂର୍ବତନ ଏକ ନମ୍ବର ଖେଳାଳି ସେରେନା ୱିଲିୟମ୍‍ସ ଓ ଚେକ୍‍ ରିପବ୍ଲିକ୍‍ର କ୍ୟାରୋଲିନା ପ୍ଲିସ୍କୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରିକ୍ୱାର୍ଟରରେ ୧୭ଶ ସିଡ୍‍ ସେରେନା ୬-୦, ୪-୬, ୬-୩ ସେଟ୍‍ରେ ଏଷ୍ଟୋନିଆର କାଇଆ କାନେପିଙ୍କୁ ପରାସ୍ତ କରିଥିବାବେଳେ ୯ମ ସିଡ୍‍ ପ୍ଲିସ୍କୋଭା ୬-୪, ୬-୪ ସେଟ୍‍ରେ ୧୮ଶ ସିଡ୍‍ ଅଷ୍ଟ୍ରେଲିଆର ଆସ୍‍ଲେ ବାର୍ଟିଙ୍କୁ ହରାଇଛନ୍ତି।

Leave A Reply