www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଯୁଦ୍ଧ ଜିତିବାର କଳା ଓ କୌଶଳ

ଅନିଶ୍ଚିତ ସମୟ। ଅସ୍ପଷ୍ଟ ଦିଗ୍‌ବଳୟ। ଆଲିଙ୍ଗନରେ ଆଶଙ୍କା। ପଙ୍ଗତରେ ଏକା ଏକା। ପ୍ରତ୍ୟେକ ହୁଏତ ହୋଇପାରନ୍ତି ମୃତ୍ୟୁର ବାହକ। ମଣିଷକୁ ମଣିଷର ଭୟ। କାଳ କାକୁସ୍ଥ। ଜୀବନ ଅସ୍ତବ୍ୟସ୍ତ। ଜୀବିକା ବିପର୍ଯ୍ୟସ୍ତ। ନିଜକୁ ଲୁଚେଇବାକୁ ସମସ୍ତେ ତତ୍ପର। ମଣିଷର ଇତିହାସରେ ଚଳନ୍ତି ସମୟ ସତରେ ହେଇଯାଇଛି ଅଚଳ। ଗତିକୁ କରିଛି ସ୍ଥିର। ଏମିତି ଆଉ କେତେ କାଳ? କେବେ ଫିଟିବ ମଣିଷ ଫାଶରୁ? କେବେ ସମୟକୁ ଦେବ ସ୍ଥାପତ୍ୟ ଓ ଉଡ଼ାଇଚାଲିବ ସମୃଦ୍ଧିର ନେତ, ଗଡ଼ାଇ ଚାଲିବ ପ୍ରଗତିର ରଥ? ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଛି ମନକୁ। ଅନ୍ତରରୁ ଆଶ୍ୱାସନାଟିଏ ମିଳୁଛି, ଏ ସମୟ ଚାଲିଯିବ; ଅନ୍ତହୀନ ମଣିଷର ଯାତ୍ରା ପୁଣି ମହିମାନ୍ୱିତ ହେବ ଏବଂ ଉଡ଼ାଣ ହେବ ଅସୀମିତ।
ମଣିଷ ଲଢ଼ୁଛି ଯୁଦ୍ଧ ଏକ ଅଦୃୃଶ୍ୟ ଭୂତାଣୁ ବିରୋଧରେ। ସାରା ପୃଥିବୀ ପାଲଟିଯାଇଛି ଯୁଦ୍ଧ ଭୂଇଁ; ପ୍ରତ୍ୟେକ ମଣିଷ ଜଣେଜଣେ ସୈନିକ ଭାବେ ଏ ଲଢ଼େଇରେ ସାମିଲ। ଏ ଯୁଦ୍ଧ ଶିଖାଇଛି ମଣିଷକୁ, ଭିନ୍ନଭିନ୍ନ ହେଲେ ମଧ୍ୟ ଭାବରେ ଏକତ୍ର; ଅନ୍ୟ ପାଇଁ ବଞ୍ଚିବାରେ ଅଛି ନିଜେ ବଞ୍ଚିବାର ମହାମନ୍ତ୍ର।
ଏବେ ଆସିଛି କରୋନାର ଦ୍ୱିତୀୟ ଲହର। ବିଜ୍ଞାନୀମାନେ କହି ସାରିଲେଣି ପ୍ରଥମ ଲହରଠୁ ଏହା ଆହୁରି ଭୟଙ୍କର। ଆମେ ଦେଖୁଛେ ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମଣର ସଂଖ୍ୟା। ଜୀବନ ଓ ଜୀବିକାକୁ ନେଇ ଆମେ ସମସ୍ତେ ଦ୍ବନ୍ଦ୍ବରେ। କୂଳରେ ବାଘ, ପାଣିରେ କୁମ୍ଭୀର। ଦୋଛକିରେ ଜୀବନ। ଆମେ ପଡ଼ିଯାଇଛେ ବ୍ୟୂହରେ। ଏଠୁ ମୁକୁଳିବାକୁ ପଥ କି ସୂତ୍ର ନାହିଁ ବୋଲି ନୁହେଁ; ଅଛି ଅନେକ ବାଟ, ତାହା ପୁଣି ନିହାତି ସରଳ; ତେବେ ତାକୁ ଆପଣେଇ ପାରିଲେ ହେଲା।
କରୋନା ଗତିବିଧି, ଶତ୍ରୁର ପ୍ରକୃତି ଓ ତା’ର ଦୁର୍ବଳତା ସବୁ ଜଣାପଡ଼ିଲାଣି। ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଆମେ ଅନୁଭବ କରୁଛେ କରୋନାର କରାଳ ଲୀଳା। ପ୍ରଥମ ଯୁଦ୍ଧରେ ଊଣାଅଧିକେ ଆମେ ସଫଳ ହେଇଛେ। ଆମ ପାଖରେ ଅଛି ବିପୁଳ ଅନୁଭବ ଓ ଉପଲବ୍ଧି। ଏହାକୁ ଉପଯୋଗ କରି ଏଇ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ ଆମେ ନିଶ୍ଚିତ ବିଜୟୀ ହେବା, ଏଥିରେ ସନ୍ଦେହର ଅବକାଶ ନାହିଁ।
ପ୍ରତ୍ୟେକ ନିଜନିଜ କ୍ଷେତ୍ରରେ ଯୁଦ୍ଧ ଲଢ଼ୁଛନ୍ତି ା ଶତ୍ରୁକୁ ପରାହତ କରିବାକୁ ପ୍ରୟାସ କରୁଛନ୍ତି। ସେ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ କି ପୁଲିସ୍‍ କର୍ମଚାରୀ କି ସାମ୍ବାଦିକ କି ସ୍ୱେଚ୍ଛାସେବୀ, ଅନେକଙ୍କର କାର୍ଯ୍ୟରେ ମୁଁ ବ୍ୟକ୍ତିଗତ ଭାବରେ ଅନୁପ୍ରାଣିତ ହୋଇଛି ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ମୋର କୃତଜ୍ଞତା ଜ୍ଞାପନ କରୁଛି ଏବଂ ଏହା ଆହୁରି ବ୍ୟାପକ ଓ ଆହୁରି ଜୋରଦାର ହେବା ଦରକାର; ଏହା ହେବ, ଏଥିରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି। କେଡ଼େ ଶୀଘ୍ର ଆମର ବୈଜ୍ଞାନିକମାନେ ଟିକା ବାହାର କରିଦେଲେ; କେଡ଼େ ସଅଳ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିସ୍ତାରିତ ହେଇଗଲା; କେଡ଼େ ତୁରନ୍ତ ଆମର ସରକାର ବ୍ୟବସ୍ଥା ଅନୁକୂଳ ଭିତ୍ତିଭୂମି ଓ ପ୍ରତିକାର ଖଞ୍ଜିଦେଲେ। ଇତିହାସରେ ବ୍ୟବସ୍ଥାର ଏଭଳି ତ୍ୱରିତ କ୍ରିୟାଶୀଳତା ଦେଖିବାକୁ ମିଳେ ନାହିଁ, ଯାହା ଆମ ସମୟ କରିପାରିଲା। ଏହାକୁ ସମଗ୍ର ମାନବଜାତିର ସଫଳତା ବୋଲି ବିବେଚନା କରିବାକୁ ହେବ ଏବଂ ଏହା ହିଁ ଦେଖାଉଛି ଅନ୍ଧାରରେ ଆଶାର ଆଲୋକ।
ଗତବର୍ଷ କରୋନା ଯେତେବେଳେ ପ୍ରଥମେ ଆସିଲା; ତା’ର ବହୁ ପୂର୍ବରୁ ଓଡ଼ିଶା ପ୍ରସ୍ତୁତ ହୋଇଯାଇଥିଲା। ଅନେକ ଆଗୁଆ ପଦକ୍ଷେପ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା। ଉଭୟ ସରକାର ଓ ଜନସାଧାରଣଙ୍କ ସହଯୋଗ ଓ ସଂପୃକ୍ତି ଉଲ୍ଲେଖନୀୟ ହୋଇପାରିଥିଲା। ଏ ଯାବତ୍‍ କରୋନା ଲଢ଼େଇରେ ଓଡ଼ିଶାର ପ୍ରଦର୍ଶନ ପ୍ରେରଣାଦାୟୀ ହୋଇ ରହିଆସିଛି। ପ୍ରାୟ ପ୍ରତ୍ୟେକ ମାପଦଣ୍ଡରେ ଓଡ଼ିଶାର ପ୍ରଦର୍ଶନ ଉତ୍ସାହଜନକ ହୋଇଛି; ଯାହା ଫଳରେ ଓଡ଼ିଶାରେ କରୋନାର କ୍ଷୟକ୍ଷତି ଅପେକ୍ଷାକୃତ ଭାବରେ କମ୍‍ ରହିଛି। ଏଣୁ ଏପରି ଏକ ସ୍ଥିତି ପାଇଁ ମୁଁ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ‘ଅରି ମରିନାହିଁ, ଯୁଦ୍ଧ ସରିନାହିଁ’ ଭଳି ଅବସ୍ଥା। କିଛି ଦିନର ପରାଜୟର ଗ୍ଲାନି ପରେ କରୋନା ପୁଣି ମୁଣ୍ଡ ଟେକିଛି। ତା’ର କୋପ ବଢ଼ିଛି। ପୂର୍ବ ସଫଳତାରେ ଉଲ୍ଲସିତ ହେବା ବଦଳରେ ଲଢ଼େଇକୁ ଅବ୍ୟାହତ ରଖିବାକୁ ହେବ, ଆହୁରି ଜୋରଦାର କରିବାକୁ ହେବ। ଏହା ହିଁ ବର୍ତ୍ତମାନ ସମୟର ଆହ୍ୱାନ ଓ ଆବଶ୍ୟକତା। ଓଡ଼ିଶା ଜିତିବ, କରୋନା ହାରିବ– ଏହି ଫଳ ନିଶ୍ଚିତ ଥିଲେ ମଧ୍ୟ ଧନଜୀବନ କ୍ଷୟକ୍ଷତିର ହ୍ରାସ ପାଇଁ ପୁଣି ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବା ଦରକାର।
ମୁଁ ଆଗରୁ କହିଛି, କରୋନା ଲଢ଼େଇରେ ପ୍ରତ୍ୟେକ ହେଉଛନ୍ତି ଜଣେଜଣେ ସୈନିକ। ପ୍ରତ୍ୟେକଙ୍କର କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ରହିଛି ଏବଂ ଏହି ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଜଣକର ଅସାବଧାନତା ହୁଏତ ଅନେକଙ୍କ ପାଇଁ ଗୁରୁତର ସ୍ଥିତି ଉପୁଜାଇପାରେ। ଏଣୁ ପ୍ରତ୍ୟେକ ସାବଧାନ ରହିବା ହେଉଛି ଲଢ଼େଇ ଜିତିବାର ସୂତ୍ର।
ପ୍ରତ୍ୟେକଙ୍କ ପାଇଁ ମାତ୍ର କେତୋଟି ଅତ୍ୟନ୍ତ ସରଳ କୌଶଳ ଆପଣେଇବା ଦରକାର। ମାସ୍କ ପରିଧାନ, ନିୟମିତ ହାତଧୁଆ, ଦୁଇଗଜ ସାମାଜିକ ଦୂରତା ପାଳନ କିଛି ବଡ଼ କଥା ନୁହେଁ; କିନ୍ତୁ ଲଢ଼େଇରେ ଏହା ହେଉଛି ବଡ଼ ଅସ୍ତ୍ର। ଇତି ମଧ୍ୟରେ ପ୍ରାୟ ସମସ୍ତେ ଏକଥା ଜାଣିଗଲେଣି; କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେ କେତେକ ଜାଣି ମଧ୍ୟ ପାଳନ କରୁନାହାନ୍ତି। ଏମାନଙ୍କୁ କ’ଣ କୁହାଯାଇପାରିବ– ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏଭଳି ଦାୟିତ୍ୱହୀନ ଆଚରଣକୁ ସାମାଜିକ ଅପରାଧ ଭାବରେ ମୁଁ ବିଚାର କରେ।
ମାସ୍କ ପରିଧାନ ଏବଂ ଠିକଣା ଭାବରେ ମାସ୍କ ପରିଧାନ ଏକାନ୍ତ ଜରୁରୀ। ଏକଥା ବିଶେଷଜ୍ଞମାନେ ବାରମ୍ବାର ଚେତାଇ ଚାଲିଛନ୍ତି। କରୋନା ଲଢ଼େଇରେ ଏପରି ଏକ ଅମୋଘ ଅସ୍ତ୍ରକୁ କାହିଁକି କିଛି ଲୋକ ଗୁରୁତ୍ୱ ଦେଉନାହାନ୍ତି, ତାହା ମତେ ଆଶ୍ଚର୍ଯ୍ୟ ଚକିିତ କରୁଛି। ଗତକାଲି ଏକ ସର୍ବଭାରତୀୟ ସ୍ତରର ସର୍ଭେ ରିପୋର୍ଟ ଦେଖୁଥିଲି। ଜଣାପଡ଼ିଛି ଯେ, ପ୍ରାୟ ୫୦ ପ୍ରତିଶତ ଲୋକ ମାସ୍କ ପରିଧାନ କରୁନାହାନ୍ତି। ଠିକଣା ଭାବରେ ମାସ୍କ ପିନ୍ଧୁଛନ୍ତି ମାତ୍ର ୧୬ ପ୍ରତିଶତ। ଆଉ ଅନ୍ୟମାନଙ୍କର ମାସ୍କ କାହାର ବେକରେ ଝୁଲୁଛି ତ କାହାର ଓଠ ତଳେ। ଏହି ତଥ୍ୟ ନିଶ୍ଚିତରୂପେ ଚିନ୍ତାଜନକ। ସରକାର, ଗଣମାଧ୍ୟମ, ସ୍ୱୟଂ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରିଚାଲିଛନ୍ତି। ଯେଉଁମାନେ ଏତେ ଟିକିଏ କଥାକୁ ମାନୁନାହାନ୍ତି, ସେମାନଙ୍କୁ କ’ଣ କୁହାଯାଇପାରିବ ? ମୁଁ ଯୋଡ଼ ହସ୍ତରେ ବିନମ୍ର ନିବେଦନ କରୁଛି; ଏଇ ତିନିଟି କଥାକୁ ସମସ୍ତେ ପାଳନ କରନ୍ତୁ; ନିଜକୁ ସୁରକ୍ଷିତ ରଖିବା ସହିତ ସମାଜକୁ ସୁରକ୍ଷିତ ରଖନ୍ତୁ। ପ୍ରତ୍ୟେକ ଜୀବନ ସମାଜ ପାଇଁ ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ।
ଏବେ ଓଡ଼ିଶାରେ ପର୍ବପର୍ବାଣୀର ଋତୁ। ଏଠି ତ ଜୀବନ ପର୍ବମୟ। ଏହି ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସ୍ୱୟଂ ଜୀବନ ହେଉଛି ସବୁଠୁ ଏକ ବଡ଼ ପର୍ବ ଏବଂ ଏହି ପର୍ବ ପାଇଁ ଅନ୍ୟାନ୍ୟ ବାହ୍ୟିକ ପର୍ବପର୍ବାଣିକୁ ସଂକୁଚିତ କରାଯାଇପାରେ; ଏଡ଼ାଇ ଦିଆଯାଇପାରେ ମଧ୍ୟ। ଜୀବନଠୁ ବଡ଼ କିଛି ନାହିଁ। ଜୀବନ ଥିଲେ କେତେ ପର୍ବପର୍ବାଣୀ ଆସିବ। ଏଣୁ ଏହି ସମୟରେ; ଯେତେବେଳେ କରୋନା ତା’ର ଭୟଙ୍କର କାୟା ବିସ୍ତାର କରିଚାଲିଛି; ସେତେବେଳେ ଆମକୁ ବେଶୀ ସତର୍କ ହେବାକୁ ପଡ଼ିବ ଏବଂ ଜୀବନବାଦୀ ଓଡ଼ିଶାର ଜନସାଧାରଣ ଏହାକୁ ଗୁରୁତ୍ୱ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ ବୋଲି ମୋର ଆଶା ଓ ବିଶ୍ୱାସ।
ଏବେ କରୋନା ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। କରୋନା ବିରୋଧରେ ସଣ୍ଢୁଆଶି ଆକ୍ରମଣ ଚାଲିଛି। ସ୍ଥିତି ଗମ୍ଭୀର ଓ ଚିନ୍ତାଜନକ ଥିଲେ ମଧ୍ୟ ବିଜୟର ସମ୍ଭାବନା ଆହୁରି ଊଜ୍ଜ୍ୱଳ ଲାଗୁଛି। ବିଜୟ ଆଡ଼କୁ ଗତିକୁ ଆହୁରି ତୀବ୍ର ଓ ତ୍ୱରାନ୍ୱିତ କରିବା ପାଇଁ ସମୟ ଲୋଡ଼ୁଛି ସଂଗଠିତ ଓ ସମନ୍ୱିତ ଉଦ୍ୟମ। ସାଧାରଣରେ କୋଭିଡ଼ ନିୟମାବଳୀ ଓ ମାର୍ଗଦର୍ଶିକା ପାଳନ ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର। ଏଥି ନିମନ୍ତେ ବ୍ୟାପକ ଜନ ସଚେତନତା ଲୋଡ଼ା। ଏହା ହେଉଛି। ତେବେ ସ୍ଥାନୀୟ ସ୍ତରରେ, କ୍ଷେତ୍ରୀୟ ସ୍ତରରେ ଏହାକୁ ଆହୁରି ସାନ୍ଦ୍ର, ବ୍ୟାପକ ଓ ଫଳପ୍ରସୂ କରିବାକୁ ହେବ।
ଆମ ସମାଜରେ ଅନେକ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ସମାଜ ମାନେ, ସମ୍ମାନ ଦିଏ, ତାଙ୍କ କଥା ଶୁଣେ। ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହାଜନଃ ଯେନ ଗତଃ ସ ପନ୍ଥା– ମହତେ ଯାହା ଆଚରିବେ, ଇତରେ ତାହା ହିଁ କରିବେ। ସେ ଯାହା ପ୍ରମାଣ କରିବେ, ଲୋକେ ସେ ପଥେ ପ୍ରବର୍ତ୍ତିବେ। ସେମାନେ ନିଜେ କୋଭିଡ଼ ମାର୍ଗଦର୍ଶିକା ମୁତାବକ ଆଚରଣ ଅନୁପାଳନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିବେ ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିପାରିବେ। ସେଭଳି ସାମାଜିକ ନେତୃତ୍ୱର ସକାରାତ୍ମକ ଉପଯୋଗ ହେବା ଦରକାର।
ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନେତୃତ୍ୱ ନେଇପାରିବେ; ସଚେତନତା ସୃଷ୍ଟି କରିପାରିବେ। ବିଶେଷ କରି ଏନ୍‍ସିସି/ଏନ୍‍ଏସ୍‍ଏସ୍‍ରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରମାଣିତ କରିସାରିଛନ୍ତି। ସେମାନଙ୍କଠୁ ବିଶେଷ ଆଶା କରାଯାଇପାରେ। ସେହିପରି ଅନେକ ଅନୁଷ୍ଠାନ ସେବା କ୍ଷେତ୍ରରେ ଅଶେଷ ପ୍ରେରଣାର ପ୍ରତୀକ ହୋଇପାରିଛନ୍ତି। ରେଡ଼କ୍ରସ ଭଳି ସଂସ୍ଥାମାନଙ୍କର ସାରା ରାଜ୍ୟରେ ଉପସ୍ଥିିତି ରହିଛି। ଆମ ରାଜ୍ୟରେ ପୂର୍ବତନ ପ୍ରତିରକ୍ଷା କର୍ମଚାରୀ, ଯେଉଁମାନଙ୍କର ସାମାଜିକ ଅଙ୍ଗୀକାର ସର୍ବସ୍ୱୀକୃତ, ସେମାନଙ୍କର ସହଯୋଗ, ଅନୁଭବ ଓ ଉପଲବ୍ଧି ବିଶେଷ ଉପଯୋଗୀ ହେବ। ସେହିପରି ଧର୍ମଗୁରୁ, ପ୍ରବଚକ, ଅଧ୍ୟାତ୍ମ କ୍ଷେତ୍ରରେ ସମ୍ମାନିତ ବ୍ୟକ୍ତିବିଶେଷଙ୍କର ଆମ ସମାଜ ଉପରେ ଗଭୀର ପ୍ରଭାବ ରହିଛି ଏବଂ ସେହି ପ୍ରଭାବର ଉପଯୋଗ ହେବା ଦରକାର। ରାଜନେତା, ବୁଦ୍ଧିଜୀବୀ, ନାଗରିକ ସମାଜ, ସାମାଜିକ କର୍ମୀମାନଙ୍କଠୁ ସାହାଯ୍ୟ ଲୋଡ଼ା ଯାଇପାରେ। ଯୁଗେଯୁଗେ କବି, ଲେଖକ, କଳାକାର, କ୍ରୀଡ଼ାବିତ୍‍, ଚିତ୍ରଶିଳ୍ପୀ ସମାଜକୁ ମାର୍ଗଦର୍ଶନ କରିଆସୁଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ କରୋନା ବିରୋଧୀ ଲଢ଼େଇରେ କ୍ରିୟାଶୀଳ ଭୂମିକା ନେବାକୁ ମୁଁ ବିନମ୍ର ନିବେଦନ କରୁଛି।
ଏ ସମୟ ରହିବ ନାହିଁ। ରହିବ କେବଳ ଆମର କର୍ମ ଏବଂ ତାହା ହିଁ ଭବିଷ୍ୟତର ଯାତ୍ରା ପଥରେ ବତିଘର ହୋଇ ମାନବ ଜାତିକୁ ମାର୍ଗ ଦେଖାଇବ, ପ୍ରେରିତ କରିବ। ଆସନ୍ତୁ, ଅନ୍ଧକାରକୁ ନ ନିନ୍ଦି, ଦୀପଟିଏ ଜଳେଇ ଦେବା; ଏଇ ସମୟକୁ ଅର୍ଥପୂର୍ଣ୍ଣ କରିଦେବା।

ଗଣେଶୀ ଲାଲ

- Advertisement -

ଲେଖକ ଓଡ଼ିଶାର ରାଜ୍ୟପାଳ
govodisha@nic.in

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories