ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧୀନ ବିମଳା ଫରେଷ୍ଟ ବିଟରେ ଗୋଠଛଡା ଦନ୍ତାର ଉତ୍ପାତ ଜାରି ରହିଛି।କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛି ଗୋଠଛଡା ଦନ୍ତା। ଦନ୍ତାର ଉତ୍ପାତରେ ଲୋକେ ଅତିଷ୍ଠ ହେଲେଣି। ଗୁରୁବାର ବିଳମ୍ବିତ ରାତିରେ ଆକୁଳ ପଞ୍ଚାୟତର ବନବିହାରୀ ପୁର ଗାଁରେ ପଶି ମୁକୁନ୍ଦ ପ୍ରଧାନଙ୍କ ଘର ଭାଙ୍ଗି ଧାନ ଡୋଲିରୁ ପ୍ରାୟ୨୦ ବସ୍ତା ଧାନ ଖାଇଯାଇଛି।
ଦୈନିକ ସଂଧ୍ୟା ହେଲେ ବିଦ୍ୟୁତ କାଟ ଯୋଗୁଁ ମୁକୁନ୍ଦ ଗୋଠଛଡା ଦନ୍ତା ଗାଁ ଭିତରେ ପଶିଥିବା ଜାଣି ପାରିନଥିଲେ। ଘର ଭାଙ୍ଗିବା ଶବ୍ଦରୁ ହାତୀ ଆସିଥିବା ମୁକୁନ୍ଦ ଠଉରେଇ ପାରି ଟର୍ଚ୍ଚ ମାରିବା ପରେ ଦନ୍ତାକୁ ଦେଖିଥିଲେ। ମିଞ୍ଜି ମିଞ୍ଜି ଟର୍ଚ୍ଚ ଲାଇଟ ଦେଖି ଦନ୍ତା ପରିବାର ଲୋକଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା। ତେବେ ପାଟିଶୁଣି ଗାଁ ଲୋକ ନିଆଁ ହୁଳା ଦେଖାଇବାରୁ ଦନ୍ତା ପଛକୁ ହଟିଥିଲା ଏବଂ ଅଳ୍ପକେ ବର୍ତ୍ତିଯାଇଥିଲେ ପରିବାର ଲୋକେ। ଏପଟେ ସଂଧ୍ୟା ହେଲେ ସକାଳ ପର୍ଯ୍ୟନ୍ତ ଟାଟା ପାଓ୍ବାର କମ୍ପାନୀର ଅଘୋଷିତ ବିଦ୍ୟୁତ କାଟ ସେପଟେ ବନବିଭାଗ ହାତୀ ଘଉଡାଇବାରେ ବିଫଳତା ଲୋକଙ୍କୁ ବିପଦ ଆଡକୁ ଠେଲି ଦେଇଥିବା ବେଳେ ପ୍ରଶାସନକୁ ଦାୟୀ କରିଛନ୍ତି ଲୋକେ। ଅନ୍ୟପକ୍ଷରେ ଟର୍ଚ୍ଚ ଲାଇଟକୁ ଭରସା କରି ଦନ୍ତାକୁ ଘଉଡାଇବା ଲୋକଙ୍କ ପକ୍ଷରେ ସମ୍ଭବ ହେଉନଥିବା ବେଳେ ଲୋକଙ୍କୁ ଭୟରେ ରାତି ବିତାଇବାକୁ ପଡୁଛି।



