ମେଲବୋର୍ଣ୍ଣ: ଚଳିତବର୍ଷ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି। ତେବେ ସାରା ବିଶ୍ୱରେ କୋଭିଡ୍-୧୯ କାୟା ବିସ୍ତାର କରିବା ଯୋଗୁଁ ଏହି ଗସ୍ତରେ ଭାରତୀୟ ଦଳ ଯିବ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ପୁଣି ଆଇସିସି ଟେଷ୍ଟ ଚମ୍ପିଆନ୍ସିପ୍ ଅନ୍ତର୍ଗତ ବହୁତ ଟେଷ୍ଟ ସିରିଜ୍ ବାତିଲ ହେବାରେ ଲାଗିଥିବା ବେଳେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଖେଳାଯିବ କି ନାହିଁ; ଏବେ ତାହା କେହି କହିପାରିବେ ନାହିଁ। ପୁଣି ଏହି ଗସ୍ତରେ ଯଦି ଭାରତୀୟ ଦଳ ଯାଏ; ତେବେ ଷ୍ଟାଡିୟମ୍କୁ ଦର୍ଶକମାନଙ୍କୁ ଛଡ଼ାଯିବ କି ନାହିଁ; ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ଅଷ୍ଟ୍ରେଲିଆରେ ଏହି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ର ଆୟୋଜନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ଆଡିଲେଡ୍ ସହରରେ ଏକ ନବନିର୍ମିତ ତଥା ଅଣବ୍ୟବହୃତ ହୋଟେଲରେ ଭାରତୀୟ ଦଳ ରହିବାର ବନ୍ଦୋବସ୍ତ କରାଯାଇଛି। ଏହି ହୋଟେଲରେ ଆବଦ୍ଧ ରହି ବାହାର ଲୋକଙ୍କ ସଂସ୍ପର୍ଶରେ ଭାରତୀୟ ଦଳର ଖେଳାଳି ଯେପରି ନ ଆସିପାରନ୍ତି; ତାହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି।
ଅଷ୍ଟ୍ରେଲିଆର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଆଡିଲେଡ୍ରେ ୪୨ ନିୟୁତ ଆମେରିକୀୟ ଡଲାର ବ୍ୟୟରେ ଏକ ନୂଆ ପଞ୍ଚତାରକା ହୋଟେଲ ନିର୍ମାଣ କରାଯାଇଛି। ଏହି ହୋଟେଲରେ ଅଦ୍ୟାବଧି ଅତିଥିଙ୍କ ପାଇଁ ବୁକିଂ ଆରମ୍ଭ ହୋଇନାହିଁ। ତେଣୁ ସାଉଥ୍ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ୍ର ମୁଖ୍ୟ କିଥ୍ ବ୍ରାଡ୍ସ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ୍ ରବର୍ଟସଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ ଭାରତୀୟ କ୍ରିକେଟ ଦଳ ଟେଷ୍ଟମ୍ୟାଚ୍ ଖେଳିବା ପାଇଁ ଆଡିଲେଡ୍କୁ ଆସିଲେ ଉକ୍ତ ନୂଆ ହୋଟେଲରେ ସେମାନେ ରହିପାରିବେ। ଅଦ୍ୟାବଧି ଏହି ହୋଟେଲରେ କୌଣସି ଲୋକ ରହିନଥିବାରୁ କରୋନା ସଂକ୍ରମଣର କୌଣସି ଆଶଙ୍କା ମଧ୍ୟ ନାହିଁ। ଭାରତୀୟ ଦଳ ଏଠାରେ ରହିଲେ ସେମାନେ କ୍ୱାରେଣ୍ଟାଇନ୍ରେ ରହିବା ପରି ହେବ ଏବଂ ଏଠାରେ ସେମାନେ ନିଜକୁ ଆବଦ୍ଧ କରିପାରିବେ। ଉକ୍ତ ହୋଟେଲକୁ ୨ ଭାଗ କରାଯାଇଛି। ଗୋଟିଏ ଭାଗର ନାମ କଙ୍ଗାରୁ ଆଇଲାଣ୍ଡ୍ସ ହୋଇଥିବା ବେଳେ ଅନ୍ୟ ନାମ ହେଉଛି ରଟ୍ନେଷ୍ଟ ଆଇଲାଣ୍ଡ୍ସ। ସୂଚନାଯୋଗ୍ୟ; ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆ ସରକାର ଦେଶର ସୀମାକୁ ବନ୍ଦ କରି ଦେଇଛନ୍ତି ଏବଂ ଦେଶକୁ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ଏଣେ ଅଷ୍ଟ୍ରେଲିଆ ସରକାର ନିୟମ କରିଛନ୍ତି ଯେ ତାଙ୍କ ଦେଶକୁ ଯେକୌଣସି କ୍ରୀଡ଼ାବିତ୍ ଆସିବେ; ସେମାନେ ୧୪ ଦିନ ଆଇସୋଲେସନ୍ ବା ଆବଦ୍ଧ ହୋଇ ରହିବେ।



